ଭଡାରେ ବାଇକ ନେଇ ବିକ୍ରି କରିଦେଲା ଅଭିଯୁକ୍ତ

ଭଡାରେ ବାଇକ ନେଇ ବିକ୍ରି କରିଦେଲା ଅଭିଯୁକ୍ତ


ଭୁବନେଶ୍ୱର, ୯ା୧୧ : ସେଫ୍ ଡ୍ରାଇଭରୁ ଏକ ବୁଲେଟ୍ ବାଇକ ଭଡାରେ ନେଇ ଅନ୍ୟକୁ ବାଇକଟି ବିକ୍ରି କରିଦେଇଥିବା ଅଭିଯୋଗ । ଏନେଇ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଭଡା ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ଢ଼େଙ୍କାନାଳ ଜିଲ୍ଲାର ସନ୍ଦିପ୍ କୁମାର ନାୟକ । ଏଠାରେ ସେ ଲିଙ୍ଗରାଜ ଥାନା ଅଧିନ ସାମନ୍ତରାପୁର ଅଞ୍ଚଳରେ ଭଡ଼ାରେ ରହି ଆସୁଥିଲା ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ନନ୍ଦନନ୍ଦନ ମହାନ୍ତି ଜାଗମରା ଠାରେ ନନ୍ଦନ ରେଣ୍ଟାଲ ସର୍ଭିସ ନାମରେ ଏକ ବାଇକ ଭଡାରେ ଦେବା ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି । ଗତ ମାସ ୨୯ ତାରିଖ ଦିନ ଅଭିଯୁକ୍ତ ଜଣକ ଏକ ବୁଲେଟ ବାଇକକୁ ଗୋଟେ ଦିନ ପାଇଁ ଭଡ଼ାରେ ନେଇଥିଲା ଏବଂ ଅଗ୍ରୀମ ବାବଦକୁ ୧୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ବାଇକ ନେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ସେ ଆଉ ବାଇକ ଫେରାଇନଥିଲେ । ଫଳରେ ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ମୋବାଇଲ ବନ୍ଦ ରହିଥିଲା । ଶେଷରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ବୁଲେଟ ବାଇକ ଜବତ କରିଛି ।