ଭାଙ୍ଗୁନି ଜଳସଂପଦ ବିଭାଗର ନିଦ: ଆପ୍ରୋଚ ରାସ୍ତା ମରାମତି କଲେ ଗ୍ରାମବାସୀ

ବରୀ: ମୌସୁମି ବର୍ଷା ପୂର୍ବରୁ ବନ୍ଧବାଡ଼ ମରାମତି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିଦେ୍ର୍ଦଶ ରହିଛି । ବିଶେଷ କରି ଜଳ ସଂପଦ ବିଭାଗକୁ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ହେଲେ ବିଞ୍ଝାରପୁର ଜଳ ସଂପଦ ବିଭାଗ ତ୍ୱରିତ ପଦକ୍ଷେପ ନେବା ତ ଦୂରର କଥା ତତ୍ପରତା ପ୍ରକାଶ କରୁନି । ଯାହା ଫଳରେ ଅସଜଡ଼ା ବନ୍ଧବାଡ଼ ମରାମତି ହୋଇପାରୁନି । ଦୃଷ୍ଟି ଆକର୍ଷଣ କଲେ ବି ବିଭାଗ କର୍ଣ୍ଣପାତ କରୁନି । ଯାହା ଫଳରେ ଲଗାଣ ବର୍ଷା ପୂର୍ବରୁ ଧୋଇଯାଇଥିବା ନଦୀବନ୍ଧର ଆପ୍ରୋଚ ରୋଡ଼କୁ ଗ୍ରାମବାସୀ ମରାମତି କରିବାକୁ ବାଧ୍ୟ ହୋଇଛନ୍ତି । ଏଭଳି କାର୍ଯ୍ୟ ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୧୬ନମ୍ବର ୱାର୍ଡବାସୀ କରିଛନ୍ତି । ବର୍ଷାରେ ଆପ୍ରୋଚ ରାସ୍ତା ଧୋଇ ଯାଇଥିବାରୁ ଯାତାୟତ ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହା ଫଳରେ ଗ୍ରାମବାସୀ ଓ ସ୍ଥାନୀୟ ଯୁବକ ନଦୀବନ୍ଧର ଆପ୍ରୋଚ ରାସ୍ତାକୁ ମରାମତି କରିଥିଲେ । ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଆପ୍ରୋଚ ରାସ୍ତା ଗୁଡିକ ଧୋଇଯିବାରୁ ଯାତାୟତରେ ଅସୁବିଧା ଦେଖା ଦେଇଛି । ସ୍ଥାନେ ସ୍ଥାନେ ଖୋଳି ହେଇ ପାଣି ଜମି ରହିଛି । ଆଗକୁ ମୈାସୁମି ବର୍ଷା ଆସୁଥିବାରୁ ତୁରନ୍ତ ଏହି ରାସ୍ତାରେ ଥିବା ଆପ୍ରୋଚ ରାସ୍ତା ଗୁଡିକ ମରାମତି ପାଇଁ ଦାବି କରିଛନ୍ତି । ତୁରନ୍ତ ବିଞ୍ଝାରପୁର ଜଳସମ୍ପଦର ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି  ।