ଭାବ ଡୋରିରେ ଚତୁର୍ଦ୍ଧା ମୂରତି

ଭାବ ଡୋରିରେ ଚତୁର୍ଦ୍ଧା ମୂରତି

ଧାଡ଼ି ପହଣ୍ଡିରେ ଆସି ସ୍ନାନ ବେଦିରେ ବସିଲେଣି ଚତୁର୍ଦ୍ଧା ମୂରତି । ଆଲଟଚାମର ସେବା ନିରନ୍ତର ଚାଲିଛି । ରଜ୍ଜୁ ନୁହେଁ ତ ଭକ୍ତଙ୍କ  ଭାବର ଡୋରିରେ ରୁନ୍ଧା ହୋଇସାରିଲେଣି ଠାକୁରେ ।

ଓଃ କି ରହସ୍ୟମୟ ଏ ଠାକୁର, ରହସ୍ୟମୟ ତାଙ୍କୁ ସ୍ପର୍ଶ କରୁଥିବା ପ୍ରତିଟି ଉପାଦନ । କିଏ ବା ତାହା ବର୍ଣ୍ଣି ପାରିବ? ଯେତେ ବୁଝିବାକୁ ଚେଷ୍ଟା କଲେ ସେତିକି ଅବୁଝା ଲାଗିବ । ସେ ରହସ୍ୟରୁ ଆହୁରି ରହସ୍ୟମୟ ହୋଇ ଯିବେ ସିନା ନିଜେ ଇଚ୍ଛା ନକଲା ଯାଏଁ କାହାକୁ ବୁଝିବାକୁ ଦେବେନି । ବ୍ରହ୍ମା, ରୁଦ୍ର ଯାହାଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିନାହାଁନ୍ତି ତାଙ୍କୁ ବା କିଏ ବୁଝିବ?  ଯାହା ମୁଁ ଦେଖୁଛି ସବୁ ତ ତୁମରି ,ସବୁ ତୁମରି ପ୍ରସାଦ । ବିଶ୍ବ ଜୀବନ ହେ ! ଏ ସକଳ ସିନ୍ଧୁ ତୁମର ଗୋଟିଏ ଗୋଟିଏ କୃପା ବିନ୍ଦୁ । ପୁଣି ସେ ବିନ୍ଦୁର ସମଷ୍ଟିରେ ସିନ୍ଧୁର ସୃଷ୍ଟି । ସେହିପରି ଆପଣଙ୍କର କୃପା ବିନ୍ଧୁରେ ଏ ଜୀବନ ସିନ୍ଧୁକୁ ପରିପୂର୍ଣ୍ଣ କର ମହାପ୍ରଭୁ !

ଏମିତି ଠାକୁର, ଯେତେ ବଖାଣିଲେ ସରିବ ନାହିଁ । ମହାମେରୁ ମହାପ୍ରଭୁ ଆଜି ମାନବୀୟ ଲୀଳା କରୁଛନ୍ତି । ସେ ଲୀଳା ଅବର୍ଣ୍ଣନୀୟ । ସେ ମହାବଳବାନ୍ । ତଥାପି ଆଜି ସେବକର ବାହୁରେ ବାହି ହୋଇ ଆସିଛନ୍ତି । କାରଣ ସେ କହୁବାକୁ ଚାହୁଁଛନ୍ତି, ’ମୁଁ ଯେତେ ବଳବାନ୍ ହୁଏ ପଛେ କିନ୍ତୁ ଭକ୍ତର ସେବା ଗ୍ରହଣ କରିବାକୁ ତା ବାହୁରେ ଆଉ ଯିବାକୁ ଚାହେଁ’। ସେବକ, ଭକ୍ତ ହିଁ ଭଗବାନଙ୍କର ପ୍ରିୟ ।