ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି : ପାଞ୍ଚ ବର୍ଷରେ ଦୁଇଗୁଣା ହେବ କାରବାର
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଚୂଡାନ୍ତ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଐତିହାସିକ, ମହତ୍ୱାକାଂକ୍ଷୀ ଓ ପାରସ୍ପରିକ ରୂପରେ ଲାଭଦାୟକ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ)ର ସଫଳତା ସମ୍ପର୍କରେ ଘୋଷଣା କରିଛନ୍ତି । ୨୦୨୫ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ଭାରତ ଗସ୍ତ ଅବସରରେ ଆଲୋଚନା ଆରମ୍ଭ ହେବା ପରେ ଉଭୟ ପ୍ରଧାନମନ୍ତ୍ରୀ ଏହା ଉପରେ ସହମତ ହୋଇଥିଲେ କି ରେକର୍ଡ ୯ ମାସ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସମ୍ପନ୍ନ ହେବା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ କରିବା ନେଇ ମିଳିତ ମହତ୍ୱାକାଂକ୍ଷା ଓ ରାଜନୈତିକ ଇଚ୍ଛାଶକ୍ତିକୁ ଦର୍ଶାଉଛି ।
ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ କରିବ । ବଜାର ଉପଲବ୍ଧତାକୁ ବଢାଇବ, ନିବେଶକୁ ପ୍ରୋତ୍ସାହିତ କରିବ, ଉଭୟ ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ମଜଭୁତ କରିବ । ଉଭୟ ଦେଶର ନବପ୍ରବର୍ତ୍ତକ, ଉଦ୍ୟମୀ, କୃଷକ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀ, ଛାତ୍ର ଓ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଖୋଲିବ । ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ)ରୁ ମିଳୁଥିବା ଦୃଢ ଓ ବିଶ୍ୱସନୀୟ ମୂଳଭିତ୍ତି ସହ ଉଭୟ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବ୍ୟାପାରକୁ ଦୁଇ ଗୁଣ କରିବା ସହ ଆଗାମୀ ୧୫ ବର୍ଷରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଭାରତରେ ୨୦ ବିଲିୟନ ଆମେରିକୀୟ ଡଲାର ନିବେଶର ବିଶ୍ୱାସ ବ୍ୟକ୍ତ କରିଥିଲେ । ଉଭୟ ନେତା କ୍ରୀଡା, ଶିକ୍ଷା ଓ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ଭଳି ଦ୍ୱିପକ୍ଷୀୟ ସହଯୋଗର ଅନ୍ୟାନ୍ୟ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତିକୁ ସ୍ୱାଗତ କରିଥିଲେ । ଭାରତ-ନ୍ୟୁଜିଲ୍ୟାଣ୍ଡ ସହଭାଗିତାକୁ ଅଧିକ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ । ୨୦୨୪-୨୫ ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧.୩ ବିଲିୟନ ଡଲାର ରହିଛି । ୨୦୨୪ ମସିହାରେ ସାମଗ୍ରୀ ଓ ସେବା କ୍ଷେତ୍ରରେ ମୋଟ ବାଣିଜ୍ୟ ପ୍ରାୟ ୨.୪ ବିଲିୟନ ଡଲାରରେ ପହଞ୍ଚିଥିଲା ।
Samir Kumar Rout