ଭାରତ ସାମୁଦ୍ରିକ ସପ୍ତାହ ପାଇଁ ଭୁବନେଶ୍ୱରରେ ରୋଡ ଶୋ’
ପାରାଦ୍ୱୀପ/ଭୁବନେଶ୍ୱର : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନସ୍ଥ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆଜି ଭୁବନେଶ୍ୱରରେ "ଭାରତୀୟ ସାମୁଦ୍ରିକ କ୍ଷେତ୍ରର ପରିବର୍ତ୍ତିତ ଦିଗ: ପରିମାଣରୁ ଦୂରଦୃଷ୍ଟି ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଏକ ରୋଡ୍ ଶୋ ସଫଳତାର ସହିତ ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଭାରତ ସାମୁଦ୍ରିକ ସପ୍ତାହ (ଆଇଏମଡବ୍ଲୁ) ୨୦୨୫ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା ବିଭିନ୍ନ ପ୍ରଚାରମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ।
ଏହି ରୋଡଶୋରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପ୍ରମୁଖ ସଚିବ ଉଷା ପାଢୀ, ଶିଳ୍ପ ନେତା, ସରକାରୀ ଅଧିକାରୀ ଓ ସାମୁଦ୍ରିକ ମୂଲ୍ୟ ଶୃଙ୍ଖଳାର ଅଂଶୀଦାରମାନେ ଉପସ୍ଥିତ ଥିଲେ । ଏହି ସମାରୋହରେ ସ୍ୱାଗତ ଭାଷଣ ଦେଇ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍. ହାରନାଧ ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ୨୦୪୭ ଉପରେ ଆଲୋକପାତ କରିବା ସହିତ ସ୍ଥିର ବାଣିଜ୍ୟ ଅଭିବୃଦ୍ଧି, ସ୍ଥାୟିତ୍ୱ ଓ ଡିଜିଟାଲ୍ ପରିବର୍ତ୍ତନର ବିଶ୍ୱ ସାମୁଦ୍ରିକ ଧାରା ଉପରେ ଆଲୋକପାତ କରିଥିଲେ । ଆସନ୍ତା ସମ୍ମିଳନୀରେ ଯେଉଁଥିରେ ଭାରତର ସାମୁଦ୍ରିକ ରାଜ୍ୟଗୁଡ଼ିକ - ଓଡ଼ିଶା ସମେତ - ପୂର୍ଣ୍ଣ ଅଂଶଗ୍ରହଣ କରିବେ । ଏଥିରେ ମନ୍ତ୍ରଣାଳୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଓୟୁ ଯୋଜନା କରୁଛି, ଯାହା ମଧ୍ୟରୁ ପାରାଦୀପ ବନ୍ଦର ଏକ ଲକ୍ଷ କୋଟିରୁ ଅଧିକ ଆଶା କରୁଛି । ସେ ଗତ ସପ୍ତାହରେ ଗୁଜରାଟର ଭାବନଗରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ସ୍ୱାକ୍ଷର କରିଥିବା ବୁଝାମଣାପତ୍ର କଥା ଉଲ୍ଲେଖ କରିଥିଲେ । ଏସବୁ ଏମଓୟୁ ମଧ୍ୟରେ ରହିଛି ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ବାହୁଡ଼ା ବନ୍ଦର, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କାର ଏକ ଜାହାଜ ନିର୍ମାଣ ହବ୍ ଏବଂ ପୁରୀରେ ଏକ କ୍ରୁଜ୍ ଟର୍ମିନାଲ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜର ଅଭିଭାଷଣରେ କହିଥିଲେ ଯେ ଭାରତର ପୂର୍ବ ସାମୁଦ୍ରିକ ପ୍ରବେଶପଥ ଏବଂ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧିର ବାହକ ହେବା ପାଇଁ ଓଡ଼ିଶାର ପ୍ରସ୍ତୁତି ଜାରି ରହିଛି । ସେ କହିଥିଲେ, ଯେ ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରର ଅଭିବୃଦ୍ଧି ଏଜେଣ୍ଡା ବିକଶିତ ଭାରତ ୨୦୪୭ ସହିତ ସମନ୍ୱିତ । ଏହି ଅବସରରେ ସାଂସଦ (ଲୋକସଭା) ଡକ୍ଟର ବିଭୁ ପ୍ରସାଦ ତରାଇ ତାଙ୍କ ଭାଷଣରେ ରାଜ୍ୟରେ ବନ୍ଦର ଏବଂ ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ପାରାଦୀପ ବନ୍ଦରର ଉପାଧ୍ୟକ୍ଷ (ଭାରପ୍ରାପ୍ତ) ଏ.କେ. ସାହୁଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ଉଦଘାଟନୀ ଅଧିବେଶନ ଶେଷ ହୋଇଥିଲା । କାର୍ଯ୍ୟକ୍ରମ ପରେ କାର୍ଗୋ ଦକ୍ଷତା ଓ ଅଭିବୃଦ୍ଧି, ଆଇଟି ଓ ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ସ୍ମାର୍ଟ ବନ୍ଦର ପାଇଁ ଡିଜିଟାଲ୍ ପଥ ଉପରେ ଦୁଇଟି ବିଷୟବସ୍ତୁ ପ୍ୟାନେଲ୍ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜ୍ଞାନ ଅଂଶୀଦାର ଭାବରେ ଗ୍ରାଣ୍ଟ ଥର୍ଟନ୍ ଓ ଶିଳ୍ପ ଅଂଶୀଦାର ଭାବରେ ଆସୋଚାମ୍ ସମର୍ଥନ କରିଥିଲେ ।