ଭୂତ କୋଠି ପାଲଟିଛି ଦେଉଳି ପାହାଡ ଅତିଥିଶାଳା ,ଠିକାଦାର ଓ ସରକାରୀ ଅଧିକାରୀଙ୍କ ମଉଜ କେନ୍ଦ୍ର
ଜାରକା: ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତ ବୌଦ୍ଧ କୀର୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ ଉପରେ ଥିବା ଅତିଥିଶାଳା ଭୂତ କୋଠି ପାଲଟିଛି । ଦେଉଳି ଅତିଥି ଶାଳା ଫାଟକରେ ତାଲା ଝୁଲୁଛି । ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦେଉଳି ପାହାଡରେ ଏକାଧିକ ବୌଦ୍ଧଯୁଗୀୟ ଗୁମ୍ଫା ସହିତ ଉକôଳୀୟ ଶିଷ୍ୟ ଭଲ୍ଲିକ ବୁଦ୍ଧଦେବଙ୍କ ନଖ ଆଣି ଏଠାରେ ନଖସ୍ତୁପ ସ୍ଥାପନ କରିଥିବା କୀର୍ତିରାଜି ରହିଛି । ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଥିବା ବୌଦ୍ଧ କାର୍ତିରାଜିର ବିକାଶ ସହିତ ପାହାଡ ଶୀର୍ଷକୁ ଯିବାପାଇଁ ୧୦ବର୍ଷ ପୂର୍ବେ ଢଳେଇ ଓ ପିଚୁ ରାସ୍ତା ହୋଇଥିଲା ।
ଉଦେ୍ଦଶ୍ୟ ଥିଲା ପର୍ଯ୍ୟଟକ ଏଠାରେ ଥିବା ବୌଦ୍ଧ କୀର୍ତିରାଜି ବୁଲି ଦେଖିବା ସହ ବଣଭୋଜି କରି ପାରିବେ । ହେଲେ ଏହା ଲୋକଙ୍କ କାମରେ ଲାଗିବା ପରିବର୍ତ୍ତେ ପୂର୍ବ ସରକାର ସମୟରେ କେତେକ ନେତା, ଠିକାଦାର ଓ ସରକାରୀ ଅଧିକାରୀଙ୍କ ମଜଲିସ୍ କେନ୍ଦ୍ର ପାଲଟିଥିଲା । ସରକାର ବଦଳିବା ପରେ ଏଠାରେ ଆଉ ତାଲା ଖୋଲୁ ନଥିବା ଦେଖିବାକୁ ମିଳିଛି । ଏହି କୋଠା ଏବେ କାହା ଅଧିନରେ ଅଛି ତାହା ମଧ୍ୟ ଜଣାପଡୁନାହିଁ । ଦେଉଳି ପାହାଡ ପାଖରେ ରହିଛି ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର, ବ୍ରାହ୍ମଣୀନଦୀ ଓ ୧୬ନଂ ଜାତୀୟ ରାଜପଥ ରହିଛି । ଗମନାଗମନ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ପାହାଡ ଉପରକୁ ଯାଇପାରୁଛନ୍ତି । ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାହାଡ ଉପରକୁ ଢଳେଇ ଓ ପିଚୁରାସ୍ତା, ଅତିଥିଶାଳା ଏବଂ ୱାଚ୍ ଟାୱାର ନିର୍ମାଣ କରାଯାଇଛି । ହେଲେ ବିଦୁ୍ୟତ୍ ସଂଯୋଗ ଓ ପାଣି ବ୍ୟବସ୍ଥା ନଥିବାରୁ ଏସବୁ ଅବ୍ୟବହୃତ ଅବସ୍ଥାରେ ରହିଛି । ପରିଚାଳନା ବ୍ୟବସ୍ଥା ନଥିବାରୁ ଏଠାରେ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଅସମାଜିକ ଯୁବକ ପଇଁତରା ମାରୁଥିବାରୁ ମହିଳା ପର୍ଯ୍ୟଟକ ଏଠାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । କେହି ଯୁବକ ଯୁବତୀ ଆସିଲେ ଧମକ ଦିଆଯାଇ ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି । ପାହାଡ ବୁଲାଇବାକୁ କହି କିଛିବର୍ଷ ପୂର୍ବେ ଏଠାରେ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପନôୀଙ୍କୁ ହତ୍ୟା କରିଥିଲା । ସେହିପରି ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ହତ୍ୟା କରାଯିବା ସହିତ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା । ପାହାଡରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏପରିକି ଧର୍ମଶାଳା ଥାନା ଅଞ୍ଚଳରେ ଲୁଟ୍ପାଟ୍ ପାଇଁ ଡକାୟତ ମାନେ ଦେଉଳି ପାହାଡରେ ନକ୍ସା ପ୍ରସ୍ତୁତ କରୁଥିବା ବେଳେ, ଏକାଧିକ ଥର ଧରାପଡ଼ିଛନ୍ତି । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଏବେ ଅସୁରକ୍ଷିତ ହୋଇପଡିଛି । ପାହାଡ ସମ୍ମୁଖ ଭାଗକୁ ତାରବାଡ଼ ଦିଆଯାଇ ଘେରାବନ୍ଦୀ କରାଯିବ ଓ ପାଦଦେଶ ରାସ୍ତାରେ ଏକ ଫାଟକ କରାଯାଇ ଜଗୁଆଳୀ ବ୍ୟବସ୍ଥା ହେବ ବୋଲି ଚିନ୍ତା କରାଯାଇଥିଲା । ହେଲେ କାର୍ଯ୍ୟକାରୀ ହୋଇନାହିଁ । ଏହାର ଉନ୍ନତୀକରଣ ଓ ସୁରକ୍ଷା ପାଇଁ ଉଦ୍ୟମ କରାଗଲେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସମେତ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା ।