ସରକାରୀ ଜମିରେ ନିର୍ମାଣ ଘର ଭାଙ୍ଗିଲା ପ୍ରଶାସନ 

ାା ପ୍ରଭାନୁ୍ୟଜ ।ା ଯଖପୁରା: ଜମି ଜବର ଦଖଲକାରୀ ଓ ତହସିଲଦାରଙ୍କ କିଛି ଦିନର ଲୁଚକାଳି ଖେଳ ପରେ ଦାନଗଦୀ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ କିଛି ଦିନ ହେବ ରାବଣା ଛକରେ ଖାତା ନମ୍ବର୧୯୧ପ୍ଲଟ ନମ୍ବର ୪ ଅନାବାଦୀ କିସମ ଛୋଟ ଜଙ୍ଗଲ ହୋଇଥିବା ସତ୍ତ୍ୱେ ଜମି ମାଫିଆ ଉକ୍ତ ସରକାରୀ ଜମିକୁ ଜବର ଦଖଲ କରି ରଖିଥିଲେ । ସଂପୃକ୍ତ ଜମିରେ ଦୋକାନ ଘର କରି ତାକୁ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସରକାରୀ ଜମି ଜବର ଦଖଲ କରି ତା ମଧ୍ୟରେ ଦୋକାନ ଘର ନିର୍ମାଣ କରି ତାକୁ ଭଡା ସୂତ୍ରରେ ଦେବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଜବର ଦଖଲକାରୀ ସରକାରୀ ନିୟମକୁ ମାନୁ ନଥିଲେ । ଯାହାକୁ ନେଇ ଦାନଗଦୀ ତହସିଲଦାରଙ୍କୁ ସାଧାରଣ ଲୋକ ବାରମ୍ବାର ଅଭିଯୋଗ କରୁଥିଲେ । ଏହାକୁ ଗୁରୁତ୍ତ୍ୱର ସହ ନେଇ ବିଭିନ୍ନ ସମୟରେ ଦାନଗଦୀ ତହସିଲଦାର ଜବର ଦଖଲ କରିଥିବା ବ୍ୟକ୍ତିଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ତିନି ତିନି ଥର ନୋଟିସ କରିଥିଲେ । ମାତ୍ର ଜବର ଦଖଲକାରୀ ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି ହୋଇଥିବାରୁ ତହସିଲଦାରଙ୍କ କଥାକୁ ନମାନି ନିର୍ମାଣ କାର୍ଯ୍ୟ ଚାଲୁ ରଖୁଥିଲେ । ବୁଧବାର ସକାଳୁ ଦାନଗଦୀ ତହସିଲଦାର ରଞ୍ଜିତ କୁମାର ମଲ୍ଲିକ, ଯଖପୁରା ଆଇଆଇସି ଲିଜାରଣୀ ବିଶ୍ୱାଳଙ୍କ ସହିତ ମାନତିରା ଆରଆଇଙ୍କ ସହ ଶତାଧିକ ପୁଲିସ ଉପସ୍ଥିତିରେ ରାବଣା ଛକର ସରକାରୀ ଜମିକୁ ଜବର ଦାଖଲ କରି ନିର୍ମାଣ ହୋଇଥିବା ପାଞ୍ଚବଖରା ଘରକୁ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ସାଧାରଣ ଲୋକ ଖୁସି ବ୍ୟକ୍ତ କରିବା ସହ ତହସିଲଦାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ସରକାରୀ ଜମି ଜବର ଦଖଲକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି ।