ମରଣଯନ୍ତା ପାଲଟିଛି କେନାଲ ବନ୍ଧ ରାସ୍ତା
କାକଟପୁର : ଗମନା ଗମନ ଦୃଷ୍ଟି କୋଣରୁ କାକଟପୁର ଲତାହରଣ ମୁଖ୍ୟ ରାସ୍ତାର ଘୋଡାମୁହାଁ ପୋଲଠାରୁ ଧୂର୍ଜ୍ଜଙ୍ଗ ପର୍ଯ୍ୟନ୍ତ ଯାଇଥିବା ଦେଢ଼ କିମି କେନାଲ ବନ୍ଧ ରାସ୍ତା ନିକଟସ୍ଥ ୧୦ଟି ଗ୍ରାମର ଜନସାଧାରଣଙ୍କ ଦୈନଦିନ ଯାତାୟତ କ୍ଷେତ୍ରରେ ନିର୍ଭର କରିଥାନ୍ତି । ପୂର୍ବରୁ ଏହି କେନାଲ ବନ୍ଧ ରାସ୍ତାଟି ଲତାହରଣ ପଞ୍ଚାୟତ ଅଧିନରେ ଥିଲା । ୧୯୯୭ ମସିହାରେ ଏହି କେନାଲ ବନ୍ଧ ମାଟି ରାସ୍ତାକୁ କଂକ୍ରିଟ ଢଳେଇ ରାସ୍ତାରେ ପରିଣତ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେବାରୁ ତକôାଳୀନ ସରପଞ୍ଚ ପ୍ରାଣନାଥ ମଲ୍ଲିକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପର୍ଯ୍ୟାୟକ୍ରମେ ପଞ୍ଚାୟତ ପାଣ୍ଠିରୁ ଏହି ରାସ୍ତାକୁ କଂକ୍ରିଟ ଢଳେଇ ରାସ୍ତାରେ ପରିଣତ କରିଥିଲେ । ମାତ୍ର ୨୦୧୨ ମସିହାରେ ଏହି ରାସ୍ତାଟି କାକଟପୁର ଜଳସେଚନ ବିଭାଗ ଅଧିନକୁ ଚାଲିଯିବାରୁ ଏହି ରାସ୍ତାର ରକ୍ଷଣା ବେକ୍ଷଣ କି ମରାମତି ଦିଗରେ ଆଉ ଲତାହରଣ ପଞ୍ଚାୟତ ହସ୍ତକ୍ଷପ କରୁନାହିଁ ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅପାରଗତା, ପ୍ରଶାସନିକ ସ୍ଥାଣୁତା ଓ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଏହି ରାସ୍ତାଟି ଦୀର୍ଘ ୧୨ ବର୍ଷ ଧରି କାକଟପୁର ଜଳସେଚନ ବିଭାଗ ମରାମତି କି ନିର୍ମାଣ କରିବାର ନାଁ ଧରୁ ନ ଥିବା ବେଳେ, ରାସ୍ତାଟି ବର୍ତ୍ତମାନ ଯାତାୟତ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅନୁପଯୋଗୀ ହୋଇପଡିଛି ।
ଯାହାଫଳରେକି ସ୍ଥାନୀୟ ଜନସାଧାରଣ ରାତିରେ ଯିବା ଆସିବା କଥା ଛାଡ଼ ଦିନରେଏହି ରାସ୍ତା ଉପରେ ଯାତାୟାତ କରିବା ବେଳେ, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ୨ ପାର୍ଶ୍ୱରେ ଅନାବନା ଗଛର ଜଙ୍ଗଲ ସୃଷ୍ଟି ହୋଇ ରାସ୍ତା ମଝିକୁ ଗଛ ଲତା ମାଡି ଆସିଲାଣି । କେଉଁଠି ରାସ୍ତା ମଝିରେ ବଡ଼ ଫାଟ ସୃଷ୍ଟି ହେଲାଣି ତ ଆଉ କେଉଁଠି ରାସ୍ତା ଉପରେ । ରାସ୍ତା ପାର୍ଶ୍ୱରେ ଆଣ୍ଠୁଏ ଗଭୀରରେ ଗର୍ତ୍ତ ସୃଷ୍ଟି ହେଲାଣି । ଏହି ରାସ୍ତାରେ ସନ୍ଧ୍ୟା ହେଲେ ପଥଚାରୀମାନେ ଯିବା ଆସିବାକୁ ଭୟ କରୁଛନ୍ତି । ରାସ୍ତାର ଅବସ୍ଥା ଏବେ ଏତେ ସଂକ୍ରିର୍ଣ୍ଣ ହୋଇଛି ଯେ, ଏକ ସମୟରେ ଦୁଇଟି ବାଇକ୍ ରାସ୍ତା ଅତିକ୍ରମ କଲାବେଳକୁ ବିଭିନ୍ନ ଅନାବନା ଗଛର ଡାଳ ବାଇକ ଆରୋହୀଙ୍କ ଦେହରେ ପିଟି ହୋଇଯାଉଛି । ଯାହାଫଳରେକି ଅଧିକାଂଶ ସମୟରେ ଏହି ରାସ୍ତାରେ ପଥଚାରୀ ଓ ଗାଡି ଚାଳକଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡୁଛି କ୍ଷ ଏହି ରାସ୍ତାର ୨ ପାର୍ଶ୍ୱରେ ଏବେ କଟକଣା, ଭଣ୍ଡାଘର, ଲତାହରଣ, ରସୁଲପୁର ଆଦି ବସ୍ତିର ଲୋକ ବସବାସ କରିବାକୁ ଘର ଦ୍ୱାର ନିର୍ମାଣ କରୁଥିବା ବେଳେ, ଧୂର୍ଜ୍ଜଙ୍ଗ ଓ ଧୂର୍ଜ୍ଜଙ୍ଗ ହରିଜନ ସାହି ଗାଁ ସହିତ ନିକଟସ୍ଥ ୧୦ ଗୋଟି ଗ୍ରାମର ଲୋକ ପ୍ରତିଦିନ ଯାତାୟାତ କ୍ଷେତ୍ରରେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । କାକଟପୁର ଜଳସେଚନ ବିଭାଗ ସବଡ଼ିଭିଜନ କାର୍ଯ୍ୟାଳୟ ଆବଶ୍ୟକ ନଥାଇ ବହୁ ଅନାବଶ୍ୟକ ସ୍ଥଳେ ଏକାଧିକ କେନାଲରେ ସଂଖ୍ୟାଧିକ ବ୍ରିଜ ନିର୍ମାଣ ସାଙ୍ଗକୁ ବହୁ କେନାଲ ବନ୍ଧ ଓ ନଦୀ ବନ୍ଧରେ ପିଚୁ ଏବଂ ?ଳେଇ ରାସ୍ତା ନିର୍ମାଣ କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଦାବି ସତ୍ୱେ ଏହି ରାସ୍ତାକୁ ନିର୍ମାଣ କିମ୍ବା ମରାମତି ନ କରିବା ପଛରେ କି ଉଦେ୍ଦଶ୍ୟ ରହିଛି । ପୁରୀ ଜିଲ୍ଲାପାଳ, ରାଜ୍ୟ ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ସର୍ବୋର୍ଚ୍ଚଯନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଏହି ରାସ୍ତାପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରିବାକୁ ଉପରୋକ୍ତ ଗ୍ରାମବାସୀଙ୍କ ସମେତ ଲତାହରଣ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।