ଖୋର୍ଦ୍ଧାରେ ଅବହେଳିତ ମଠ ଓ ମନ୍ଦିର


ଖୋର୍ଦ୍ଧା: ଖୋରଧା ରାଧାବଲ୍ଲଭ ସାହିସ୍ଥ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳାରେ ବିଶ୍ୱ ଐତିହ ଦିବସ ପାଳିତ ହୋଇଯାଇଛି । ସଂଗ୍ରହାଧ୍ୟକ୍ଷ ଐତିହ ଗବେଷକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଆଇନଜ୍ଞ ଗଡ଼ ଖୋରଧା ଶ୍ରୀଜଗନ୍ନାଥ ମନ୍ଦିରର କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଓ ସେନା ବାହିନୀର ଉଚ୍ଚ ପଦାଧିକାରୀ ହୃଦାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଖୋରଧା ଜିଲ୍ଲାରେ ବହୁ ଦୁର୍ଗ ଗଡ଼, ମଠ ମନ୍ଦିର ଆଦି ପ୍ରାଚୀନ କୀର୍ତ୍ତି ଥିଲେହେଁ ଜନସଚେନତା ଅଭାବରୁ ଓ ନିଷ୍କି୍ରୟତା ଯୋଗୁ ସେଗୁଡିକ କ୍ରମକ୍ଷୟ ହେବାରେ ଲାଗିଛି । ଖୀ.ପୂ. ପଞ୍ଚମ ଶତାବ୍ଦୀର ଶିଶୁପାଳଗଡ଼, ଷଷ୍ଠ ଶତାଦ୍ଦୀର ଶୈଳୋଦ୍ଭବ ରାଜନ୍ୟଙ୍କ ବଙ୍କାଡ଼ ଦୁର୍ଗ, ଦ୍ୱାଦଶ ଶତାବ୍ଦୀର ଚନ୍ଦକା ଅରଣ୍ୟରେ ଥିବା ଗଙ୍ଗ ରାଜତ୍ୱର ବୁଆଳୀ ଦୁର୍ଗ ଓ ଷୋଢ଼ଶ ଶତାବ୍ଦୀର ଖୋରଧା ଦୁର୍ଗ ସହିତ ବିଭିନ୍ନ ଗ୍ରାମରେ ୭୧ଟି ଗଡ଼ ମାଟିରେ ମିଶି ଗଲାଣି । ଭୁବନେଶ୍ୱର ବ୍ୟତୀତ ବାଣପୁରୁର ଦକ୍ଷ ପ୍ରଜାପତି ମନ୍ଦିର, ଟାଙ୍ଗିର ଚଣ୍ଡେଶ୍ୱର ମନ୍ଦିର, ହାଡ଼ପଦାର ଦକ୍ଷିଣଚଣ୍ଡି ମନ୍ଦିର, ବୁଢ଼ାପଡ଼ାର ସୋମନାଥ ମନ୍ଦିର, କାକୁଡ଼ିଆର ଗୋପୀନାଥ ମନ୍ଦିର, ରଥିପୁର ଓ କନ୍ତଳବାଇର ଗୋପାଳ ମନ୍ଦିର, ମନ୍ଦିର ମାଳିନୀ ଗଡ଼ ଖୋରଧାର ଦୁଇଟି ମଠ ଓ ପାଞ୍ଚଟି ମନ୍ଦିର ଅବହେଳିତ ହୋଇ ରହିଅଛି । ସେହିପରି ଶିଳାଲେଖମାନଙ୍କ ମଧ୍ୟରୁ ବରୁଣେଇ ପାଣ୍ଡବଘରା ଗୁମ୍ଫାରେ ଉକ୍ରୀର୍ଣ୍ଣ ପ୍ରାୟ ଦୁଇ ହଜାର ବର୍ଷର ପ୍ରତ୍ନ ଓଡିଆ ଲିପି, ବଙ୍କାଡ଼ଗଡ଼ର ଶିଳାଲେଖ, ଭୋଗପୁର ପାହାଡ଼ ଶୀର୍ଷସ୍ଥ ଗୁମ୍ଫାର ଲିପି, ବେଗୁନିଆ ସନ୍ନିକଟ କୁଶପଲ୍ଲାଗଡ଼ ସନ୍ନିକଟ କୂପରେ ସ୍ଥାନିତ ଶିଳାଲେଖ ଗୁଡିକ ପ୍ରାକୃତିକ ଓ ମାନବକୃତ ଅବକ୍ଷୟରୁ ରକ୍ଷା ପାଇଁ ଲୁହାବାଡ଼ ଦେଇ ଆବଦ୍ଧ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ସଭାରେ ମତପ୍ରକାଶ ପାଇଛି । ସେହିପରି ଐତିହାସିକ ଖୋରଧା ଦୁର୍ଗର ଉତ୍ଖନନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଗଲେ ଦୁର୍ଗ ଅଭ୍ୟନ୍ତରସ୍ଥ ପ୍ରାଚୀନ କୀର୍ତ୍ତି ଲୋକଲୋଚନକୁ ଆସିପାରନ୍ତା । ଦୁଇ ଦଶନ୍ଧି ପୂର୍ବେ ସ୍ଥାନୀୟ ଲୋକଙ୍କ ଦାବୀ ଯୋଗୁ ଅଟ୍ରି ହଟକେଶର ମନ୍ଦିର ଚୁନ ସିମେଣ୍ଟ ପଲସ୍ତରା ହୋଇଥିବାରୁ ଅଭ୍ୟନ୍ତରସ୍ଥ ସୁକ୍ଷ୍ମ କାରୁକାର୍ଯ୍ୟ ଲୋକଲୋଚନକୁ ଆସିପାରୁ ନାହିଁ । ପୁରୀ ଜଗନ୍ନାଥ ମନ୍ଦିର ଭଳି ଚୁନ ପଲସ୍ତରା କଢ଼ାଗଲେ ସୁନ୍ଦର କାରୁକାର୍ଯ୍ୟ ଦୃଶ୍ୟମାନ ହୁଅନ୍ତା । ଆଜିର ଉତ୍ସବକୁ ସଂଗ୍ରାହଳୟର ପରିଚାଳିକା ସୁଶ୍ରୀ ଗୀତାଞ୍ଜଳି ଦାସ ଓ ଅର୍ଚିସ୍ମାନ ଦାସ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।