ମରଣଯନ୍ତା ପାଲଟିଛି  ରାସ୍ତା, ମରାମତି ଦାବି

 ଭୁବନେଶ୍ୱର :  ମାଲକାନଗିରି ଜିଲ୍ଲା ବାଲିମେଳା ଠାରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଧୋଇ ହୋଇଯିବା ସହ ବିରାଟକାୟ ଖାଲଖମା ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ଠାରୁ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ଓ ସୀମାନ୍ତ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ନିମନ୍ତେ ଏକମାତ୍ର ଏହି ରାସ୍ତା ଉପରେ ଲୋକେ ନିର୍ଭରଶୀଳ । ବିପଦସଂକୁୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ମାଲକାନଗିରି ଜିଲ୍ଲା ସମେତ ଆଖପାଖ ରାଜ୍ୟର ଶତାଧିକ ଯାନବାହନ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି । ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଲଗାଣ ବର୍ଷାରେ ଶତାଧିକ ଖାଲ ସୃଷ୍ଟି ହୋଇଛି । ଯାହାକି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟିଛି । ଏପରିକି ଅଧିକାଂଶ ଖାଲର ଗଭୀର ପ୍ରାୟ ୧ ଫୁଟରୁ ଅଧିକ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାର ଏଭଳି ଅବସ୍ଥା ଯୋଗୁ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ତଥାପି ସେମାନେ ନିଜ ଜୀବନକୁ ବାଜି ଲଗାଇ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ବୋଲି କେତେକ ଗାଡ଼ି ଚାଳକ ଓ ପଥଚାରୀ କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।