ମହାବିଦ୍ୟାଳୟରେ ଆଲୋଚନାଚକ୍ର 

 ବୁଗୁଡା :  ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରର ଶୀଷର୍କ "ଦି ପ୍ରିଏମ୍ବଲ୍ ଏଜ୍ ଏ ବିକନ୍ ଅଫ୍ ଡେମୋକ୍ରାଟିକ୍ ଭିଜିଲାନ୍ସ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶରଣକୁଳ କଲେଜ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ଯୋଗଦାନ କରିଥିବାବେଳେ ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ବିନୋଦ କୁମାର କର, ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଗତ ୧୯୭୫ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ତାଙ୍କର ସମସ୍ତ ବିରୋଧୀ ନେତାଙ୍କୁ ୧୯୭୧ର ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ ବଳରେ ବେଆଇନ ଭାବେ ଜେଲରେ ରଖାଯାଇଥିବା,  ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବା ଆଦି ସମସ୍ତ କଥା ଓ ବ୍ୟଥା ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ର ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେଇ ବୁଗୁଡା ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।  ପରେ ସେମାନଙ୍କ ମଧ୍ୟରେ କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମନିଷା ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ପରିଶେଷରେ ଛାତ୍ରୀ ରୂପାଲି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।