ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ବିଜେପି ପକ୍ଷରୁ ସାମ୍ବଦିକ ସମ୍ମିଳନୀ
ହିଞ୍ଜିଳିକାଟୁ: ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ଏକ ପତ୍ରକାର ସମ୍ମିଳନୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଚଣାପଦର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଯୋଗଦେଇ କହିଲେ ଯେ କେନ୍ଦ୍ର ସରକାରଙ୍କ ଫୋକସ୍ରେ ଆମ ରାଜ୍ୟ ଓଡିଶା ରହିଛି । ଓଡିଶାର ସାମଗ୍ରିକ ବିକାଶ, ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଓଡିଶାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ଭିତିଭୂମି, ସଡକ, ରେଳ, ବିମାନ ସେବାର ମାନ ବୃଦ୍ଧି କରାଯାଇ ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧ ପରିକର । ଗରିବ, ଯୁବକ, କୃଷକ ଓ ମହିଳା କଲ୍ୟାଣ ନିମନ୍ତେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଓଡିଶାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ଏକାକି ସରକାର ଗଠନ କରିବା ପରେ ଜାତୀୟ ସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟରେ ଅନୁଷ୍ଠିତ ହୋଇଛି । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ପାଖାପାଖି ପ୍ରାୟ ୬୦ଟି ଦେଶରୁ ପ୍ରବାସୀ ଭାରତୀୟମାନେ ଏଥିରେ ଅତିଥି ଭାବେ ଯୋଗ ଦେବେ । ବସୁଧୈଃବ କୁଟୁମ୍ବକମ୍ ମାର୍ଗରେ ସମଗ୍ର ବିଶ୍ୱ ହେଉଛି ମୋ ପରିବାର ଏହି ବାର୍ତ୍ତାର ମହତ୍ୱ ଓ ଗୁରୁତ୍ୱକୁ ପ୍ରବାସୀଙ୍କ ଜରିଆରେ ସାରା ବିଶ୍ୱରେ ପହଂଚାଇବାର ଅବସର ଆସିଛି । ଏଥିସହ ଓଡିଶାର ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରମ୍ପରାକୁ ବ୍ୟାପକ କରିବାର ଅବସର ଆସିଛି । ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହେବ । ଅନ୍ୟ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟନଙ୍କ ସଂଖ୍ୟା ବୃଦ୍ଧି ପାଇବ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା କାରଣରୁ ଓଡିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ବୃଦ୍ଧି ପାଇବ ବୋଲି କହିଛନ୍ତି । ଏହି ପତ୍ରକାର ସମ୍ମିଳନୀରେ ହିଞ୍ଜିଳି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ମାଧବ ଗୈାଡ, ସନ୍ତୋଷ ପାଣିଗ୍ରାହୀ, ନିଯୁକ୍ତ ହିଞ୍ଜିଳି ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତ, କଞ୍ଚୁରୁ ମଣ୍ଡଳ ସଭାପତି ରବିନ୍ଦ୍ର ପାଣିଗ୍ରାହୀଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।