ମହାଭାରତର ଯୁଦ୍ଧଭୂମି
ମାୟାଧର ନାୟକ : ରକ୍ତକଳଙ୍କିତ କୁରୁକ୍ଷେତ୍ରରେ ସେଦିନର ସେହି ମହାନାଟକମଞ୍ଚ ଯେଉଁ ଅଦ୍ଭୁତ ଯୁଦ୍ଧର ଲୀଳା ପ୍ରଦର୍ଶନ କରିଥିଲା, ସେଥିରେ ଜଣେ ଭୟ ରହିତ ବୀରମନୁଷ୍ୟର ପ୍ରତିପକ୍ଷ ଥିଲେ ଜଣେ ବହୁବିଜ୍ଞପ୍ତ ରକ୍ତମାଂସର ନୀଳଈଶ୍ୱର! ହଁ, ଏମିତି ବି ହୁଏ - ମଣିଷର ବ୍ୟକ୍ତିତ୍ୱ ଆଗରେ ଖସିପଡ଼ିଥାଏ ଈଶ୍ୱରଙ୍କ ଛାୟାଚ୍ଛନ୍ନ ଛଦ୍ମବେଶ! ମହାମହିମ ଈଶ୍ୱର ତାଙ୍କ ଅବତାରବାଦର ମାୟାରୁ ମୁକୁଳିଆସି ଖୋଦ୍ ପାଲଟିଯାଇଥାନ୍ତି ମି୍ରୟମାଣ ମନୁଷ୍ୟଟିଏ ମାତ୍ର - ନିଜ କ୍ରୋଧ, ହିଂସା, ଦ୍ରୋହ, ଦ୍ୱେଷ ଓ ଅସ୍ଥିରତାର ଖିଆଲୀ ଖେଳନା ଖଣ୍ଡେ!
ପି୍ରୟତମ ସଖା କୃଷ୍ଣଙ୍କୁ ପ୍ରତିଜ୍ଞାଭଙ୍ଗର ମହାପରାଧରୁ ରକ୍ଷା କରିବାକୁ ଆଗେଇଆସିଲେ ଅର୍ଜୁନ । କୃଷ୍ଣଙ୍କ ପଦଯୁଗଳକୁ ପ୍ରାଣପଣେ ଜାବୁଡ଼ି ଧରିଲେ । ପ୍ରାର୍ଥନା କଲେ ଏ ନ୍ୟାୟବିରୋଧୀ ଅପକର୍ମରୁ ନିବୃତ୍ତ ରହିବାକୁ । ସଂତ୍ରସ୍ତ ସ୍ୱରରେ ଅନୁନୟ କଲେ - ହେ କେଶବ! ନିଜ ଘୋଷିତ ସଂକଳ୍ପ ଖଣ୍ଡନ କରି ସତ୍ୟଭ୍ରଷ୍ଟ ହୁଅନ୍ତୁ ନାହିଁ, ଏହା ଦ୍ୱାରା ଉତ୍ତରପୁରୁଷବର୍ଗ ଆପଣଙ୍କୁ ଅସତ୍ୟଭାଷୀ ବୋଲି କଳଙ୍କ ରଚନା କରିବେ ନିଶ୍ଚୟ ।
ଅନତିଦୂରରୁ କିନ୍ତୁ ଶୁଭୁଥାଏ ପିତାମହ ଭୀଷ୍ମଙ୍କର ନମ୍ରକୋମଳ ଆବେଦନ - “ହେ ଚକ୍ରପାଣି, ହେ ମାଧବ, ହେ ମାୟାଧର! ଆଉ ବିଳମ୍ବ କାହିଁକି? ଏଇ, ଦେଖ - ମୁଁ ଧନୁକର ଜ୍ୟାକର୍ଷଣରୁ କ୍ଷାନ୍ତ ହେଲି - ଆସ, ଆଗେଇଆସ ଅବିଳମ୍ବେ - ତୁମର ସଂହାରୀ ରୂପକୁ ସହସ୍ର ପ୍ରଣାମ ମୋର - ହେ ସର୍ବଶରଣଦାତା ଜଗନ୍ନିବାସ, ରଥଚୁ୍ୟତ କର ମୋତେ । ତୁମରି ଚକ୍ରାଘାତରେ ମୋର ଦେହାନ୍ତ ହେଲେ ମୁଁ ପରଲୋକରେ ଶ୍ରେୟ ଅର୍ଜନ କରିବି । ମୋତେ ବଧ କରିବା ନିମନ୍ତେ ତୁମେ ଯେ ସ୍ୱୟଂ ଏ ଯୁଦ୍ଧଭୂମିରେ ମୋ ଦିଗକୁ କ୍ଷିପ୍ରଗତିରେ ପ୍ରଧାବିତ ହୋଇଆସିଛ, ଏହି ଦିବ୍ୟ ଦୃଶ୍ୟସମ୍ବଳିତ ଘଟନାଚକ୍ରରେ ହିଁ ମୁଁ ଇହଲୋକରେ ମହତ୍ତମ ମର୍ଯ୍ୟାଦା ପ୍ରାପ୍ତ ହୋଇଛି । ଏହାଠୁ ଅଧିକ କି ମର୍ଯ୍ୟାଦା ମୁଁ ଆଉ ପାଇପାରେ?”
ସମଗ୍ର କୁରୁକ୍ଷେତ୍ର ସ୍ତବ୍ଧ ।
କ୍ଷତବିକ୍ଷତ କ୍ଷତି୍ରୟବର୍ଗ କ୍ଷାନ୍ତ ।
ଅର୍ଜୁନଙ୍କ କରୁଣ କଣ୍ଠସ୍ୱର ଓ ଭୀଷ୍ମଙ୍କ ଅକୁତୋଭୟ ଆବେଦନ ପ୍ରତିଧ୍ୱନିତ ହୋଇ ଆକାଶବତାସକୁ କରୁଥାଏ ଆଶ୍ଚର୍ଯ୍ୟଚକିତ ।
ଉତ୍ତୋଳିତ ଚକ୍ରାୟୁଧକୁ ପ୍ରୟୋଗ ନ କରି କୃଷ୍ଣ ଫେରିଆସିଲେ ଏଥର - ଅର୍ଜୁନଙ୍କ ସହିତ ରଥ ଉପରକୁ - ଉପବିଷ୍ଟ ହେଲେ ନିଜ ସାରଥି ଆସନରେ ପୂର୍ବପରି ।
ମନୁଷ୍ୟ ଯେତେବେଳେ ନିଜ ମନୁଷ୍ୟତ୍ୱର ତୁଙ୍ଗତମ ମହିମାରେ ବିଦ୍ୟମାନ ହୁଏ, ସେତେବେଳେ ସେହି ମହିମାବନ୍ତ ମନୁଷ୍ୟକୁ ସାମ୍ନା ନ କରିପାରି ଅନନ୍ୟୋପାୟ ଈଶ୍ୱରଙ୍କୁ ସୁଦ୍ଧା ଫେରିଆସିବାକୁ ହୋଇଥାଏ ନିଜ ନିର୍ଦ୍ଧାରିତ ଆସନକୁ! ନିଜ ସୃଷ୍ଟିର ଉଚ୍ଚତା ଆଗରେ ସ୍ରଷ୍ଟା ବେଳେବେଳେ ଏମିତି ମାନିନେଇଥାନ୍ତି ନିଜର ତୁଚ୍ଛତା!
ଏହି ମହାନ୍ ସତ୍ୟର ମୂକସାକ୍ଷୀ ଥିଲା ସେଦିନ କୁରୁକ୍ଷେତ୍ର ।
ହଁ, ମୁଁ କୁରୁକ୍ଷେତ୍ର କହୁଛି...
ମହାକାଳର ମୌନତା ମଧ୍ୟରେ ଏଇ ମୁଖର-ମୁହୂର୍ତ୍ତର ଅପେକ୍ଷାରେ ଥିଲି ମୁଁ । ମତେ ଆଜି କହିବାକୁ ପଡ଼ିବ, ସେଇ ମହାନାୟକଙ୍କ ଅପୂର୍ବ ଆତ୍ମୋତ୍ସର୍ଗର କହାଣୀ - କାହାଣୀ ତ ନୁହେଁ କାଳାନ୍ତରର କଥନିକା - ପୁରାଣର ପାତାଳରୁ ଇତିହାସର ଆକାଶ ପର୍ଯ୍ୟନ୍ତ ଯାହା କଳ୍ପକାୟାର ଛାୟାଲୋକ ପରିବ୍ୟାପ୍ତ ହୋଇ ସୂଚାଇ ଦେଉଛି ଏହି ମାନୁଷିକ ମର୍ତ୍ୟର ମାୟାରହିତ ମହତ୍ୱ, ମହାଜୀବନତରଙ୍ଗର ଅତଳତଳ ତତ୍ତ୍ୱ!
ସେ ମହାନାୟକ ଦେବବ୍ରତ ନାମକ ସେଇ ଦୁର୍ବାରତମ ଦିବ୍ୟପୁରୁଷ ଛଡ଼ା ଆଉ କିଏ ହୋଇପାରନ୍ତି? ସେ ଗାଂଗେୟ - ଚିର ଅପରାଜେୟ - ସମଗ୍ର ସଂସାରର ସ୍ୱନାମଧନ୍ୟ ଧନୁର୍ଦ୍ଧରମାନଙ୍କର ପରମ ଧ୍ୟେୟ । ମାତା ଗଂଗାଙ୍କର ଶେଷ ସନ୍ତାନ ସେ, ପିତା ଶାନ୍ତନୁଙ୍କର ପ୍ରାଣାଧିକ ପ୍ରିୟପୁତ୍ର । ଶାନ୍ତନୁଙ୍କ ଜୀବନରୁ ଗଂଗାଙ୍କର ନିଷ୍କା୍ରନ୍ତି ପରେ ସତ୍ୟବତୀଙ୍କୁ ନେଇ ପିତାଙ୍କର ପୁନର୍ଦାମ୍ପତ୍ୟ-ଜୀବନଯାପନର ଆକୁଳ ଅଭୀପ୍ସାକୁ ସାକାର କରାଇପାରିଥିଲେ ସେଦିନ ଏହି ଯୁଗଜୟୀ ଯୁବରାଜ ଦେବବ୍ରତ । ମାତ୍ର ଏଥି ନିମନ୍ତେ ସତ୍ୟବତୀଙ୍କ ପାଳକ ପିତା ବୃଦ୍ଧ ଧୀବରରାଜଙ୍କ ସର୍ତ୍ତ ପାଳନ କରିବାକୁ ବଚନବଦ୍ଧ ହୋଇଥିଲେ ସେ । ସେ ସର୍ତ୍ତ ଥିଲା ମାତ୍ରାତିରିକ୍ତ ଭାବରେ କଠିନ, କଠୋର, କଳନାତୀତ! ସେଥିରେ ଚିରକାଳ ନିଜ ନ୍ୟାଯ୍ୟ ଉତ୍ତରାଧିକାରର ପ୍ରଲୋଭନମୁକ୍ତ ପ୍ରତ୍ୟାଖ୍ୟାନ ଥିଲା ଗୋଟିଏ ପଟେ ତ, ତାଙ୍କ ସ୍ୱକୀୟ ସୁଖ-ସଂଭୋଗ-ସ୍ୱପ୍ନ-ସଂଭାବନାମୟ ସାଂସାରିକତାର ଚିରବିସର୍ଜନ ଥିଲା ଆଉଗୋଟିଏ ପଟେ!
ବୃଦ୍ଧ ଧୀରବରାଜ ନିଜ ପରମସୁଂଦରୀ ପାଳିତାକନ୍ୟା ସତ୍ୟବତୀର ସଫଳତମ ଭବିଷ୍ୟତ ଦାବି କରି ତାକୁ ଶାନ୍ତନୁଙ୍କ ପତ୍ନୀ ହେବାକୁ ସମ୍ମତ ହୋଇଥିଲେ - ଉପର୍ଯୁ୍ୟକ୍ତ ଏଇ ଗୋଟିଏ ସର୍ତ୍ତରେ । ପିତା ଶାନ୍ତନୁଙ୍କ ପାଇଁ ହସିହସି ସେ ସର୍ତ୍ତକୁ କିନ୍ତୁ ସତ୍ୟରେ ପରିଣତ କରିଥିଲେ ଦେବବ୍ରତ । ମାତ୍ର ଧୀବରରାଜ ସେଦିନ ଶତପ୍ରତିଶତ ସଂଶୟମୁକ୍ତ ହୋଇପାରିନଥିଲେ । ଦେବବ୍ରତଙ୍କଠାରୁ ସବୁ କଥା ସେ ପକ୍କା କରାଇନେବାକୁ ଚାହୁଥିଲେ - ଶାନ୍ତନୁଙ୍କ ହାତରେ ସତ୍ୟବତୀଙ୍କ ହାତ ଛନ୍ଦିଦେବା ପୂର୍ବରୁ ।
ହଁ, ଦେବବ୍ରତଙ୍କ ଆଗରେ ତାଙ୍କ ପିତାଙ୍କ ସୁଖୀ ଦାମ୍ପତ୍ୟଜୀବନ ନିମନ୍ତେ ସତ୍ୟବତୀଙ୍କ ପ୍ରସଙ୍ଗ ଉତ୍ଥାପନ କରିବା ପରେ ବୃଦ୍ଧ ଧୀବରରାଜ ଦେବବ୍ରତଙ୍କୁ କହିଥିଲେ - “ଯଦି ମୋର କନ୍ୟାର ସନ୍ତାନ ରାଜସିଂହାସନ ପ୍ରାପ୍ତ ହୁଏ, ତେବେ ମହାରାଜା ଶାନ୍ତନୁଙ୍କୁ ମୋର କନ୍ୟାକୁ ପତ୍ନୀ ରୂପେ ସମର୍ପଣ କରିବାରେ ମୋ ପକ୍ଷରୁ କୌଣସି ଆପତ୍ତି ନାହିଁ ।”
ଦେବବ୍ରତ ଉତ୍ତର ଦେଇଥିଲେ - “ତାହା ହିଁ ହେବ ମହାଭାଗ! ମାତା ସତ୍ୟବତୀଙ୍କ ସନ୍ତାନ ହିଁ ଆରୋହଣ କରିବ କୁରୁରାଜଗାଦି ।”
ବୃଦ୍ଧ ଧୀବରରାଜ କିନ୍ତୁ ଏତିକିରେ ତୁଷ୍ଟ ହୋଇପାରି ନ ଥିଲେ । ଶଙ୍କିତ, ସଂଦିଗ୍ଧ ଚିତ୍ତରେ ସେ ଦେବବ୍ରତଙ୍କୁ ଦୃଷ୍ଟିପାତ କଲେ ।
- ପୁଣି କ’ଣ ହେଲା?
- ନା, ଦେବବ୍ରତ, ମୁଁ ସଂପୂର୍ଣ୍ଣ ଆଶ୍ୱସ୍ତ ନୁହେଁ । ତୁମେ ମହାରାଜ ଶାନ୍ତନୁଙ୍କ ଶାନ୍ତି ପାଇଁ ଗୋପନରେ ଆସି ମୋତେ ସାକ୍ଷାତ କରିଛ । ମୋ ସର୍ତ୍ତ ମାନିନେଉଛ । ମାତ୍ର ତୁମର ପିତା ତୁମେ ମତେ ଦେଉଥିବା ବଚନକୁ ଯଦି ସତ୍ୟବତୀକୁ ପାଇବା ପରେ ଅଗ୍ରାହ୍ୟ କରନ୍ତି? କାରଣ ମୁଁ ଶୁଣିଛି, ସେ କୁଆଡ଼େ ତୁମକୁ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି । ତୁମେ ତାଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ । ତୁମକୁ ସିଂହାସନଲାଭର ସୌଭାଗ୍ୟରୁ ବଂଚିତ କରାଇବାକୁ କିଂଚିତ୍ ମାତ୍ରାରେ ସୁଦ୍ଧା ସେ ଚାହିବେ କିପରି? ବରଂ ଏ କଥା ଜାଣିବା ପରେ ମୋର କନ୍ୟାକୁ ସେ ସେଇ ସିଂହଦ୍ୱାରରୁ ହିଁ ଫେରାଇଦେବେ । ନା, ଏ ସଂଶୟରୁ ମୁଁ ମୁକୁଳିପାରିବା ଅସମ୍ଭବ ।
- ମହାଶୟ, ଆପଣଙ୍କୁ ଆଉଥରେ ବଚନ ଦେଉଛି, ମୋର ପିତାଙ୍କୁ ମୁଁ ଏଥିନିମନ୍ତେ ସତ୍ୟ କରାଇନେବି । ସେ ଦାୟିତ୍ୱ ମୋର । ଆପଣ ଦୁଶ୍ଚିନ୍ତାମୁକ୍ତ ହୁଅନ୍ତୁ ଏଥର । ହେଲା ତ!
- ନା ।
- ନା?
- ହଁ, ଗୋଟିକ ପରେ ଗୋଟିଏ ସଂଶୟକୁ ନେଇ ଜାତ ହେଉଥିବା ଦୁଶ୍ଚିନ୍ତାରୁ ମୁଁ ଏତେ ଶୀଘ୍ର ମୁକୁଳିପାରିବି କିପରି?
- ଆପଣ ମତେ ମନ ଖୋଲି ସଂକୋଚମୁକ୍ତ ହୋଇ ଶେଷତମ ସଂଶୟ ସଂପର୍କରେ ମଧ୍ୟ ଅବଗତ କରାନ୍ତୁ । ମୁଁ ପ୍ରାଣଦାନ କରି ସୁଦ୍ଧା ଆପଣଙ୍କର ସମସ୍ତ ସର୍ତ୍ତ ପାଳନ କରିବି ।
- ନା, ଦେବବ୍ରତ! ତୁମେ ସତ୍ୟସନ୍ଧ ଶ୍ରେଷ୍ଠ କ୍ଷତି୍ରୟ । ତୁମର ପ୍ରାଣଦାନରେ ମୋର ପ୍ରୟୋଜନ ନାହିଁ । ମୋର କେବଳ ଆଶଙ୍କା... - ଆଶଙ୍କା - ହଁ । ତୁମେ ସ୍ୱୟଂ ସିନା ଆମରଣ ସତ୍ୟବଦ୍ଧ ରହିବ, ତୁମର ପିତାଙ୍କୁ ବାଧ୍ୟ କରି ସମ୍ମତ କରାଇପାରିବ, ମାତ୍ର ତୁମେ ବିବାହ କରିବା ପରେ ତୁମର ଜନ୍ମିତ ସନ୍ତାନମାନେ ସତ୍ୟବତୀର ପୁତ୍ର ବିରୋଧରେ ଅନାଗତ ଭବିଷ୍ୟତରେ ବିଦ୍ରୋହର ଅସ୍ତ୍ର ଉତ୍ତୋଳନ ନ କରିବେ କାହିଁକି? ତୁମେ ଯେପରି ଏ ସଂସାରର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର, ତୁମର ସନ୍ତାନମାନେ ତୁମର ସାମର୍ଥ୍ୟ ସହିତ ସମତାଳ ଦେଇ ଜଣେ ଜଣେ ମହାକ୍ଷତି୍ରୟ ହେବା ସ୍ୱାଭାବିକ ନୁହେଁ କି?
- ଓଃ, ଏଇ ଆଶଙ୍କା? ବର୍ତ୍ତମାନ ମୁଁ ତି୍ରବାର ସତ୍ୟ କରୁଛି, ମୁଁ ଭବିଷ୍ୟତରେ ମଧ୍ୟ କଦାପି କୌଣସି କନ୍ୟାର ପାଣିପ୍ରାର୍ଥୀ ହେବି ନାହିଁ । ଆମରଣ ପାଳନ କରିବି ବ୍ରହ୍ମଚର୍ଯ୍ୟ... ଚିରକୌମାର୍ଯ୍ୟ ବ୍ରତ । ଆପଣଙ୍କ ସମ୍ମୁଖରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି ପଣ କରୁଛି ଯେ ଆଜୀବନ ମୁଁ ମାତା ସତ୍ୟବତୀଙ୍କର କୌଣସି କଥା ତିଳାର୍ଦ୍ଧ ତଳେ ପକାଇଦେବି ନାହିଁ ଏବଂ କୁରୁବଂଶର ସପକ୍ଷରେ ମୋର ସମଗ୍ର ଜୀବନକୁ ଗୋଟିଏ ଯୁଗାନ୍ତକାରୀ ଯୁଦ୍ଧଘୋଷଣା ପରି ଶେଷମୁହୂର୍ତ ପର୍ଯ୍ୟନ୍ତ ବିବେଚନା କରୁଥିବି । ସତ୍ୟ । ସତ୍ୟ । ସତ୍ୟ ।
ଗଗନମଣ୍ଡଳରୁ ପୁଷ୍ପବୃଷ୍ଟି ହେଲା । ପବନରେ ପ୍ରବାହିତ ହେଲା ଦେବଦୁନ୍ଦୁଭିର ଦିବ୍ୟଧ୍ୱନି । ସ୍ୱର୍ଗମର୍ତ୍ତ୍ୟପାତାଳ ସର୍ବତ୍ର ପ୍ରତିଧ୍ୱନିତ ହୋଇଉଠିଲା ଗୋଟିଏ ମାତ୍ର ଶବ୍ଦ - ଭୀଷ୍ମ...ଭୀଷ୍ମ...ଭୀଷ୍ମ...
ହଁ, ତରୁଣ ଦେବବ୍ରତଙ୍କର ଏ ବଜ୍ରାଦପି କଠୋର-କଠିନ ପ୍ରତିଜ୍ଞା ଥିଲା ଭୀଷ୍ମପ୍ରତିଜ୍ଞା । ସେଇ ମୁହୂର୍ତ୍ତରୁ ପୈତୃକ ଦେବବ୍ରତ ନାମ ବଦଳରେ ଭୀଷ୍ମ ସୁନାମରେ ହିଁ ସାରା ସଂସାର ସାମ୍ନାରେ ସୁପରିଚିତ ହୋଇଉଠିଲେ ସେ ।
ଭୀଷ୍ମ ।
ପିତାମହ ଭୀଷ୍ମ ।
କେବଳ କୌରବ ଓ ପାଣ୍ଡବମାନଙ୍କର କାହିଁକି, ଏ ସମଗ୍ର ଭାରତୀୟ ମହାଜାତିର ସେ ଚିରପ୍ରଣମ୍ୟ ପିତାମହ ରୂପେ ପ୍ରକୀର୍ତ୍ତିତ ।
ସେଦିନ କିନ୍ତୁ ଦେବବ୍ରତରୁ ଭୀଷ୍ମ ହୋଇଉଠିବାର ସେଇ ବିସ୍ମୟକର ଲଗ୍ନ ଲୋତକାପ୍ଳୁତ କରିଦେଇଥିଲା ମର୍ମପୀଡ଼ିତ ପିତା ଶାନ୍ତନୁଙ୍କ ଚର୍ମଚକ୍ଷୁଯୁଗଳ - ଏପରିକି ବିମାତା ସତ୍ୟବତୀଙ୍କୁ ବି କରିଦେଇଥିଲା ଅଶ୍ରୁସଜଳ...
ଏବଂ ସେଦିନ ନଦୀମାତା ଗଂଗା ସ୍ୱୟଂ ଯେପରି ପାଲଟିଯାଇଥିଲେ ହୃଦୟଭେଦୀ ହାହାକାରର ଗୋଟିଏ ଗୈରିକ ଗାୟତ୍ରୀ ... ନିର୍ଜନତମ ଦୀର୍ଘନିଃଶ୍ୱାସର ନୀଳଫେନିଳ ଦ୍ରୁତ ଧ୍ରୁବପଦୀ ... ଶୁଭ୍ର ଶୋକୋଚ୍ଛ୍ୱାସର ସଂଗୁପ୍ତ ସ୍ୱର୍ଣ୍ଣଦୀ!
ଯେଉଁ ଆଶ୍ଚର୍ଯ୍ୟଚକିତ ଚରାଚର ସେଦିନ ଦେବବ୍ରତଙ୍କ ଭୀଷ୍ମରୂପ ଦର୍ଶନ କରିଥିଲା, ସେଇ ସ୍ତବ୍ଧସଂସାର ବି ସାକ୍ଷୀ ହୋଇଥିଲା ଆଉ ଏକ ମହାଜାଗତିକ ମନ୍ତ୍ରଶକ୍ତିର ।
ଭୀଷ୍ମ ହୋଇଥିଲେ ଆଶୀର୍ବାଦପ୍ରାପ୍ତ ।(କ୍ରମଶଃ)
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩