ମହୁଚାଷ ପ୍ରଶିକ୍ଷଣ ଶିବିର
ବାରଙ୍ଗ : ନରାଜ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଣ୍ଡଳୀ ଠାରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆରଏଫ) କର୍ମୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦିନିକିଆ ମହୁଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏନ୍ଡିଆରଏଫ କର୍ମୀଙ୍କ ଆୟ ବୃଦ୍ଧି ଓ ଜୀବନଧାରଣମାନ ଉନ୍ନତିରେ ଏହା ସହାୟକ ହେବ । ପ୍ରଶିକ୍ଷଣରେ ମହୁ ଚାଷର ଯନô, କଲୋନୀ ପରିଚାଳନା ଏବଂ ଫୁଲର ପରାଗସଙ୍ଗମରେ ମହୁମାଛିଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା । କୃଷି ବିଭାଗ ଅନ୍ତର୍ଗତ କୀଟବିଜ୍ଞାନର ସହାୟିକା ଅଧ୍ୟାପିକା ଡ. ସୀମା ତ୍ରିପାଠୀ, ଡ. ସୌମ୍ୟଭାରତୀ ବାବୁ, ଏବଂ ଡ. ରୀତେଶ ମିଶ୍ର ପ୍ରମୁଖ ମହୁଚାଷର ଗୁରୁତ୍ୱ ଓ ତତ୍ସମ୍ବନ୍ଧୀୟ ବ୍ୟାବହାରିକ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମହୁ ଚାଷୀ ଦିଲ୍ଲୀପ ସାହୁ କିଭଳି ମହୁଚାଷ କରାଯାଉଛି, ତାହାର ବାସ୍ତବ ପ୍ରଦର୍ଶନ କରି ଦେଖାଇଥିଲେ । ପ୍ରୟୋଗଶାଳା ସହାୟିକା ନମ୍ରତା ଗଜେନ୍ଦ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସହାୟତା କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ଡିନ୍ ପ୍ରାଧ୍ୟାପକ ଡ.ଏସ୍.କୁମାରସ୍ୱାମୀ ଏନଡିଆରଏଫ୍ କର୍ମୀମାନଙ୍କ ଜୀବିକାକୁ ସମୃଦ୍ଧ କରିବା ଦିଗରେ ଉଦ୍ଦିଷ୍ଟ ଏହି ପଦକ୍ଷେପ ପ୍ରକୃତରେ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରେସିଡେଣ୍ଟ ପ୍ରୋ. ରଜିତା କୁଲକର୍ଣ୍ଣୀ, କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ, କୁଳପତି ପ୍ରୋ. ତେଜପ୍ରତାପ, କାର୍ଯ୍ୟନିର୍ବାହୀ କୁଳସଚିବ ଡ. ଅନିଲ ଶର୍ମା, ଉପନିଦେ୍ର୍ଦଶକ (ମାନବ ସମ୍ୱଳ) ଜ୍ୟୋତିରଞ୍ଜନ ଗଡ଼ନାୟକ ଏବଂ ଉପନିଦେ୍ର୍ଦଶକ (ଆଡମିଶନ୍) ଡ. ମଳୟ ମଲ୍ଲ ପ୍ରମୁଖ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।