ନାଉଗାଁକୁ ଏନ୍ଏସି ଘୋଷଣା ଦାବି
ନାଉଗାଁ: ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକର ମୁଖ୍ୟ ଓ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ନାଉଗାଁ ବଜାର । ଏହା ସଦାସର୍ବଦା ଚଳଚଞ୍ଚଳ ରହି ସହରୀ ଶୈଳୀରେ ଦୃତଗତିରେ ବିକାଶ ହେଉଛି । ନାଉଗାଁ ପଞ୍ଚାୟତ ଏବଂ ଘୋଡ଼ାଂଶ ଗ୍ରାମ ପଞ୍ଚାୟତରେ ମିଶିଥିବା ପ୍ରାୟ ୧୫ ହଜାରରୁ ଅଧିକ ଜନସଂଖ୍ୟା ନିର୍ଭର କରୁଥିବା ଏହି ବଜାର ଅଞ୍ଚଳରେ ବର୍ତ୍ତମାନ ସହରି ଢାଞ୍ଚା ଦିନକୁଦିନ ବୃଦ୍ଧି ପାଉଛି । ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ପରିବହନ ଭଳି ପ୍ରତ୍ୟେକ କ୍ଷେତ୍ରରେ ନାଉଗାଁରେ ବ୍ୟାପକ ପ୍ରଗତି ହୋଇଥିବାରୁ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପାଇଁ ବିଭିନ୍ନ ମହଳରୁ ଦାବି ଉଠିଛି । ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ, ସାମାଜିକ କର୍ମୀ ଏବଂ ରାଜନୀତିକ ବ୍ୟକ୍ତିବର୍ଗ କହିଛନ୍ତି ନାଉଗାଁ ବଜାରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରାଗଲେ, ଅଞ୍ଚଳର ଯୋଗ୍ୟ ସହରି ଉନ୍ନତି ସମ୍ଭବ ହେବ । ପ୍ରାଥମିକ ସୁବିଧା, ସ୍ୱଚ୍ଛତା, ପାନୀୟଜଳ, ରାସ୍ତାଘାଟ, ବଜାର ହାଟ, ଅନ୍ୟାନ୍ୟ ସାର୍ବଜନିନ ସୁବିଧାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ଏକ ସାମୁହିକ ବିବୃତ୍ତିରେ ପୂର୍ବତନ ବିଧାୟକ ଜ୍ୟୋତିଷଚନ୍ଦ୍ର ଦାସ ଆଡଭୋକେଟ ସୁରେଶ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ସୌମ୍ୟା ସଞ୍ଜୀବ ଦାସ, ଛାତ୍ରନେତା କ୍ରୀଷ୍ଣାନନ୍ଦ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିନୋଦ ବେହୁରା, ଅବସରପ୍ରାପ୍ତ ପୋଲିସ ଅଫିସର ସାରଦା ପ୍ରସାଦ ମୁଦୁଲି, ବିଷ୍ଣୁ ଚରଣ ଦାସ, ଯୁବନେତା ଶାଶ୍ୱତ ରଞ୍ଜନ ନାୟକ ଆଦି ଅନେକ ପ୍ରମୁଖ ବୁଦ୍ଧିଜୀବୀ ନାଉଗାଁର ଅଧିକାର ସୁନିଶ୍ଚିତ କରିବାକୁ ସରକାରଙ୍କୁ ଦାବି କରିଛନ୍ତି ।