ମାଫିଆଙ୍କ କବ୍ଜାରେ ଜଙ୍ଗଲଜମି : ମେଳିବାନ୍ଧିଲେ ୧୩ଟି ପଞ୍ଚାୟତବାସୀ, ଆନେ୍ଦାଳନ ଚେତାବନୀ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ଫରେଷ୍ଟ ସେକ୍ସନ୍ ଅଧିନ ନୟାକାଟେଣୀ (ନୂଆକାଟେଣୀ)ରେ ଜଙ୍ଗଲ ଜମିକୁ ଜବରଦଖଲ କରିବାକୁ ବସିଛନ୍ତି ମାଫିଆ । ଅଭିଯୋଗ କଲେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଭିତିରିଆ ମାଫିଆଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ମାଫିଆ ଜଙ୍ଗଲରେ ଲାଗିଥିବା ଛୋଟ ବଡ଼ ବହୁ ଦୁର୍ମୁଲ୍ୟ ଗଛକୁ କାଟିବାକୁ ପ୍ରୟାସ ଚଳାଇଛନ୍ତି । ଏହାଦ୍ୱାରା ପୁରୁଷାନୁକ୍ରମେ ଦୀର୍ଘ ୪୦ ବର୍ଷ ହେବ ସୁରକ୍ଷା ଦେଇଆସୁଥିବା ସବୁଜିମା ଜଙ୍ଗଲ ଏବେ ମାଫିଆମାନଙ୍କ କବ୍ଜାକୁ ଯିବାକୁ ବସିଛି । ଏହାର ପ୍ରତିବାଦରେ ବାଇଁଶିଆ ଓ ରାଇତଳା ପଞ୍ଚାୟତର ବନସୁରକ୍ଷା ସମିତି ଅଧୀନରେ ଥିବା ୧୩ଟି ପଞ୍ଚାୟତର ଅଧିବାସୀ ମେଳି ବାନ୍ଧିଛନ୍ତି । ବାଇଁଶିଆ ପଞ୍ଚାୟତ ଆମ୍ବବାହାଳିରେ ଥିବା ଭିଏସଏସ ଗୃହ ସମୁଖରେ ମହାସମାବେଶ ଆୟୋଜନ କରି ପ୍ରଶାସନ ବନବିଭାଗକୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ନଚେତ୍ ଆାନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗଁଦିଆ ବ୍ଲକ୍ ବାଇଁଶିଆ ଓ ରାଇତଳା ପଞ୍ଚାୟତର ୧୩ଟି ଗ୍ରାମର ଅଧିବାସୀ ୧୯୮୪ରେ କିଛି ପତିତ, ଅନାବାଦୀ, ଗୋଚର ଜମିକୁ ଏକତ୍ର କରି ଜଗାରଖା କରିବା ସହିତ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ । ପରେ ୧୯୯୬ ମସିହାରେ ସରକାର ଏହି ୧୩ ଟି ଗାଁକୁ ନେଇ ବନ ସୁରକ୍ଷା ସମିତି ବା ଭିଏସଏସ କରିଥିଲେ । ସେହିଦିନ ଠାରୁ ସମସ୍ତେ ଏକମନ ହୋଇ ଶାଳ ସମେତ ବିଭିନ୍ନ ମୂଲ୍ୟବାନ ବୃକ୍ଷ ସମେତ ବହୁ ଜଙ୍ଗଲ ଜୀବଜନ୍ତୁରେ ପୁରିଥିବା ଜଙ୍ଗଲକୁ ଜଗାରଖା କରିଆସୁଛନ୍ତି । ପ୍ରାୟ ୭୦୦ ଏକର ଜଙ୍ଗଲଜମିରେ ବିଭିନ୍ନ ବୃକ୍ଷଲତା ଶୋଭା ପାଉଛି । ୨୦୨୩-୨୪ରେ ବନବିଭାଗ ଏହି ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ବନୀକରଣ କରିଛି । ଉକ୍ତ ଜଙ୍ଗଲରେ ଗୋଟିଏ ସଭାଗୃହ ଓ ଫରେଷ୍ଟବିଟ୍ ତିଆରି ହୋଇଛି । ଜଣେ ବନରକ୍ଷକ ନିଯୁକ୍ତ ହୋଇଛନ୍ତି । ଗତ ବର୍ଷ କଟକ ଅଡ଼ଶପୁର ଅଞ୍ଚଳର ପ୍ରସନ୍ନ ମିଶ୍ର ନାମକ ଜନୈକ ବ୍ୟକ୍ତି ଉକ୍ତ ଜଙ୍ଗଲ ଜମିକୁ ଜବରଦଖଲ କରିବାକୁ ଉଦ୍ୟମ କରି ସଫାସୁତୁରା କରିଥିଲେ । ଏ ନେଇ ଗ୍ରାମବାସୀ ଡିଏଫ୍ଓଙ୍କୁ ଅବଗତ କରାଇବା ପରେ ତତ୍କାଳୀନ ଫରେଷ୍ଟର ଉକ୍ତ ବ୍ୟକ୍ତିଙ୍କୁ ଏଥିରୁ ବିରତ ରହିବାକୁ ତାଗିଦ୍ କରିଥିଲେ । ମାତ୍ର ବ୍ୟକ୍ତି ଜଣକ ପରବର୍ତ୍ତୀ ସମୟରେ ଗଁଦିଆ ତହସିଲ୍, ଷଡ଼ଙ୍ଗୀ ବନାଞ୍ଚଳ ଅଧିକାରୀଙ୍କୁ ପ୍ରଲୋଭିତ କରି ଭିଏସ୍ଏସ୍ ଅଜାଣତରେ ଜାଗାଚିହ୍ନଟ ହାତେଇଥିବା ଜଣାପଡିଥିଲା । ଗତ ୧ ତାରିଖ ଲଗାଣ ଲଘୁଚାପ ବର୍ଷା ସମୟରେ ସେହି ବ୍ୟକ୍ତି ଜଣକ ୪୦ରୁ ୫୦ ଲୋକ ଲଗାଇ ରାସ୍ତାକୁ ଲାଗି ପ୍ରାୟ ୧୦ ଏକର ଜଙ୍ଗଲକୁ ସଫା କରି ତା ମଧ୍ୟରେ ଥିବା ଶାଳ, କରଣ, ଖୁକୁଣ୍ଡିଆ ଗଛକାଟି ଦେଇଛନ୍ତି । ଏହାର ୪ ଦିନ ପରେ ଗ୍ରାମବାସୀ ଜାଣି ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ଫରେଷ୍ଟରଙ୍କୁ ଏ ନେଇ ଅବଗତ କରାଇଥିଲେ । କୌଣସି ମତେ ଜଙ୍ଗଲଜମି ଅକ୍ତିଆର କରିବେ ବୋଲି ବ୍ୟକ୍ତି ଜଣକ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି । ଉକ୍ତ ବ୍ୟକ୍ତିଜଣକ ଜଙ୍ଗଲ ନିକଟରେ ଏକ ଫାର୍ମହାଉସ୍ କରି ଚୋରା ବନ୍ଧୁକ ରଖିବା ସହ ଜନ୍ତୁଶିକାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ରାସାୟନିକ ଔଷଧ ପ୍ରୟୋଗ କରି ଜଙ୍ଗଲରେ ରହିଥିବା ପୁରୁଣା ଶାଳ ବୃକ୍ଷଗୁଡ଼ିକୁ ମାରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ମଧ୍ୟ ଗ୍ରାମବାସୀ ମାନେ ମଧ୍ୟ କହିଛନ୍ତି । ଏହା ପ୍ରତିବାଦରେ ସୋମବାର ଦିନ ବାଇଁଷିଆ ପଂଚାୟତ ଆମ୍ବବାହାଳୀ ଠାରେ ବଇଁଶିଆ, ଆମ୍ଭବହାଳି, କଙ୍କା, ବଲ୍ଲଭ, ବଜୁରିଆ, ଚୁଡାଖିଆ, କାଠପାଳ, ବାଲିଯୋରନ୍ଦା, ରାଏପୁରା ଆଦି ୧୩ଟି ଗ୍ରାମର ଲୋକେ ଏକାଠି ହୋଇ ପ୍ରତିବାଦ କରିଥିଲେ । ବନବିଭାଗ ଓ ଜିଲା ପ୍ରଶାସନ ଯଦି ଗ୍ରାମବାସୀଙ୍କ ସମସ୍ୟା ସମାଧାନ ନ କରନ୍ତି ତେବେ ମୁଖ୍ୟମନ୍ତୀ, ଜଙ୍ଗଲ ଓ ପରିବେଶମନ୍ତ୍ରୀ, ପିସିସିଏଫଙ୍କୁ ସେମାନେ ଭେଟିବେ ବୋଲି ଚେତାବତୀ ଦେଇଛନ୍ତି । ଏହାପରେ ବି ସମାଧାନ ନହେଲେ ରାଜରାସ୍ତାରେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଯୋରନ୍ଦା ଫରେଷ୍ଟର ଗଦାଧର ସାହୁ ପ୍ରତିବାଦସ୍ଥଳରେ ପହଞ୍ଚି ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହି କେବଳ ପ୍ରତିଶ୍ରୁତି ଦେଇ ଫେରିଆସିଥିଲେ । ଜଙ୍ଗଲ ଉଜାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ କୌଣସି ଉତ୍ତର ରଖି ନଥିଲେ । ପ୍ରତିବାଦ ବୈଠକରେ ବାଇଁଶିଆ ବନ ସୁରକ୍ଷା ସମିତି ସଭାପତି ଅଭିରାମ ପଣ୍ଡା, ବାଇଁଶିଆର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପଣ୍ଡା, ରାଜେନ୍ଦ୍ରମୋହନ ପତି, ରବିନ୍ଦ୍ର ତରାଇ, ପ୍ରସନ୍ନ ନାଏକ, ଶିବ ବେହେରା, ନିରଞ୍ଜନ ପ୍ରଧାନ, ଅମିନ ଦେହୁରୀ, ଦୁର୍ଗାଚରଣ ନାଏକ, ପ୍ରସନ୍ନ ସାମଲ, ଟଙ୍କଧର ତରାଇ, ଗୋବିନ୍ଦଚନ୍ଦ୍ର ସ୍ୱାଇଁ, ଅଭୟକୁମାର ପାଣିଙ୍କ ସମେତ ୫୦୦ରୁ ଅଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।