ମାହୋଲରେ କଂଗ୍ରେସ, ସମୀକରଣରେ ବିଜେପି, ରଣନୀତିରେ ବିଜେଡ଼ି
ନୂଆପଡ଼ା : ନୂଆପଡ଼ାରେ ତିନି ପ୍ରମୁଖ ଦଳ ମଧ୍ୟରେ ହିଁ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ତେବେ ପ୍ରାର୍ଥୀତ୍ୱକୁ ଅନୁଶୀଳନ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କର ହିଁ ଅଧିକ ପକେଟ ଭୋଟ୍ ରହିଛି । ସ୍ନେହାଙ୍ଗିନୀ ସ୍ଥାନୀୟ ଅଞ୍ଚଳର ହୋଇନଥିବାରୁ ତାଙ୍କ ପକେଟ୍ ଭୋଟ ନାହିଁ କହିଲେ ଚଳିବ । ଜୟ ଢୋଲକିଆଙ୍କର ଅବଶ୍ୟ ଉତ୍ତରାଧିକାରୀ ସୂତ୍ରରେ ଚାରି ପାଞ୍ଚ ହଜାର ପକେଟ୍ ଭୋଟ୍ ରହିଛି । ହେଲେ ଘାସିରାମଙ୍କର ୨୫/୩୦ ହଜାର ପକେଟ୍ ଭୋଟ ରହିଥିବାରୁ ତାଙ୍କର ପ୍ରଚାରରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଅନ୍ୟ ଦଳର ଆଗଧାଡ଼ିର କର୍ମୀଙ୍କ ବ୍ୟତୀତ ସାଧାରଣ ଲୋକଙ୍କର ମନରେ ସେଭଳି ଯୋଶ୍ ନାହିଁ । ତେଣୁ ଘାସିରାମ ଓ କଂଗ୍ରେସ ସପକ୍ଷରେ ଏକ ମାହୋଲ୍ ରହିଛି କହିଲେ ଭୁଲ୍ ହେବନାହିଁ ।
ସେପଟେ ଉପନିର୍ବାଚନ ସାଧାରଣତଃ ଶାସକ ଦଳ ସପକ୍ଷରେ ଯାଇଥାଏ । ସାଂଗଠନିକ ବଳ, ପ୍ରଶାସନିକ କଳ ବି ବିଜେପି ସହିତ ରହିଛି । ଜନମତ ମଧ୍ୟ ଶାସକ ଦଳ ପ୍ରତି ଢଳିବାର ଅନେକ ନଜିର ଅଛି । ବସନ୍ତ ପଣ୍ଡା ଓ ଯଦୁମଣି ପାଣିଗ୍ରାହୀଙ୍କ ଭଳି ଟାଣୁଆ୍ ନେତାମାନେ ବିଦ୍ରୋହ ନକରି ଦଳ ସହ ଚଟାଣ ଭାବେ ଠିଆ ହୋଇଛନ୍ତି । ତେଣୁ ଭୋଟ୍ ସମୀକରଣରେ ବିଜେପି ଆଗରେ ରହିଛି ।
ଅପରପକ୍ଷରେ ନିର୍ବାଚନୀ ରଣନୀତିରେ ବିଜେଡ଼ି ମାହିର । ଏକଥା ସମସ୍ତେ ଜାଣନ୍ତି । ପ୍ରଥମେ ବିଜେପି ଜୟଙ୍କୁ ଛଡ଼ାଇ ନେବା ପରେ ବିଜେଡ଼ି ବ୍ୟାକଫୁଟକୁ ଚାଲି ଯାଇଥିଲା । ସେପଟେ ବିଜେପି ଓ କଂଗ୍ରେସ ଉଭୟ ଦଳ ବିଜେଡ଼ି ତୃତୀୟ ସ୍ଥାନରେ ରହିବ ବୋଲି ପ୍ରଚାର କଲେ । ତେବେ ସ୍ନେହାଙ୍ଗିନୀଙ୍କ ନାମାଙ୍କନ ଶୋଭାଯାତ୍ରା ପରେ ବିଜେଡ଼ିକୁ ଆଉ କେହି ହାଲକାରେ ନେଉନାହାନ୍ତି । ଦଳର ସବୁ ଟାଣୁଆ ନେତାମାନେ ଏବେ ପଞ୍ଚାୟତରେ ପଇଁତରା ମାରୁଛନ୍ତି । ଗାଏମୋଟ୍ ଦେଖିଲେ ବିଜେଡ଼ି ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନ ଲଢୁଛି ।
- ଭୋଟର ନିରବ, ଚିନ୍ତାରେ ତିନି ଦଳ
- ନାହିଁ ପୋଷ୍ଟର ଓ ବ୍ୟାନର ୱାର
ନୂଆପଡ଼ାରୁ ରାମଚଣ୍ଡୀ ପ୍ରସାଦ ରଣସିଂହ ଓ ପରମେଶ୍ୱର ବାରିକ : ସକାଳ ୯ଟା । ଖରିଆର ରୋଡ଼ ଷ୍ଟେସନରୁ ନୂଆପଡ଼ା ପ୍ରତିନିଧି ପରମେଶ୍ୱର ବାରିକଙ୍କ ସହ ବାହାରିପଡ଼ିଲୁ ନିର୍ବାଚନୀ ପାରଦ ମାପିବାକୁ । ଭାବିଥିଲୁ, ଚାରିଆଡେ଼ ଛାଇ ହୋଇ ଯାଇଥିବ ପୋଷ୍ଟର ଓ ବ୍ୟାନର । ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଲମ୍ବି ଯାଇଥିବ ଦଳୀୟ ପତାକାର ମାଳ । ପାର୍ଟି ଅଫିସରେ ଜମୁଥିବ ଆସର । ଛକରେ, ବଜାରରେ ସବୁଠି ଉପନିର୍ବାଚନକୁ ନେଇ ଚର୍ଚ୍ଚା ହେଉଥିବ । କିନ୍ତୁ ଚାରି ପାଞ୍ଚ କିଲୋମିଟର ଯିବା ପରେ ବି ସେମିତି କିଛି ଦେଖିବାକୁ ମିଳିନଥିଲା । ସବୁକିଛି ଖାଁ ଖାଁ ଲାଗିଥିଲା । ନିର୍ବାଚନକୁ ନେଇ ଅନେକଙ୍କ ମନରେ ସେଭଳି ଉତ୍ସାହ ନଥିଲା । ରାଜଧାନୀରେ, ପାର୍ଟି ଅଫିସ୍ରେ, ଗଣମାଧ୍ୟମରେ କି ସାମାଜିକ ଗଣମାଧ୍ୟମରେ ନୂଆପଡ଼ା ଉପନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା, ତା’ର କାଣିଚାଏ ବି ନୂଆପଡ଼ାରେ ପରିଲକ୍ଷିତ ହୋଇନଥିଲା ।
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିଲେ ଯଦୁମଣି ପାଣିଗ୍ରାହୀ । ବିଜେପି ଟିକେଟ ରେସ୍ରେ ବି ସେ ଆଗରେ ଥିଲେ । କିନ୍ତୁ ହଠାତ୍ ବଦଳି ଯାଇଥିଲା ଖେଳ । ବିଜେଡ଼ିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜେପି ନିଜ ଆଡ଼କୁ ନେଇଯିବା ପରେ ଯଦୁମଣିଙ୍କ ଆଶାରେ ପାଣି ପଶି ଯାଇଥିଲା । ପରେ ପରେ ଯଦୁମଣି ବିଜେଡ଼ିରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ସେମିତି କିଛି ହୋଇନଥିଲା । ଅପରପକ୍ଷରେ ଯଦୁମଣିଙ୍କୁ ବୁଝାଇ ଶୁଝାଇ ବିଜେପି ସନ୍ତୁଷ୍ଟ କରିଦେଇଥିଲା । କାହିଁକିନା ଯଦୁମଣି ନୂଆ ଅଙ୍କର ସୂତ୍ରଧର ଥିଲେ । ସେ ଯଦି ଦଳ ଉପରେ ଫିଡ଼ିକି ଯାଇଥା’ନ୍ତେ ତେବେ ବିଜେପି ବ୍ୟାକଫୁଟକୁ ଯିବାର ଆଶଙ୍କା ରହିଥିଲା । ନୂଆପଡ଼ା ରାଜନୀତି ପ୍ରାୟ ଆଠ ଦଶଦିନ କାଳ ଯଦୁମଣିଙ୍କ ଚାରିପାଖେ ଘୂରି ବୁଲୁଥିବାରୁ ତାଙ୍କୁ ଭେଟି ଆଲୋଚନା କରିବାକୁ ବେଶ୍ ଆଗ୍ରହ ଥିଲା । ଯଦୁମଣିଙ୍କ ଘରେ ପହଁଚି ପ୍ରାୟ ଅଧଘଣ୍ଟା କାଳ ଆଲୋଚନା କରିଥିଲୁ । ‘ଦଳ ଟିକେଟ ଦେଲାନି, ଆପଣଙ୍କୁ ପୁଣିଥରେ ନିରାଶ କଲା, ତଥାପି ବି ଆପଣ ଦଳକୁ ଜିତାଇବାକୁ ଲାଗିପଡ଼ିଛନ୍ତି ।’ ଆମର ଏମିତି ପ୍ରଶ୍ନର ଉତ୍ତରରେ ଯଦୁମଣି କହିଥିଲେ, ସ୍ୱାଭାବିକ ଭାବେ ମୁଁ ଓ ମୋର କର୍ମୀମାନେ ଅସନ୍ତୁଷ୍ଟ ଥିଲୁ । ହେଲେ ମୋ ପାଇଁ ଆଗ ପାର୍ଟି । ଦଳର ସ୍ୱାର୍ଥ ପାଇଁ ନେତୃମଣ୍ଡଳୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ମୁଁ ଓ ମୋର ସମର୍ଥକମାନେ ଦଳକୁ ଜିତାଇବାରେ ଲାଗିପଡ଼ିଛୁ । ଦଳ ୫୦ ହଜାର ଭୋଟରେ ଜିତିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଯଦୁମଣିଙ୍କ ପାଖକୁ ଯିବା ପୂର୍ବରୁ ଆମେ ବିଜେପି ଅଫିିସ ଆଡ଼କୁ ମାଡ଼ି ଯାଇଥିଲୁ । ଖୁବ୍ ସୁନ୍ଦର ହୋଇଥିଲା ବିଜେପିର ଜିଲ୍ଳା କାର୍ଯ୍ୟାଳୟ । ସତେଯେମିତି ଏକ ମଣ୍ଡପର ଭ୍ରମ ସୃଷ୍ଟି କରିଥିଲା । ଗୋଟିଏ ରୁମ୍ରେ ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନୀ ଅଙ୍କ କଷା ସହ ନେତାଙ୍କୁ ହୋମ୍ୱାର୍କ ଦେଉଥିବାବେଳେ ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଚାରରେ ବାହାରି ପଡ଼ିଥିଲେ ।
ସେହିପରି ଆଜି ରବିବାର ଓ ମନକୀ ବାତ କାର୍ଯ୍ୟକ୍ରମ ଥିବାରୁ ନୂଆପଡ଼ା ଏନଏସିର ୧୩ ନମ୍ବର ୱାଡର଼୍ରେ ମନକୀ ବାତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସାଂସଦ ସୁଜିତ ମେହେରଙ୍କ ସମେତ ପ୍ରାୟ ଶହେ ଲୋକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଆଜି ଦିନ ତମାମ ବିଭିନ୍ନ ଅଞ୍ଚଳରେ ମନ୍ତ୍ରୀ ଓ ବିଧାୟକମାନେ ମନକୀ ବାତ କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ବିଜେପି ଶିବିର ମଧ୍ୟ ବେଶ୍ ଚଳଚଞ୍ଚଳ ରହିଥିଲା । ଯଦୁମଣିଙ୍କ ପାଖରୁ ନୂଆପଡ଼ା ଫେରିବା ପରେ ଖୁଣ୍ଟିଆ ଭବନରେ ଥିବା କଂଗ୍ରେସ ଭବନରେ କିଛି ନେତା ନାରାବାଜି କରି କ୍ୟାମ୍ପେନରେ ବାହାରି ପଡ଼ିଥିଲେ । ପରେ ପରେ ଦୂରଦର୍ଶନର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ଆମେ ସୂର୍ଯ୍ୟପ୍ରଭାର ଦୁଇ ପ୍ରତିନିଧି ବାହାରି ପଡ଼ିଥିଲୁ ସ୍ନେହାଙ୍ଗିନୀ ଛୁରିଆଙ୍କ କ୍ୟାମ୍ପେନ ଅନୁଶୀଳନ କରିବାକୁ । ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ କୁରୁମପୁରି, ଲଖନା ପଞ୍ଚାୟତର ମୁରିବାହାଲ ଗାଁକୁ ଯାଇଥିଲୁ । ପାରମ୍ପରିକ ରୀତିନୀତିରେ ସେଠାରେ ସ୍ନେହାଙ୍ଗିନୀଙ୍କୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ । ସଭାରେ ପ୍ରାୟ ଦିଶହ ସରିକି ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରଚାର ମାହୋଲ କିଭଳି ରହିଛି ତାହା ଦେଖିବାକୁ ମନରେ ବେଶ୍ ଉତ୍ସାହ ରହିଥିଲା । ହେଲେ ଗୋଟିଏ ସ୍ଥାନରେ କିଛି ସମୟ ଅପେକ୍ଷା କରିଥିଲେ ବି ତାଙ୍କର ଗସ୍ତ ବିଳମ୍ବ ହେବାରୁ ଫେରିଆସିବାକୁ ବାଧ୍ୟ ହୋଇଥିଲୁ । ଗାଏମୋଟ୍ ଆଜି ଦିନ ତମାମ ପ୍ରାୟ ଶହେ କିଲୋମିଟର ବାଇକରେ ବୁଲି ଆମେ ଖବର ସଂଗ୍ରହ କରିଥିଲୁ ।