ମା ରାମଚଣ୍ଡୀଙ୍କ ବାର୍ଷିକ ପୂଜା
ଛେଣ୍ଡିପଦା : ଅନଗୁଳ ଜିଲ୍ଲା କୋଶୋଲା ଠାରେ ପ୍ରତି ବର୍ଷ ଭଳି ଚଳିତବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥିରେ ମା ରାମଚଣ୍ଡୀଙ୍କ ବାର୍ଷିକ ପୂଜା ପାଳିତ ହୋଇଛି । ଏଥିରେ ଆଖି ପାଖ ଅଂଚଳର ହଜାର ହଜାର ଦର୍ଶକ ମା’ ଙ୍କ ଆଶୀର୍ବାଦ ନେଇଥିଲେ । ଶୃଙ୍ଖଳିତ ଭାବେ ଧାଡି ଲଗାଇ ଦର୍ଶନ ଲାଭ କରିଥିବା ବେଳେ, ଏହି ପୂଜା ପାଇଁ ୮ଦିନ ପର୍ଯ୍ୟନ୍ତ ମା ରାମଚଣ୍ଡୀଙ୍କ ଯାତ୍ରା ହେଉଥିବା ବେଳେ, ଏଥିରେ ପୁଲିସ ପ୍ରଶାସନ ଓ ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡ କୋଶଲାର ସଦସ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରି ଶୃଙ୍ଖଳିତ ଭାବେ ପୂଜା ପରିଚାଳନା କରୁଛନ୍ତି । ଇତିହାସ ପୃଷ୍ଠାରୁ ଜଣାଯାଏ ଅନଗୁଳର ରାଣୀ ଏକଦା ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି କାମନା କରି କୋଶଲାରେ ଥିବା ଏହି ମା ରାମଚଣ୍ଡୀଙ୍କ ପୀଠରେ ଅଧିଆ ପଡ଼ିଥିଲେ । ମା’ ଙ୍କ ଅପାର କରୁଣାରୁ ସନ୍ତାନ ପ୍ରାପ୍ତି କରିଥିଲେ । ଅନ୍ୟପକ୍ଷେ ଏହି କ୍ଷେତ୍ରକୁ ଅଗ୍ରଣୀ ଶକ୍ତି ପୀଠ ମଧ୍ୟ କୁହାଯାଏ । କାରଣ ଜଗନ୍ନାଥଙ୍କର ବାର୍ଷିକ ପାର୍ବପର୍ବାଣିର ଖସଡା ବୈଶାଖ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ବେଳେ, ମା ଙ୍କ ପ୍ରଥମ ବାର୍ଷିକ ପୂଜା ତାହାର ଦିନକ ପୂର୍ବରୁ ବା ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହୋଇଥାଏ ଓ ଏହା ଧୁଳିଆ ପୂଜା ନାମରେ ନାମିତ ହୋଇଛି । ତେବେ ମା ରାମଚଣ୍ଡୀ ପୀଠରେ ଷୋଳ ଶିରା ବିଶିଷ୍ଟ ଡମ୍ବରୁ ଆକୃତିର କାଷ୍ଠ ପ୍ରତିମାରେ ତିଆରି ପ୍ରତିମୂର୍ତ୍ତିକୁ ପୂଜା କରାଯାଇ ଥାଏ । ସେହି ପ୍ରତିମୂତ୍ତିକୁ କୋଶଲା ଗ୍ରାମର ଗଣ୍ଡ ସାମ୍ପ୍ରଦାୟର ପୂଜକ ଶାବର ମନ୍ତ୍ରରେ ଅଭିମନ୍ତ୍ରିତ କରି ପୂଜା ଅର୍ଚ୍ଚନା କରିଥାନ୍ତି । ସରକାର ଚଳିତ ବର୍ଷ ଠାରୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିଛନ୍ତି ।