ପୋଖରୀ ପାଲଟିଛି ଆବର୍ଜନା କୁଣ୍ଡ 

ତାଳଚେର : ପୋଖରୀରେ ଭାସୁଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଫଳରେ ଆବର୍ଜନା ଗୁଡ଼ିକ ଜମା ହୋଇ ପଚିଯିବାରୁ ପାଣି ଦୂଷିତ ହେବା ସହ ପଙ୍କ କାଦୁଅରେ ଭର୍ତ୍ତି ହୋଇଛି । ପୋଖରୀର ସୌନ୍ଦର୍ଯ୍ୟ ଓ ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବିନିମୟରେ ପୋଖରୀ ପୁନରୁଦ୍ଧାର, ହୁଡ଼ାର ଚତୁଃପାଶ୍ୱର୍ରେ ଟାଇଲ୍ସରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହି ଟାଇଲ୍ସ ଗୁଡ଼ିକ ଏବେ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ । ଏପରିକି ପୋଖରୀର ଜଳ ନିୟମିତ ଭାବେ ନିଷ୍କାସନ ହେଉନଥିବାରୁ ସେହି ଜଳ ଦୀର୍ଘବର୍ଷ ରହି ନୀଳ ରଙ୍ଗ ହୋଇ ଏହାର ଜଳ ପରିତ୍ୟକ୍ତ ହେଉଥିବାରୁ ତାହା ଅନୁଯୋଗୀ ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ତାଳଚେର ପୌରପରିଷଦର ରାଜାରାଜୁଡ଼ା ଅମଳରୁ ସୌଭାଗ୍ୟ ସାଗର ପୋଖରୀ । 
ଏହା ଏବେ ସୌଭାଗ୍ୟ ସାଗର ପରିବର୍ତ୍ତେ ଦୁର୍ଭାଗ୍ୟ ସାଗରରେ ପରିଣତ ହୋଇଛି । ଏହାର ଭିତ୍ତିଭୂମି ନିର୍ମାଣ ଓ ପୁନରୁଦ୍ଧାର ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଠାରୁ ଆରମ୍ଭ କରି ପ୍ରାକ୍ତନ ଢେ଼ଙ୍କାନାଳ ସାଂସଦ ତଥାଗତ ଶତପଥୀ ଓ ପୂର୍ବରୁ ରହି ଆସିଥିବା ନଗରପାଳ ପ୍ରମୁଖ ଏହାର ଉନ୍ନତି ନେଇ ଅଣ୍ଟା ଭିଡ଼ି ଅର୍ଥ ବ୍ୟୟବରାଦ କରାଯାଇଥିଲେ ମଧ୍ୟ ସେ ଟଙ୍କା କେଉଁଠାରେ ଖର୍ଚ୍ଚ ଓ କିପରି ଖର୍ଚ୍ଚ ହେଲା ନା ତାକୁ କିଏ ଆତ୍ମସାତ୍‌ କରିଦେଲା? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୫ଏକର ଊଦ୍ଧ୍ୱର୍ ପରିମିତ ଜାଗାରେ ରହିଥିବା ଏହି ଜଳାଶୟ ସ୍ଥାନଟି ଅଞ୍ଚଳର ଏକ ପରିଚୟ ପାଲଟିଥିଲା । ପୌରପରିଷଦର ୬, ୭, ୮, ୯,୧୦ ନମ୍ବର ୱାଡର଼୍ର ବାସୀନ୍ଦାମାନେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି । ଏପରିକି ଜନ୍ମମୃତ୍ୟୁ ସମୟରେ ସମସ୍ତ କର୍ମ କରିବାକୁ ଏହି ପୋଖରୀ କେବଳ ଏକ ମାତ୍ର ନିର୍ଭର ଯୋଗ୍ୟ ଥିଲା । ଧିରେ ଧିରେ ପୋଖରୀ ପାଣି ନିଷ୍କାସନ ନ ହେବାରୁ ତାହା ଆବର୍ଜନା କୁଣ୍ଡ ପାଲଟିଯାଇଛି । ସଞ୍ଜ ଆସିଗଲେ ଏହି ପୋଖରୀ ହୁଡ଼ାରେ ଅସାମାଜିକ ଲୋକଙ୍କର ଭିଡ଼ ଜମିଥାଏ । ମଦ ଓ ନିଶା କାରବାରର ଏହା ପେଣ୍ଠସ୍ଥଳୀ ହୋଇଥବାରୁ ମଦ ସେବନ କରି ସାରିବା ପରେ ଏହାର ପ୍ଲାଷ୍ଟିକ ଗ୍ଲାସ୍‌ ଓ ବୋତଲକୁ ଏହି ପୋଖରୀ ହୁଡ଼ାରେ ଓ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । କିଛି ବର୍ଷ ପୂର୍ବରୁ ତାଳଚେର ଟାଉନ ପୁଲିସ୍‌ ବାରମ୍ବାର ଏହି ପୋଖରୀ ଅଞ୍ଚଳରେ ଚଢ଼ାଉ କରି ଅସାମାଜିକ ଯୁବକକୁ ଥାନାକୁ ଆଣି ବ୍ରାଉନସୁଗାର ଓ ମଦ ଜବତ କରିଥିବା ନଜିର ରହିଥିଲେ ମଧ୍ୟ ବର୍ତ୍ତମାନ ପୁଲିସ୍‌ର ଅଙ୍କୁଶ ରହୁନଥିବାରୁ ସଞ୍ଜ ନଇଁଗଲେ ଅସାମାଜିକ ଯୁବକ ନିଶାଶକ୍ତ ଅବସ୍ଥାରେ ଏଠାରେ ବସି ବେଶ ମଜାମଉସ କରୁଥିବା ଅଭିଯୋଗ ହୋଇଥାଏ । ତେବେ ପୌରପରିଷଦ ନିକଟରେ ଏହି ପୋଖରୀ ରହିଥିବାରୁ ପୌରପରିଷଦ ପକ୍ଷରୁ ମଧ୍ୟ ଉନ୍ନତିକରଣ ପାଇଁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ତେଣୁ ପୌରପରିଷଦ ପକ୍ଷରୁ ଏହାର ପୁନରୁଦ୍ଧାର ଏବଂ ପୁଲିସ୍‌ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଂଚଳବାସୀ ପକ୍ଷରୁ ଦାବି କରାଯାଇଛି ।