ମିଥ୍ୟାବିଲ୍ କରି ଟଙ୍କା ଆତ୍ମସାତ କରିବା ପ୍ରସଙ୍ଗ ; ଅଭିଯୋଗକୁ ଖଣ୍ଡନ କଲେ ବାଉଁଶବଣିଆ ସରପଞ୍ଚ
ନୀଳଗିରି : ବାଉଁଶବଣିଆ ପଞ୍ଚାୟତରେ ମିଥ୍ୟାବିଲ୍ କରି ଟଙ୍କା ଆତ୍ମସାତ ଖବର ପ୍ରକାଶକୁ ନେଇ ଗଭୀର ମର୍ମାହତ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକ । ଏ ନେଇ ପଞ୍ଚାୟତ ଅଫିସରେ ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ମିଥ୍ୟା ଖବର ପ୍ରସାରଣକୁ ନିନ୍ଦା କରିବା ସହିତ ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରକାଶ କରିବା ପାଇଁ ଖବର ପ୍ରକାଶନ ସଂସ୍ଥାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୧/୨୨ମସିହାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଔପଦା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବାଉଁଶବଣିଆ ପଞ୍ଚାୟତର ରାଇପୁର ରାଜସ୍ୱଗ୍ରାମ ଦେଇ ପିବ୍ଲୁଡ଼ି ରାସ୍ତାରୁ ବାଲିଓରା ଏଲ୍ଆଇ ପଏଣ୍ଟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ୮ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ । ତଦନୁଯାୟୀ ରାଇପୁରର ଗ୍ରାମସାଥି ବିଜୟ କୁମାର ଗିରିଙ୍କ ନାମରେ ବିଡ଼ିଓ ଔପଦା କାର୍ଯ୍ୟାଦେଶ ଦେଇଥିଲେ । ତଦନୁଯାୟୀ ଉକ୍ତ ଗ୍ରାମର ୧୮ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ୪ଲକ୍ଷ ୫୧ହଜାର ୩୫୧ଟଙ୍କା ବିଲ୍ ପୈଠ ହୋଇଥିବା ସୂଚନା ମିଳିଛି । ମାତ୍ର ଉକ୍ତ ରାସ୍ତାରେ ୪ଟି ପୋଲ, ମାଟି, ମୋରମ, ମେଟାଲ ଏବଂ ଶ୍ରମିକ ବାବଦକୁ ଉକ୍ତ ଟଙ୍କା ପୈଠ ହୋଇଥିବାବେଳେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ଶୁଭେନ୍ଦୁ ସ୍ୱାଇଁ ପଞ୍ଚାୟତ ସମିତିରେ କାମ ନ ହୋଇ ବିଲ୍ ଉଠାଯାଇଥିବା ଅଭିଯୋଗ କରିଥିବାରୁ ଗତ ଅଗଷ୍ଟ ୨୨ତାରିଖରେ ଏଭଳି ଖବର ପ୍ରକାଶିତ ହୋଇଥିବାରୁ ଏହାକୁ ନିନ୍ଦା କରିବା ସହିତ ଏଭଳି ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସଂପୃକ୍ତ ଖବରକାଗଜ ସଂସ୍ଥାକୁ ସରପଞ୍ଚ ଶ୍ରୀଯୁକ୍ତ ବାରିକ ନିବେଦନ କରିଛନ୍ତି । ଏଥିସହିତ ଖବରକାଗଜରେ ପ୍ରକାଶିତ ଜୈନିକ ବ୍ୟକ୍ତିଙ୍କ ନାମ ଅଭିଯୋଗ ତାଲିକାରେ ଥିବାବେଳେ ଘଟଣା ସମ୍ପର୍କରେ ଅବଗତ ନଥିବା ଓଲଟା ଅଭିଯୋଗ କରିଥିଲେ ।ଏ ତଦଭିନ୍ନ ସଂପୃକ୍ତ ସମିତିସଭ୍ୟ ଶୁଭେନ୍ଦୁ ସ୍ୱାଇଁ ନିଜର କେତେକ ଅନୈତିକ କାର୍ଯ୍ୟକୁ ଲୁଚାଇବା ପାଇଁ ଏଭଳି ମିଥ୍ୟା ଆରୋପ କରିଥିବା ଅଭିଯୋଗ କରିଛନ୍ତି । ଉକ୍ତ ସମ୍ବାଦଦାତା ସମ୍ମିଳନୀରେ ନାୟବ ସରପଞ୍ଚ ସୁପ୍ରଭା ପ୍ରଧାନ, ୱାର୍ଡସଭ୍ୟ ରତିକାନ୍ତ ବିଶ୍ୱାଳ, ଗ୍ରାମସାଥି ବିଜୟ କୁମାର ଗିରି, କୁମୁଦିନୀ ପ୍ରଧାନ, ଦିଲ୍ଲୀପ ରାଉତ, ବାଲିଓରା ବିଦ୍ୟାଳୟର ପରିଚାଳନା କମିଟିର ଭାଇସ ଚେୟାରମ୍ୟାନ ରିତାରଣୀ ବେହେରା, ନିତ୍ୟାନନ୍ଦ ଲେଙ୍କା, ପ୍ରୀତିଲତା ପ୍ରଧାନ, ପ୍ରଭାସିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ସମିତି ସଭ୍ୟ ଶୁଭେନ୍ଦୁ ସ୍ୱାଇଁଙ୍କୁ ପଚାରିବାରୁ ପାଲଟା ଘଟଣା ତଦନ୍ତ ଦାବି କରିଛନ୍ତି । ପ୍ରକୃତରେ କିଏ ସତ କହୁଛି, ତାହା ତଦନ୍ତ ପରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।