ବନ୍ୟାକୁ ନେଇ ପ୍ରଶାସନର ଆପାତ୍ତକାଳୀନ ବୈଠକ : ୨୪ ଘଣ୍ଟା ସତର୍କ ରହିବାକୁ ନିଦେ୍ର୍ଦଶ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଉପର କ୍ୟାଚମେଣ୍ଟ ଅଞ୍ଚଳରେ ଲଗାଣ ବର୍ଷା ଓ ଚାନ୍ଦଲି ଡ୍ୟାମର ସୁଇସ ଗେଟ୍ ଦେଇ ଜରୁରୀ ଆଧାରରେ ପାଣି ଛଡ଼ାଯିବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆପାତ୍ତକାଳୀନ ବୈଠକ ଆହ୍ୱାନ କରିଥିଲେ ଏବଂ ୪ ଟି ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଏବଂ ସମସ୍ତଙ୍କୁ ୨୪ ଘଣ୍ଟା ସତର୍କ ରହିବା ଏବଂ କ୍ଷେତ୍ର ଅଧିକାରୀମାନଙ୍କ ସହ ସ୍ୱୟଂ ବ୍ୟକ୍ତିଗତ ଭାବେ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତ୍ୱରିତ ସମାଧାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ସମସ୍ତ ଅନୁଷ୍ଠାନ ଗୁଡ଼ିକର ଜରୁରୀ ସାମଗ୍ରୀ ଏବଂ ଔଷଧ ଉପଲବ୍ଧ କରିବା ପାଇଁ ନିଦେ୍ର୍ଦଶ ଦିଆଯିବା ସହିତ ସିଭିଲ୍ ସପ୍ଲାଇସ୍ ଅଫିସରଙ୍କୁ ଖାଦ୍ୟ ଏବଂ ସାମଗ୍ରୀ ସମୀକ୍ଷା କରିବା ଓ ଯଥାଯଥ ବିନିଯୋଗ ନିଶ୍ଚିତ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା ।
୪ ଗୋଟି ବ୍ଲକରେ ମୋଟ ୧୯ଟି ପଞ୍ଚାୟତ, ୬୭ଟି ଗ୍ରାମ ଏବଂ ଜଳେଶ୍ୱର ଏନ୍ଏସିର ୫ଟି ୱାର୍ଡ ପ୍ରଭାବିତ ହୋଇଥିଲା । ପାଖାପାଖି ୬୦ଟି ଗ୍ରାମର ୨୬୦୦୦ ଲୋକ ପାଣି ଘେରରେ ଥିଲେ । ଜଳେଶ୍ୱର ଏନଏସି ଅଞ୍ଚଳର ନଦୀ ପଠାରେ ରହୁଥିବା ୧୫ଟି ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇ ଫ୍ରି କିଚେନ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସବୁଠୁ ଅଧିକ ପ୍ରଭାବିତ ୨ ବ୍ଲକ ଯଥା ଭୋଗରାଇ ଓ ବାଲିଆପାଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରି ୧ ଗୋଟି ଏନ୍ଡିଆର୍ଏଫ୍ ଟିମ୍, ୩ ଟି ଓଡିଆର୍ଏଏଫ୍ ଟିମ୍ ଏବଂ ୫ ଟି ଫାୟର ଟିମ୍ ମୁତୟନ କରାଯାଇଥିଲା । ଯାହା ଏବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ପ୍ରଶାସନ ଦ୍ୱାରା ୧୨୦ କ୍ୱିଣ୍ଟାଲ ଚୁଡ଼ା ଓ ୧୬ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ, ବାଲେଶ୍ୱର ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।