ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧରଣୀଧର ମେଡିକାଲ କଲେଜରେ ଟ୍ରମା କେୟାର ଶୁଭାରମ୍ଭ : ୫ ହଜାର ଡାକ୍ତର ପଦବୀ ପୂରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିସôା ସେବା ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଉତ୍ତମ ଚିକିସôା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏ ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଦେଶରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତୁ୍ୟହାର ଖୁବ ଅଧିକ । କେନ୍ଦୁଝର ଭଳି ଜିଲ୍ଲାରେ ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଛି । ଏ କ୍ଷେତ୍ରରେ ଉତ୍ତମ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କୁ ଆଶୁ ମୃତୁ୍ୟମୁଖରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ହସ୍ପିଟାଲ ଗୁଡିକର ଭିତ୍ତିଭୂମି ସୁଦୃଢ କରାଯାଉଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରାଯାଉଛି । ନୂଆ ସରକାର ଆସିବା ପରେ ୪ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ପଦବୀ ପୂରଣ କରାଯାଇଛି । ଆଗାମୀ ଦିନରେ ୫ହଜାର  ଡାକ୍ତର ପଦବୀ ପୂରଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।  ସେହିପରି ରାଜ୍ୟରେଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ   ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ ବୋଲି କହିଥିଲେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ । କେନ୍ଦ୍ର ସରକାର ଏଥିପାଇଁ ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥଦେବେ । ଶେଷରେ ଡାକ୍ତରମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆପଣମାନେ ସ୍ୱାସ୍ଥ୍ୟସେବାକୁ ଜୀବନର ଏକ ମିଶନ ଭାବେ ଗ୍ରହଣ କରନ୍ତୁ । ବୃତ୍ତିଗତ ଦକ୍ଷତା ସହିତ ସେବା ମନୋଭାବ ଅତ୍ୟନ୍ତ ଜରୁରୀ । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କଲେଜର ଅଧ୍ୟକ୍ଷା ଡଃ ଚିନ୍ମୟୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ମହେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।