ଅସୁରକ୍ଷିତ FM ମହାବିଦ୍ୟାଳୟ

ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଅସୁରକ୍ଷିତ ହୋଇପଡିଛି । ପ୍ରାୟ ଏକ ମାସ ପୂର୍ବରୁ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ମନରୁ ଲିଭି ନ ଥିବା ବେଳେ ସୋମବାର ପୁଣି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କଲେଜର ଇଷ୍ଟ କ୍ୟାମ୍ପସ ଭିତରକୁ ପଶି ଯାଇ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି ସେଠାରେ ଥିବା ଛାତ୍ରୀମାନଙ୍କୁ ଯୁବକ ଜଣଙ୍କ ଧମକାଇଥିଲେ । ତେବେ ଏକତରଫା ପ୍ରେମକୁ ନେଇ ଏଭଳି ଘଟିଥିବା ଅନୁମାନ କରାଯାଉଛି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ନଂ ୨୦୬/୨୫ ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲା ବଡସାହି ଥାନା ଅର୍ନ୍ତଗତ ବଡଗମ୍ଭାରିଆ ଅଂଚଳର ଚନ୍ଦନ କୁମାର ଗିରି (୨୫)। ସୂଚନା ଅନୁସାରେ, ସୋମବାର ଚନ୍ଦନ ହଠାତ ଫକୀରମୋହନ କଲେଜର ଇଷ୍ଟ କ୍ୟାମ୍ପସ ମଧ୍ୟକୁ ପଶି ଯାଇଥିଲେ। ସେହି କ୍ୟାମ୍ପସରେ ଥିବା ଛାତ୍ରୀମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ ଏବଂ ପରେ ଚନ୍ଦନ ଉକ୍ତ କଲେଜଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ଯୁକବକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଆଇଆଇସି ବିଜୟ କୁମାର ଦାସ କହିଛନ୍ତି, ଛାତ୍ରୀଙ୍କ ସହ ଅଭିଯୁକ୍ତଙ୍କର ସମ୍ପର୍କ କଣ, ପୂର୍ବରୁ ଚିହ୍ନା ପରିଚୟ ଅଛିକି ନାହିଁ ସେ ନେଇ ତଦନ୍ତ ଚାଲିଛି । ଏକତରଫା ପ୍ରେମରୁ ଯଦି ଏହା ଘଟିଥାଏ, ତେବେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ।