ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ: ଜୁନ୍ ୨୦ ସୁଦ୍ଧା  ଡ୍ରେନ ସଫେଇ ସାର

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି  । ବୈଠକରୁ ଜଣାପଡ଼ିଛିଯେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଛି  । ବାକି ରହିଥିବା ଡ୍ରେନଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।
ଭୁବନେଶ୍ୱରରେ ଇସ୍କନ, କଟକ-ରୋଡ଼, ଅହଲ୍ୟା ନଗର, ସମ ହସ୍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖ ସ୍ଥାନରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି  ।  ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । 
ଭୁବନେଶ୍ୱରରେ ମୁଖ୍ୟତଃ ୧୫ଟି ପ୍ରାକୃତିକ ନାଳ ରହିଛି  । ଏଥି ସହିତ ସହର ମଧ୍ୟରେ ଅନେକ ଛୋଟ ବଡ଼ ଡ୍ରେନ ରହିଛି  । ଏସବୁର ଜଳ ପ୍ରାୟତଃ ଯାଇ ଗଙ୍ଗୁଆ ନଦୀରେ ମିଶୁଛି  । ଏଥିରେ ହସ୍ପିଟାଲ ବର୍ଜ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦୂଷଣଯୁକ୍ତ ସାମଗ୍ରୀ ମଧ୍ୟ ରହୁଛି  । ଗଙ୍ଗୁଆ ନଦୀ ଦୟା ନଦୀ ସହିତ ମିଶିଛି  । ତେଣୁ ବିଭିନ୍ନ ଜାଗାରେ ଜଳ ବିଶୋଧନାଗାର ସ୍ଥାପନ କରି ଗଙ୍ଗୁଆ ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  । ଏଥିସହିତ ନାଳ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା  ।
ସେହିପରି କଟକରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ମୁକାବିଲା ଓ ସମାଧାନ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ କଟକ ମହାନଗର ନିଗମ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ  । ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ  । ବର୍ଷାଦିନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ସହିତ ଜଳବାହିତ ରୋଗର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦୁଇ ମହାନଗର ନିଗମକୁ ନିଦେ୍ର୍ଦଶ ଦେଇଥିଲେ  । କେବଳ କଟକ-ଭୁବନେଶ୍ୱରରେ ନୁହେଁ, ଏଭଳି ସମସ୍ୟା ଉପୁଜୁଥିବା ରାଜ୍ୟର ଅନ୍ୟ ସହରାଞ୍ଚଳ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ  ।  
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭି.ସି. ଡିଏନ୍. ତିରୁମାଳା ନାୟକ, କଟକ ମହାନଗର ନିଗମ ଆୟୁକ୍ତ ଅନାମ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  ।