ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟିର କୃତଜ୍ଞତା

 ତାଳଚେର : ପବିତ୍ର ମୋହନ ମେଡିକାଲ୍ କଲେଜର ଚଳିତ ବର୍ଷ ନାମଲେଖା ପାଇଁ ଜାତୀୟ ମେଡିକାଲ୍ କମିସନ୍ଙ୍କ ଦ୍ୱାରା ଅନୁମତି ମିଳିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେଜ୍ କ୍ରିୟାନୁଷ୍ଠାନ କମିଟି ଓ ତାଳଚେରବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି  । ଅନେକ ବର୍ଷର ବ୍ୟବଧାନ ଓ ସଂଗ୍ରାମ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ତାଳଚେରବାସୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଆଶୁ ପଦକ୍ଷେପ ନିଆଯାଇଛି  । ଚଳିତ ବର୍ଷ ୨୦୨୫-୨୬ ନିମନ୍ତେ ୧୦୦ଗୋଟି ସିଟ୍ରେ ଡାକ୍ତରୀ ଅଧ୍ୟୟନ ପାଇଁ ଜାତୀୟ ମେଡିକାଲ୍ କମିଶନଙ୍କ ଦ୍ୱାରା ମଞ୍ଜୁରୀ ମିଳିଥିବାରୁ ତାଳଚେରବାସୀଙ୍କ ବହୁ ପ୍ରତିକ୍ଷିତ ଆଶା ପୂରଣ ହୋଇଛି  । ରୋଗୀ ସେବା ମଧ୍ୟ ଚଳିତ ବର୍ଷ ଠାରୁ ଶୀଘ୍ର ଆରମ୍ଭ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମ ଚରଣ ସାମଲ, ସଂପାଦକ ବିଜୟ ପ୍ରଧାନ, ଉପଦେଷ୍ଟା ଦିଗାମ୍ବର ଗଡନାୟକ, ଚୈତନ୍ୟ ପ୍ରଧାନ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଆନନ୍ଦ ସାହୁ, କେଶବ ଭୂତିଆ, ରମାକାନ୍ତ ସାମଲ ଓ ସମସ୍ତ ସଦସ୍ୟ/ସଦସ୍ୟା ତଥା ତାଳଚେରବାସୀଙ୍କ ମଧ୍ୟରେ ଦାବି ହେଉଛି  । ଶିକ୍ଷାଦାନ ସହ ରୋଗୀସେବା ହେଲେ ସଭିଙ୍କ ମନରେ ଆନନ୍ଦ ସଞ୍ଚାରିତ ହେବା ସହ ଅଞ୍ଚଳର ବହୁ ଦିନର ସ୍ୱପ୍ନ ସାକାର ହୋଇ ପାରିବ ବୋଲି କମିଟି ପକ୍ଷରୁ ପ୍ରେସ୍ତ ବିଜ୍ଞପ୍ତିରେ ଜଣାଯାଇଛି  ।