ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କ ସିପେଟ ପରିଦର୍ଶନ : ସିପେଟ୍ରେ ଅଧିକ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ

 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ସିପେଟ ପରିଦର୍ଶନରେ ଯାଇ ଓଡ଼ିଶାରେ ଏହି ପ୍ରତିଷ୍ଠାନର ଅଧିକ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ମୂଲ୍ୟର ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । ପୂର୍ବରୁ ଉକôର୍ଷ ଓଡିଶାରେ ମଧ୍ୟ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରାୟ ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ପେଟ୍ରୋ କେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡିଶାରେ ବ୍ୟାପକ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି  । ଏଥିପାଇଁ ଅଧିକ ଦକ୍ଷ ୱାର୍କଫୋର୍ସର ଆବଶ୍ୟକତା ରହିଛି । ସେଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ସିପେଟ୍ର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ  । କେନ୍ଦ୍ରମନ୍ତ୍ରୀ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମାଝୀ ସିପେଟ୍ର ବିଭିନ୍ନ ଲାବ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ  ।