ମୃତ ବ୍ୟକ୍ତିଙ୍କ ନାମରେ ରାସନ୍‌ ନେଲେ କାର୍ଯ୍ୟାନୁଷ୍ଠାନ

ମୃତ ବ୍ୟକ୍ତିଙ୍କ ନାମରେ ରାସନ୍‌ ନେଲେ କାର୍ଯ୍ୟାନୁଷ୍ଠାନ
  • ଯେତିକି ନେଇଥିବେ, ଦେଢ଼ଗୁଣା ଫେରାଇବେ

  • ରାସନ୍‌ ପାଇଁ ମାସିକ ଆୟ ସୀମା ବଢ଼ିଲା

  • ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ହେବ ବିଶ୍ୱ ଦକ୍ଷତା କେନ୍ଦ୍ରର ନୂଆ କ୍ୟାମ୍ପସ୍‌

  • ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୬କୁ ମଞ୍ଜୁରୀ

  • ୧୦ କୋଠରୀ ତାରକା ହୋଟେଲକୁ ମିଳିବ ସହାୟତା

  • ମେଟ୍ରୋରେ ଓଡ଼ିଆ ଖାଦ୍ୟର ପ୍ରୋତ୍ସାହନ ପାଇଁ ମିଳିବ ଅନୁଦାନ

  • ଟାଟା ପାୱାରର ସୌର ସେଲ୍‌ ପ୍ରକଳ୍ପକୁ ମଞ୍ଜୁରୀ

  • ୧୦ ହଜାର କୋଟି ନିବେଶ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ୮ ବିଭାଗର ୧୧ ପ୍ରସ୍ତାବ ଆଗତ କରାଯାଇଥିଲା । ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ୱ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇ ସମସ୍ତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ଜଣାଯାଇଛି ।


ଓପିଡ଼ିଏସ (ନିୟନ୍ତ୍ରଣ) ଆଦେଶରେ ସଂଶୋଧନ

ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ-୨୦୧୬ରେ ସଂଶୋଧନ କରାଯାଇଛି । ସଂଶୋଧନ ଅନୁସାରେ ରାସନ କାଡର଼୍ରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ତୁରନ୍ତ ଯୋଗାଣ ବିଭାଗ ଅଧିକାରୀ କିମ୍ବା ନିକଟସ୍ଥ ଖାଉଟି ଡିଲରଙ୍କୁ ଜଣାଇବାକୁ ପଡ଼ିବ । ଯଦି ଏହି ତଥ୍ୟ ଗୋପନ ରଖି ପିଡ଼ିଏସ ସାମଗ୍ରୀ କେହି ଗ୍ରହଣ କରିଥିବା ଜଣାପଡେ଼ ତେବେ ମୃତବ୍ୟକ୍ତିଙ୍କ ନାମରେ ଗ୍ରହଣ କରାଯାଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ଗୁଣ ହାରରେ ଆଦାୟ କରାଯିବ । ଏହି ଅର୍ଥ ପରବର୍ତ୍ତୀ ମାସର ପ୍ରାପ୍ୟରୁ କଟାଯାଇ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଆକାରରେ ଭରଣା କରାଯିବ । ଅପରପକ୍ଷରେ ରାସନ୍‌ କାଡର଼୍ ପାଇଁ ଥିବା ମାସିକ ଆୟ ମାନଦଣ୍ଡ ବୃଦ୍ଧି କରାଯାଇଛି । ପୂର୍ବରୁ ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କାର ଆୟ କ୍ଷେତ୍ରରେ ରାସନରୁ ବାଦ୍‌ ଦିଆଯାଉଥିଲା । ଏବେ ଗ୍ରାମାଞ୍ଚଳରେ ମାସିକ ଆୟ ୧୫ ହଜାର ଓ ସହରାଞ୍ଚଳରେ ମାସିକ ଆୟ ୨୦ ହଜାର କରିବାକୁ ନିଷ୍ପତ୍ତି ନିଆଯାଇଛି । 

ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୬ : ତିନି ତାରକା ଓ ତଦ୍ଦୁଦ୍ଧ୍ୱର୍ ହୋଟେଲ୍‌ ଏବଂ ରିସୋର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯିବ । ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ୩୦%ରେ ସିଆଇଏସ ପାଇଁ ଯୋଗ୍ୟ ହେବା ସହିତ ୨୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୫୦ କୋଟି ଏବଂ ୨୦୦ କୋଟିରୁ ଅଧିକ ନିବେଶ ପାଇଁ ଶହେ କୋଟି ପର୍ଯ୍ୟନ୍ତ ସବସିଡ଼ି ଦେୟର ସର୍ବାଧିକ ସୀମା ଧାର୍ଯ୍ୟ କରାଯାଇଛି । ଚିଲିକା, କେବିକେ, କନ୍ଧମାଳ ଓ ଗଜପତିର ସ୍ୱତନ୍ତ୍ର ଜୋନ୍‌ ବ୍ୟତୀତ ହୀରାକୁଦ, ସାତକୋଶିଆ, ଶିମିଳିପାଳ, ରତ୍ନଗିରି-ଉଦୟଗିରି-ଲଳିତଗିରି ଏବଂ ଭିତରକନିକା ଭଳି ଉଚ୍ଚ ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଭୁକ୍ତ କରିବାକୁ ସ୍ୱତନ୍ତ୍ର ଜୋନର ସମ୍ପ୍ରସାରଣକୁ ଅନୁମୋଦନ କରାଯାଇଛଇ । ମହିଳା, ଏସସିଏସଟି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରୋତ୍ସାହିତ ପ୍ରକଳ୍ପଗୁଡ଼ିକ ୪୦% ହାରରେ ବର୍ଦ୍ଧିତ ପୁଞ୍ଜିନିବେଶ ସବସିଡ଼ି ପାଇଁ ଯୋଗ୍ୟ ହେବେ । ଯାହା ୨୦୦ କୋଟି ପର୍ଯ୍ୟନ୍ତ ନିବେଶ ସହିତ ପ୍ରକଳ୍ପ ପାଇଁ ୬୦ କୋଟଇ ଓ ୨୦୦ କୋଟିରୁ ଅଧିକ ନିବେଶ ସହିତ ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ସୀମା ସବସିଡ଼ି ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ସଂଗ୍ରହାଳୟ ଏବଂ ଐତିହ୍ୟ ସମ୍ପତ୍ତି ୪୦% ପର୍ଯ୍ୟନ୍ତ ପୁଞ୍ଜି ସହାୟତା ପାଇଁ ଓ ବୈଦ୍ୟୁତିକ ଡଙ୍ଗା, ବୈଦ୍ୟୁତିକ କାରଭାନ ଓ କଳା ଏବଂ ହସ୍ତଶିଳ୍ପ ବିଷୟବସ୍ତୁ କମ୍ପେ୍ଳକ୍ସ ୫୦% ପର୍ଯ୍ୟନ୍ତ ପୁଞ୍ଜି ସହାୟତା ପାଇଁ ଯୋଗ୍ୟ ହୋଇପାରିବେ । ପର୍ଯ୍ୟଟନ ବିଭାଗ ଦ୍ୱାରା ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଭଳି ୫ ମେଟ୍ରୋ ସହର ଓ ଆଗ୍ରା, ବାରାଣସୀ, ଗୋଆ,  କୋଚି ଓ ଜୟପୁରରେ ପ୍ରାମାଣିକ ଓଡ଼ିଆ ଖାଦ୍ୟର ପ୍ରୋତ୍ସାହନ ପାଇଁ ସରକାର ସହାୟତା ପ୍ରଦାନ କରିବେ । ୨୦୩୬ ସୁଦ୍ଧା ୧୫ ହଜାର ତାରକା ବର୍ଗ ହୋଟେଲ କୋଠରୀ ସୃଷ୍ଟିରେ ଏହା ସହାୟକ ହୋଇପାରିବ । 


ଜଳସେଚନ ଟେଣ୍ଡରକୁ ଅନୁମୋଦନ : ଗଞ୍ଜାମ ଜିଲ୍ଲାରେ ୬୩୪୩ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇବା ସହ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମନ୍ତେ ୧୯୦ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ଟେଣ୍ଡର ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୧୫ କୋଟି ୨୩ ଲକ୍ଷ ଟଙ୍କା ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ବାଲେଶ୍ୱରରେ ଜଳସେଚନ ପାଇଁ ୩୧୦ କୋଟିର ଟେଣ୍ଡରକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ୫ ବର୍ଷ ସକାଶେ ରକ୍ଷଣାବେକ୍ଷଣ ନିମନ୍ତେ ୧୫.୮୩ କୋଟିର ଟେଣ୍ଡରକୁ ଅନୁମୋଦନ ମିଳିଛି । ପ୍ରକଳ୍ପଟି ୨୭ ମାସ ମଧ୍ୟରେ ଶେଷ ହେବ ।

 ବିଶ୍ୱ ଦକ୍ଷତା କେନ୍ଦ୍ରର ନୂଆ କ୍ୟାମ୍ପସ : ଭୁବନେଶ୍ୱରରେ ସେମି କଣ୍ଡକ୍ଟର, ଆଇଟି ଓ ଏରୋସ୍ପେଶ କ୍ଷେତ୍ର ପାଇଁ, ବ୍ରହ୍ମପୁରରେ ଆତିଥ୍ୟ ଓ ସାମୁଦ୍ରିକ କ୍ଷେତ୍ର ପାଇଁ ଏବଂ ସମ୍ବଲପୁରରେ କୃଷି, ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି, ରିଟେଲ ଏବଂ ଭିଜୁଆଲ୍‌ ମର୍ଚ୍ଚେଣ୍ଡାଇଜିଂ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ନୂତନ କ୍ୟାମ୍ପସ କରାଯିବ । ସେହିପରି ୫ ସରକାରୀ ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ୭୨ ଆଇଟିଆଇକୁ ବି ସୁଦୃଢ଼ କରାଯିବ । ଓଏସଡ଼ିପି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ଏଡ଼ିବିରୁ ୫୭୦ କୋଟିର ଋଣ ସହାୟତା ଓ ରାଜ୍ୟ ବଜେଟରୁ ୫୭୦ କୋଟି ପ୍ରଦାନ କରାଯିବ । ଏହାଛଡ଼ା ଓଡ଼ିଶା ରାଜ୍ୟ ଅଭିଯୋଜନ ସେବା ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ଅନ୍ୟ ସୁବିଧାଗୁଡ଼ିକୁ ଆପାର୍ଟମେଣ୍ଟ ମାଲିକମାନେ ଆପାର୍ଟମେଣ୍ଟ ସଂଘକୁ ଦେବା ପାଇଁ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । ଏବେ ତାହା ୫୦ ହଜାର ଟଙ୍କା ଭିତରେ ସୀମିତ ରହିଛି । ଜଳଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରୀମ ଭାବେ ରାଜ୍ୟ ସରକାର ପ୍ରଦାନ କରିବେ । ଯାହାଦ୍ୱାରା ପ୍ରକଳ୍ପଗୁଡ଼ିକ ଶୀଘ୍ର ଶେଷ ହୋଇପାରିବ । ଟାଟା ପାୱାରର ସମନ୍ୱିତ ଇନଗଟ୍‌ ୱେଫର ଓ ସୌର ସେଲ୍‌ ଉତ୍ପାଦନ ପ୍ରକଳ୍ପକୁ ଟାଟା ଏସଇଜେଡ଼ରେ ସ୍ଥାପନ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯେଉଁଥିରେ ୧୦ ହଜାର କୋଟି ନିବେଶ ହେବା ସହ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।