ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଧାରଣା
କେନ୍ଦ୍ରାପଡ଼ା, ୨୨ା୯ : କେନ୍ଦ୍ରାପଡରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବି ଦୀର୍ଘଦିନ ହେଲା କରା ଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଉଦାସୀନ ରହି ଥିବାରୁ ଏହାର ପ୍ରତିବାଦରେ ମେଡିାକଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଏକ ଅହୋରାତ୍ର ଧାରଣା କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଆରମ୍ଭ ହୋଇଛି । ଦାବି ପୂରଣ ପର୍ଯ୍ୟନ୍ତ ଏହା ଚାଲିବ ବୋଲି କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ରାଜ୍ୟରେ ତିନିଟି ମେଡିକାଲ କଲେଜ ଥିଲା ସେତେବେଳଠୁ ଅର୍ଥାତ ୨୦୧୫ମସିହା ଠାରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ ହେଇଛି । ସେତେବେଳେ ସମସ୍ତ ବିରୋଧୀ ରାଜନୈତିକ ଦଳ, ଗଣସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ସମ୍ପ୍ରଦାୟ ନିଜସ୍ୱ ଭାବେ ଆନ୍ଦୋଳନ କରି ଆସିଛନ୍ତି । ଏହା ମଧ୍ୟରେ ୩ରୁ୧୭ମେଡିକାଲ କଲେଜ ରାଜ୍ୟରେ ଘୋଷଣା ହେଇଛି । ସରକାର ପରେ ସରକାର ବଦଳିଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଯେଉଁ ଦୁଃଖିଆକୁ ସେହି ଦୁଃଖିଆ । ଏହି ପରିପ୍ରେକ୍ଷୀରେ ଓଡିଶା ବିଧାନସଭାର ଚାଲିଥିବା ମୌସୁମୀ ଅଧିବେଶନରେ ମୋହନ ସରକାର ବିଧାନସଭାରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ଘୋଷଣା କରିବା ଦାବିରେ ସେପ୍ଟେମ୍ବର ୨୨ତାରିଖ ସୋମବାର ଠାରୁ ଜିଲ୍ଲାପାଳ ଅଫିସି ସମ୍ମୁଖରେ ଅନୁଷ୍ଠିତ ଆହୋରାତ୍ର ଗଣଧାରଣାର ପ୍ରଥମ ଦିନରେ ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ । ବିଜେଡିର ରାଜ୍ୟ ନେତା ରବି ସାମଲ, କଂଗ୍ରେସର ପ୍ରଫୁଲ୍ଲ ଦାସ, ସିପିଆଇ(ଏମ୍)ର ଗୟାଧର ଧଳ, ସିପିଆଇର ବିକାଶ ବେଉରା, ଆମଆଦିର ସୂର୍ଯ୍ୟକାନ୍ତ ପରିଡା, କଂଗ୍ରେସର ସସ୍ମିତା ପଣ୍ଡା, ଜଗତଜୀବନ ଦାଶ, ଫକୀର ଚରଣ ଖଟୁଆ ପ୍ରମୁଖ ବକ୍ତବ୍ୟ ରଖି ଏହି ଐତିହାସିକ ଲଢେଇରେ ସାରା ଜିଲ୍ଲାର ଆବଳ ବୃଦ୍ଧ ବନିତା, ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଲାଇ ରଖିବା ପାଇଁ ଅନୁରୋଧ କରିଥିଲେ ।