ମଡ଼େଲ୍ ମଣ୍ଡିର ଆବଶ୍ୟକତା
ରାଜ୍ୟରେ ଖରିଫ୍ ଏବଂ ରବି ଋତୁରେ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଧାନ ସରକାର ମଣ୍ଡି ମାଧ୍ୟମରେ ଉଠାଇବା କ୍ଷେତ୍ରରେ ଅନେକ ସମସ୍ୟା ଦୃଷ୍ଟିଗୋଚର ହେଉଛି । ମଣ୍ଡିଗୁଡ଼ିକରେ ଯୋଗାଣ ବିଭାଗର ନିଦେ୍ର୍ଦଶ ଅନୁସାରେ ମିଲର୍ମାନେ ଧାନ ଉଠାଉନାହାନ୍ତି । ତେଣୁ ମାସ ମାସ ଧରି ଚାଷୀମାନେ ମଣ୍ଡିଗୁଡ଼ିକରେ ଖୋଲା ଆକାଶ ତଳେ ଧାନକୁ ଜଗି ରହୁଛନ୍ତି । ଯଦି କିଛି ବର୍ଷା ହୋଇଯାଏ ତେବେ ଚାଷୀମାନଙ୍କର ବର୍ଷଯାକର ପରିଶ୍ରମର ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯାଉଛି । ଏଭଳି ଗଜା ଧାନକୁ ମିଲରମାନେ ଆଉ ନେବାକୁ ରାଜି ହେଉନାହାନ୍ତି । ତେଣୁ ସବୁତକ କ୍ଷତି ଚାଷୀ ମୁଣ୍ଡରେ ପଡୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ ଉଠାଣ ବ୍ୟବସ୍ଥାକୁ ଏକ ନିର୍ଭରଯୋଗ୍ୟ ବ୍ୟବସ୍ଥାରେ ପରିଣତ କରାଯାଇପାରିଲା ନାହିଁ । ତେଣୁ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ସଙ୍ଗଠନଗୁଡ଼ିକ ବିଭିନ୍ନ ସମୟରେ ଆନେ୍ଦାଳନରେ ବସିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଆନେ୍ଦାଳନର ଡ଼ାକରା ଦେଇଛନ୍ତି ।
ତେବେ ସରକାର ଇତିମଧ୍ୟରେ ରାଜ୍ୟରେ ୩୮ଟି ମଡ଼େଲ୍ ମଣ୍ଡି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଯେ ୩୦ଟି ଜିଲ୍ଲାରେ ୩୮ଟି ମଡ଼େଲ୍ ମଣ୍ଡି ନିର୍ମାଣ କରାଯିବ ବଡ଼ ଜିଲ୍ଲାଗୁଡ଼ିକରେ ଦୁଇଟି ଏବଂ ଛୋଟ ଜିଲ୍ଲାଗୁଡ଼ିକରେ ଗୋଟିଏ ଲେଖାଏଁ ମଣ୍ଡି ନିର୍ମାଣ କରାଯିବ । ଏହିସବୁ ମଣ୍ଡିରେ ଧାନକୁ ନିରାପଦ ତଥା ସୁରକ୍ଷିତ ଭାବରେ ରଖିବା ବ୍ୟବସ୍ଥା କରାଯିବ । ଚାଷୀମାନେ ବିଭିନ୍ନ ପ୍ରକାରର ଅସୁିବଧାର ସମ୍ମୁଖୀନ ହେଉଥିବାରୁ ଏହି ମଡ଼େଲ୍ ମଣ୍ଡିଗୁଡ଼ିକରେ ପାନୀୟ ଜଳ, ବସିବା ବ୍ୟବସ୍ଥା ତଥା କେତେକ ମୌଳିକ ସୁବିଧା ରଖାଯିବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ମଡ଼େଲ୍ ମଣ୍ଡିଗୁଡ଼ିକରେ ଫ୍ରେସ୍ ୟାର୍ଡ୍ ଭଳି ଯଦି ସିମେଣ୍ଟ୍ ଚଟାଣର ବ୍ୟବସ୍ଥା କରାଯାଆନ୍ତା, ତେବେ ନିଶ୍ଚିତ ରୂପେ ଚାଷୀମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର ହୁଅନ୍ତା ।
ବର୍ତ୍ତମାନ ମାଟି ଉପରେ ଧାନବସ୍ତା ରଖାଯାଉଛି । ତେଣୁ ବର୍ଷା ହେଲେ ମାଟି ଓଦା ହୋଇ ତଳବସ୍ତାରେ ଧାନ ସବୁ ଗଜା ହୋଇଯାଉଛି ଏବଂ ବର୍ଷା ହେଲେ ପାଣି କାଦୁଅରେ ଧାନ ନଷ୍ଟ ହେଉଛି । ତେଣୁ ଏ ପ୍ରକାରର ଅସୁବିଧାକୁ ଦୂର କରିବା ପାଇଁ ଆଦର୍ଶ ମଣ୍ଡିଗୁଡ଼ିକରେ ଯଦି ସିମେଣ୍ଟ୍ ଚଟାଣର ବ୍ୟବସ୍ଥା କରାଯାଆନ୍ତା ଏବଂ ଏଥିରୁ ପାଣି ଗଡ଼ିଯିବାର ବ୍ୟବସ୍ଥା କରାଯାଆନ୍ତା ତେବେ ଚାଷୀମାନେ ଯଥେଷ୍ଟ ଉପକୃତ ହୋଇପାରନ୍ତେ । ଚାଷୀମାନଙ୍କର ଉତ୍ପାଦିତ ଶସ୍ୟ ନଷ୍ଟ ହେବା କେବଳ ସେମାନଙ୍କର ବ୍ୟକ୍ତିଗତ କ୍ଷତି ନୁହେଁ । ଏହା ଏକ ରାଷ୍ଟ୍ରୀୟ କ୍ଷତି । ଏ କ୍ଷେତ୍ରରେ ଚାଷୀ ନିଜର ରକ୍ତ ଓ ଝାଳ ନିଗାଡ଼ି ଉତ୍ପାଦନ କରିଥିବା ଶସ୍ୟ ସର୍ବଶେଷରେ ରାଷ୍ଟ୍ରର ସମ୍ପତ୍ତି ଭାବରେ ମଣ୍ଡି ମାଧ୍ୟମରେ ଏଫ୍ସିଆଇ ଗୋଦାମ୍କୁ କିମ୍ବା ମିଲର ମାଧ୍ୟମରେ ଏଫ୍ସିଆଇ ଗୋଦାମ୍କୁ ଆସୁଛି । ଏଫ୍ସିଆଇ ମାଧ୍ୟମରେ କୃଷିଜାତ ପଦାର୍ଥ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଦେଖିବାକୁ ଗଲେ ଜଣେ ଚାଷୀର ଉତ୍ପାଦିତ ପଦାର୍ଥ କମ୍ ହେଉ କିମ୍ବା ଅଧିକ ହେଉ ଏହା ମୋଟାମୋଟି ଭାବରେ ଏକ ରାଷ୍ଟ୍ରୀୟ ସମ୍ପତ୍ତି ଏବଂ କୃଷିକୁ ବାଦ୍ ଦେଲେ ମୋଟ୍ ଘରୋଇ ଉତ୍ପାଦ କେବେ ହେଲେ ସନ୍ତୋଷଜନକ ହୋଇପାରିବ ନାହିଁ । ତେଣୁ ଚାଷୀମାନଙ୍କର ଏହି ଅସୁବିଧାକୁ ଦୂର କରିବାକୁ ବର୍ତ୍ତମାନ ସମବାୟ ବିଭାଗ ପକ୍ଷରୁ ମଡ଼େଲ୍ ମଣ୍ଡିର ଯେଉଁ ବ୍ୟବସ୍ଥା ହୋଇଛି ତାହା ସ୍ୱାଗତଯୋଗ୍ୟ । ଆସନ୍ତାବର୍ଷ ସୁଦ୍ଧା ଏହି ମଣ୍ଡି ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ହଁ, ଏ ପ୍ରକାରର ମଣ୍ଡିର ସଂଖ୍ୟାକୁ ୩୮ରେ ସୀମିତ ନରଖି ଅନ୍ତତଃପକ୍ଷେ ପ୍ରତି ବ୍ଲକ୍ରେ ଗୋଟିଏ ଗୋଟିଏ କରିଲେ ଚାଷୀମାନଙ୍କର ଉତ୍ପାଦିତ ଶସ୍ୟ ସୁରକ୍ଷିତ ରହିପାରନ୍ତା । ଏମିତି ବି ଦେଖିବାକୁ ଗଲେ ଚାଷୀ ସମ୍ମୁଖରେ ଅନେକ ଶତ୍ରୁ ରହିଛନ୍ତି । ବର୍ଷା ମରୁଡ଼ି ଠାରୁ ଆରମ୍ଭ କରି ହିଂସା ବନ୍ୟଜନ୍ତୁଙ୍କ ପର୍ଯ୍ୟନ୍ତ ଅନେକ ପ୍ରକାରର ସମସ୍ୟା ଚାଷୀ ମୁଣ୍ଡରେ ରହିଛି । ତେଣୁ ଚାଷୀମାନଙ୍କର ଅନ୍ୟାନ୍ୟ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦିଆଗଲେ ଦେଶର ଜିଡ଼ିପି ବୃଦ୍ଧି ପାଇବ ।