ଯାଇନି ପ୍ରଫୁଲ୍ଲଙ୍କ ଚମକ ୮୪ବର୍ଷରେ ବରିଷ୍ଠ ଜନନେତା
ଯାଜପୁର: ୮୪ବର୍ଷରେ ପଦାର୍ପଣ କରିଛନ୍ତି ବର୍ଷିଆନ ରାଜନେତା ଡ଼.ପ୍ରଫୁଲ ଚନ୍ଦ୍ର ଘଡ଼ାଇ । କୋରେଇ ଏବଂ ସୁକିନ୍ଦାରୁ ସର୍ବମୋଟ ୭ଥର ବିଧାନସଭାକୁ ନିର୍ବାଚିତ ହେବାର ସୈାଭାଗ୍ୟଲାଭ କରିଥିବା ଡ଼. ପ୍ରଫୁଲଙ୍କ ଚମକ ଯାଇନି । ରାଜନୀତିରେ ପୋଖତ ପ୍ରଫୁଲ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ହେଁ ଆଜିବି ରାଜନୀତିରେ ରହିଛନ୍ତି । ସୁକିନ୍ଦାକୁ ନିଜର ଗଡ଼ ଭାବେ ପରିଣତ କରିଥିବା ପ୍ରଫୁଲ ନିଜ ସୁପୁତ୍ର ପ୍ରୀତିରଂଜନଙ୍କୁ ବିଧାନସଭା ପଠାଇବାରେ ବଡ଼ ଭୁମିକା ଲିଭାଇଥିଲେ । ଶ୍ରମିକ ରାଜନୀତିରେ ଯୋଡି ରହିଥିବା ପ୍ରଫୁଲ ରାଜନୀତିରେ ଜଣେ ଚାଣ୍ୟକ ଭାବେ ବିବେଚିତ ହୁଅନ୍ତି । ଜଣେ ସୁବକ୍ତା, ଜନନେତା ପ୍ରଫୁଲ ଆଜିବି ଚଳଚଞ୍ଚଳ । ସମସ୍ତଙ୍କୁ ନିଜର କରିବାର ଶକ୍ତି ରଖିଥିବା ପ୍ରଫୁଲଙ୍କୁ ତାଙ୍କ ଜନ୍ମଦିନରେ ମିଳିଛି ଅନେକ ଶୁଭକମନା । ତାଙ୍କୁ ଭଲ ପାଉଥିବା ବିଭିନ୍ନ ବର୍ଗର ଲୋକ, ଶୁଭେଚ୍ଛୁ, ଦଳୀୟ ନେତା ବ୍ୟାସନଗରର ଧବଳଗିରି ବାସଭବନରେ ପହଁଚି ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା । ସୁକିନ୍ଦା, କୋରେଇର ବହୁ ରାଜନେତା ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟକର୍ତା, ରାଜନୈତିକ ବ୍ୟକ୍ତିତ୍ୱ, ଶ୍ରମିକ ନେତା ପ୍ରଫୁଲଙ୍କ ଦୀର୍ଘମୟ ଜୀବନ କାମନା କରିଥିଲେ । ଜନ୍ମଦିନ ଅବସରରେ କାଙ୍କଡ଼ପାଳ ଠାରେ ସୈାରିକ ଆଥଲେଟିକ୍ ଆସୋସିଏସନ ଏବଂ ଶ୍ରମିକ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟାଜନ ହୋଇଥିଲା । ଶିବିରକୁ ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ ଉଦଘାଟନ କରିିଥିଲେ । ମଙ୍ଗଳା ୟୁଥକ୍ଲବର ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।