କଲମଛାଡ଼ ଆନେ୍ଦାଳନ ସ୍ଥଗିତ
ଯାଜପୁର ଟାଉନ : ବରୀ ବ୍ଲକରେ ୨ ଜଣ କର୍ମଚାରୀଙ୍କୁ ବିଧାୟକ ଓ ତାଙ୍କର ସମର୍ଥକ ମାଡ ମାରିବା ସହ ଦୁର୍ବ୍ୟବହାର ଘଟଣାରେ ଅମଲା ସଂଘ ପକ୍ଷରୁ ୩ଦିନ ଧରି କଲମ ଛାଡ଼ ଆନେ୍ଦାଳନ ଚଳାଇଥିଲେ । ଅମଲା ସଂଘ ପକ୍ଷରୁ ଏହି ଆନେ୍ଦାଳନକୁ ଗୁରୁବାର ମଧ୍ୟାହ୍ନରେ ଆନେ୍ଦାଳନକୁ ସ୍ଥଗିତ ରଖିଥିବା ନେଇ ଅମଲା ସଂଘ ଜିଲା ସଭାପତି ନିଗମାନନ୍ଦ ମାନ୍ଧାତା ଓ ସମ୍ପାଦକ ମଦନ ମୋହନ ପତି ସୂଚନା ଦେଇଛନ୍ତି । ଦେଶରେ ଯୁଦ୍ଧ ଲାଗିବା ଯୋଗୁ ଏକ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । କଲମଛାଡ଼ ଆନେ୍ଦାଳନ ଦ୍ୱାରା ଲୋକଙ୍କର କାର୍ଯ୍ୟ ହୋଇପାରୁନଥିବା ବେଳେ ଜିଲା କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାକୁ ଦୃଷ୍ଟିରେ ରଖି ଦେଶର ଏପରି ଅଭାବନୀୟ ପରିସ୍ଥିତିରେ କଲମ ଛାଡ଼ ଆନେ୍ଦାଳନ ସ୍ଥଗିତ ରଖିବା ପାଇଁ ସଂଘ ନିଷ୍ପତି ଗ୍ରହଣ କରିଛି । ଏନେଇ ସଂଘର କର୍ମକର୍ତା ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ସହିତ ଆଲୋଚନା କରି ସଂଘ ପକ୍ଷରୁ ତିନୋଟି ସର୍ତ ରଖାଯାଇଥିଲା । ପୁଲିସ ପ୍ରଶାସନ ମାମଲା ସମ୍ପର୍କରେ ଗତ ବୁଧବାର ଦିନ ଏକ ଖବରଦାତା ସମ୍ମିଳନୀରେ ବିଧାୟକ ଓ ତାଙ୍କ ସାଥୀଙ୍କୁ ନୋଟିସ ଦେଇଥିବା ନେଇ ସୂଚନା ଦେଇଥିଲେ । ଏଣୁ ମାମଲାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ସଂଘ ଜିଳାପାଳଙ୍କୁ କହିବା ସହ ବରୀ ବ୍ଳକକୁ କୌଣସି ଅମଲା କାର୍ଯ୍ୟ କରିବାକୁ ଯିବେ ନାହିଁ ବୋଲି ସର୍ତ ରଖିଥିଲେ । ଯେଉଁ ଅମଲା ୪ଜଣ କାର୍ଯ୍ୟ କରୁଥିଲେ ସେଥିମଧ୍ୟରୁ ମାମଲାର ଅଭିଯୋଗକାରୀ ଅମର ରଞ୍ଜନ ନାୟକ ଓ ଅଶ୍ୱିନୀ କୁମାର ସାହୁଙ୍କୁ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଗତ ୨ଦିନ ତଳେ ଅନ୍ୟତ୍ରକୁ ବଦଳି କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅନ୍ୟତ୍ର ବଦଳି କରିବା ନିମନ୍ତେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ କର୍ମଚାରୀ ଅସୁସ୍ଥତା ଯୋଗୁଁ ଛୁଟିରେ ଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଭୟଭୀତ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଏହି ୨ଜଣଙ୍କୁ ବଦଳି କରିବା ପାଇଁ ଅମଲା ସଂଘ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଅନ୍ୟ ବ୍ଲକରେ କାର୍ଯ୍ୟ କରୁଥିବା ଅମଲାଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସଂଘ ନିବେଦନ କରିଥିଲେ । ସଂଘ ଦ୍ୱାରା ରଖାଯାଇଥିବା ୩ଟି ସର୍ତ ଉପରେ ଜିଲାପାଳ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।