କିଡ୍ନୀ ପୀଡିତଙ୍କ ମୃତୁ୍ୟ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ 

କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡି ଆଦିବାସୀ ସାହିରେ କିଡ୍ନୀ ରୋଗ କବଳରେ ୫୦ରୁ ଅଧିକ ଆକ୍ରାନ୍ତ ହେବା ଏବଂ ୧୫ରୁ ଅଧିକଙ୍କ ମୃତୁ୍ୟ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚେତା ପସିଛି । ଜିଲ୍ଲା ଏବଂ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆଦିବାସୀ ସାହିରେ ରକ୍ତ ନମୁନା ସଂଗ୍ରହ ଶିବିର କରାଯାଇଥିଲା । କିଡ୍ନୀ ଆକ୍ରାନ୍ତ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରୁଥିବା ଅଭିଯୋଗ ହେବାପରେ ଜିଲ୍ଲା ସ୍ୱାସ୍ଥ୍ୟଧିକାରୀଙ୍କ ନିଦେ୍ର୍ଦଶରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମଚାରୀ, ପରିବେଶ ସୁରକ୍ଷା ବିଭାଗ, କୃଷି ବିଭାଗ, ଆରଡବ୍ଲୁ୍ୟଏସ୍ଏସ୍, ଖାଦ୍ୟ ନିରାପତ୍ତା ଓ ପିଆରଆଇ ଆଦି ବିଭାଗର ମିଳିତ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ୧୨୦ଜଣଙ୍କ ରକ୍ତ ତଥା ମୂତ୍ର ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜାଣିବାକୁ ମିଳିଛି । ପୂର୍ବମାସ ଏହି ଆଦିବାସୀ ମାନଙ୍କ ମଧ୍ୟରୁ ୮୯ଜଣଙ୍କର ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ସେଥିମଧ୍ୟରୁ ୪୫ ଜଣ କିଡ଼ନୀରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ସଚେତନତା ଅଭାବରୁ ଏହି ଆଦିବାସୀ ସାହିର ଦୁଇ ଶହରୁ ଅଧିକ ଏବେ ବି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ପାରି ନଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଘରଘର ବୁଲି ସେମାନଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସହଯୋଗ କରିବାକୁ ବୁଝାଇଥିଲେ ମଧ୍ୟ ସେମାନେ ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ସ୍ୱାସ୍ଥ୍ୟ ପରୀକ୍ଷା କରିନଥିବା ସୂଚନା ମିଳିଛି । ଶିବିରରେ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ମଲିକ, ଯାଜପୁରର ଯଯାତୀ ମେଡିକାଲ କଲେଜ କମୁ୍ୟନିଟ ମେଡିସିନର ମୁଖ୍ୟ ପ୍ରଫେସର ଶୋଭା ମାଲିନ, ଆସିଷ୍ଟାଣ୍ଡ ପ୍ରଫେସର ମମତା ରାଣୀ ଗିରି ଓ ଧରଣୀଧର ସିଂ, ନିଦାନ ବିଭାଗର ପ୍ରଫେସର ଅୟସକାନ୍ତ କର, ପାଥୋଲୋଜିର ଆସିଷ୍ଟାଣ୍ଡ ପ୍ରଫେସର ଶୁଭାଶିଷ ମିଶ୍ର, ଯକ୍ଷ୍ମା ବିଭାଗର ଏଡିପିଏଚଓ ଡ. ଦେବରାଜ ହାଁସଦା, ଇପିଆଇଡିଇଏମ ଲୋଜିଷ୍ଟ ଡ. ଜ୍ୟୋତିରଞ୍ଜନ ରାଉତ, ମାଇକ୍ରୋ ବାୟୋଲୋଜିଷ୍ଟ ନିଝୁମ ମହାପାତ୍ର, କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ବିନୋଦ ବିହାରୀ ସାହୁ, ପିଏଚଇଓ ପ୍ରସନ୍ନ କୁମାର ଜେନା ଉପସ୍ଥିତ ଥିଲେ ।