ଯାତ୍ରା ଜଗତରେ ବାସନ୍ଦ ଧାରା
ବର୍ତ୍ତମାନ କିଛି ଦିନ ହେଲାଣି ଯାତ୍ରା ଜଗତରେ ବାସନ୍ଦ ନାଟକ ଦେଖିବାକୁ ମିଳୁଛି । ଯାତ୍ରାର କଳାକାରମାନଙ୍କୁ ମାଲିକମାନେ ଦଳରୁ ବାହାର କରିବା ସହିତ ବାସନ୍ଦ କରି ଦେଉଛନ୍ତି । ଥରେ ଜଣେ ଗୋଟିଏ ଯାତ୍ରାରୁ ବାସନ୍ଦ ହୋଇଗଲେ ଅନ୍ୟ ଯାତ୍ରା ଦଳ ଗୁଡ଼ିକ ମଧ୍ୟ ଏହି ବାସନ୍ଦକୁ ଲାଗୁ କରି ଦେଉଛନ୍ତି । ଏଇଠି ଗୋଟିଏ କଥା ମନକୁ ଆସେ ଯେ ସାମାଜିକ ଭାବରେ କାହାରିକୁ ବାସନ୍ଦ କରିବା ହେଉଛି ଏକ ଅପରାଧ । ଯାତ୍ରା ଜଗତରେ ଅନେକ ଲୋକପ୍ରିୟ କଳାକାର ରହିଛନ୍ତି ଏବଂ ସେମାନଙ୍କର ଅନୁପସ୍ଥିତିରେ ଯାତ୍ରାଜଗତରେ ଆଉ ଆକର୍ଷଣ ରହିବ ନାହିଁ । ଲୋକେ ଶହଶହ ଟଙ୍କାର ଟିକେଟ୍ ଦେଇ ଯାତ୍ରା ଦେଖିବା ପାଇଁ ଆସୁଛନ୍ତି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ଯାତ୍ରା ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି । ତେବେ କୌଣସି ବ୍ୟକ୍ତିଗତ କାରଣ ପାଇଁ କୌଣସି ଜଣେ କଳାକାରକୁ ଯାତ୍ରା ପାର୍ଟିରୁ ବାହାର କରିଦେଲେ ମଧ୍ୟ ଅନ୍ୟ ଯାତ୍ରା ଦଳ ସେମାନଙ୍କୁ ଗ୍ରହଣ କରିନେବା ପାଇଁ ଚାହିଁ ବସିଥାନ୍ତି । ବର୍ତ୍ତମାନ କିଛି ଦିନ ହେଲା ବ୍ୟକ୍ତିଗତ କାରଣକୁ ନେଇ ଯାତ୍ରାମାଲିକଙ୍କ ସହିତ ମନୋମାଳିନ୍ୟ ହେଲେ ଯାତ୍ରା ମାଲିକ କଳାକାରଙ୍କୁ ଯାତ୍ରାବାସନ୍ଦ କରିଦେଉଛନ୍ତି । ଅନ୍ୟପକ୍ଷରେ ଯାତ୍ରା କଳାକାରମାନେ ମଧ୍ୟ ଧୀରେ ଧୀରେ ଏକଜୁଟ୍ ହେବାକୁ ଲାଗିଲେଣି । ସେମାନେ ମଧ୍ୟ ନିଜରଶକ୍ତି ପ୍ରଦର୍ଶନ କରିଲେଣି । କୌଣସି ଗୋଟିଏ ଯାତ୍ରା ଦଳରେ ଯଦି କାହାରିକୁ ବାସନ୍ଦ କରାଯାଉଛି ସେହି ଯାତ୍ରା ଦଳକୁ ବନ୍ଦ କରିଦେବା ପାଇଁ ଅନ୍ୟ କଳାକାରମାନେ ସହଯୋଗର ହାତ ବଢ଼ାଇଲେଣି । ପରସ୍ପର ପ୍ରତି ଧମକ, ଉତ୍ତର-ପ୍ରତୁ୍ୟତ୍ତର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏ ପ୍ରକାରର ଘଟଣାଗୁଡ଼ିକ ସାମଗ୍ରିକ ଭାବରେ ଯାତ୍ରା ଜଗତକୁ ବଦ୍ନାମ୍ କରୁଛି । ଯାତ୍ରାମାଲିକଙ୍କ ଅଧୀନରେ ଶହଶହ କଳାକାର କାର୍ଯ୍ୟକରି ପେଟ ପୋଷୁଛନ୍ତି, ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ହେଲେ ସେମାନଙ୍କର ସମ୍ମାନ ଉପରେ ଆଞ୍ଚ୍ ଆସିଲେ ଯାତ୍ରା ସଂସ୍ଥା ଛାଡ଼ିଦେବା ପାଇଁ ଧମକ ଦେଉଛନ୍ତି । ଏହାର ପ୍ରତୁ୍ୟତ୍ତରରେ ଯାତ୍ରା ପାର୍ଟିମାଲିକମାନେ ମଧ୍ୟ ପାଲଟା ଧମକ୍ ଦେଉଛନ୍ତି ।
ଏବେକାର ସଦ୍ୟ ତଥା ବିବାଦୀୟ ଖବର ହେଲା ଯାତ୍ରାମାଲିକ ସଂଘ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ଉପରେ ବାସନ୍ଦ ଲଗାଇଛି । ଯାତ୍ରା କଳାକାରମାନେ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ ଏମାନେ ଆଉ ମଞ୍ଚ ଉପରକୁ ଯିବେ ନାହିଁ । ଗତ ସପ୍ତାହରେ ଯାତ୍ରାମାଲିକସଂଘ ପକ୍ଷରୁଏକ ବୈଠକ ଡ଼କାଯାଇ କେତେକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ସମ୍ପର୍କରେ ଯାତ୍ରା କଳାକାର ସଂଘ ଜାଣିବା ପରେ ସେମାନେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ହାସ୍ୟ ଅଭିନେତା ନରି ପଣ୍ଡାଏବଂ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିବା ପର୍ଯ୍ୟନ୍ତ ଯାତ୍ରା କଳାକାର ସଂଘ ମଞ୍ଚକୁ ଉଠିବ ନାହିଁ । ଦରକାର ପଡ଼ିଲେ ଏ ବିବାଦକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନେବା ପାଇଁ ଯାତ୍ରା କଳାକାର ସଂଘ ଧମକ ଦେଲେଣି । ଯାତ୍ରା ଜଗତରେ ଅନେକ କିଛିଘଟଣା ଘଟୁଛି ଯାହାକି କେବେ ପଦାକୁ ଆସେ ନାହିଁ । କଳାକାରମାନଙ୍କ ଉପରେ ପ୍ରଯୋଜକମାନେ ଅତ୍ୟାଚାର କରୁଥିବା ଘଟଣାକୁ ପଦାକୁ ତଥା ଗଣମାଧ୍ୟମ ସମ୍ମୁଖକୁ ଆଣିବା ପାଇଁ ଯାତ୍ରା କଳାକାର ସଂଘ ଧମକ ଦେଲେଣି । ତେବେ ଏହି ଧମକ ପରେ ନରି ପଣ୍ଡାକୁ ମାଡ଼ ମରାଯାଇଥିବା ଏବଂ ଜୋର୍ ଜବରଦସ୍ତ ଏଗ୍ରିମେଣ୍ଟ୍ ପେପର୍ରେ ଦସ୍ତଖତ କରାଇନେବା ପ୍ରକାଶ କରିଲେଣି । ଏସବୁଚିତ୍ର ଯାତ୍ରା ଜଗତରେ ଏବେ କଳଙ୍କିତ ଅଧ୍ୟାୟ ଭଳି । ଯାତ୍ରା ଜଗତରେ କଳାକାରମାନଙ୍କୁ ନେଇ ଯେଉଁ ପ୍ରକାରର ପ୍ରତିବାଦ, ବାଦାନୁବାଦ ଉଠୁଛିତାହା ଆଦୌ ଶୋଭନୀୟ ନୁହେଁ । ମିଳାମିଶା ମାଧ୍ୟମରେ ଏ ସମସ୍ୟାର ସମାଧାନ କରାଗଲେ ଯାତ୍ରାଜଗତର ସମ୍ମାନ ରହିବ ।