ବାସ୍ତବତା

ଗୋପାଳ  ମହାପାତ୍ର : ପ୍ରତିଷ୍ଠିତ ସଂସ୍ଥା ଫୋର୍ବସ ୨୦୨୫ ପାଇଁ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ଏକ ତାଲିକା ଜାରି କରିଛି । ଏହି ସର୍ବାଧିକ ୧୦ ଶକ୍ତିଶାଳୀ ଦେଶର ତାଲିକାରେ ଭାରତର ନାମ ନାହିଁ । ଫୋର୍ବସର ଏହି ର୍ୟାଙ୍କିଙ୍ଗ ମଡ଼େଲକୁ ବିଏବି ଗ୍ରୁପ୍ ପ୍ରସ୍ତୁତ କରିଛି । ଏହି ବିଏବି ଗ୍ରୁପ୍ ଡ଼ବ୍ଲୁପିସି ୟୁନିଟର ଏକ ଅଂଶ ଓ ଏହାର ନେତୃତ୍ୱ ନେଇଥାନ୍ତି ପେନସାଲାଭାନିଆ ବିଶ୍ୱବିଦ୍ୟାଳୟର ହ୍ୱାଟର୍ଣ୍ଣ ସ୍କୁଲର ପ୍ରଫେସର ଡ଼େଭିଡ଼ ରିବଷ୍ଟନ । ଫୋର୍ବସ ଜାରି କରିଥିବା ଏହି ତାଲିକାକୁ ନେଇ ଏବେ ଆଲୋଚନା ସମାଲୋଚନା ଚାଲିଛି । କାରଣ ଭାରତ ଭଳି ବିଶାଳ ଓ ବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଏହି ତାଲିକାରୁ ବାଦ୍ ଦିଆଯାଇଛି । ଅନ୍ୟ ପକ୍ଷରେ କେତେକ ଛୋଟ ଦେଶମାନଙ୍କୁ ତାଲିକାରେ ସାମିଲ କରାଯାଇଛି । ଭାରତ ଏବେ ବିଶ୍ୱର ୫ମ ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଏଥିସହ ଭାରତର ସେନା ବିଶ୍ୱର ୪ର୍ଥ ବୃହତ୍ ସେନା ଅଟେ । ଫୋର୍ବସର ଏହି ର୍ୟାଙ୍କିଙ୍ଗକୁ ନେଇ ଗଣମାଧ୍ୟମର କିଛି ଭାଗ  ପକ୍ଷରୁ କୁହାଯାଇଛି ଯେ ଭାରତ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର । କିନ୍ତୁ ଏବେ ଆତ୍ମମନ୍ଥନ କରାଯିବା ଉଚିତ୍ ଯେ କେଉଁ କାରଣ ପାଇଁ ତାଲିକାରେ ଭାରତର ନାମକୁ ବାଦ୍ ଦିଆଯାଇଛି ।  କାରଣ ହେଉଛି ପଶ୍ଚିମୀ ଦେଶରେ କରାଯାଉଥିବା ଏହି ସମୀକ୍ଷା ଓ ସର୍ବେକ୍ଷଣ ଶତ ପ୍ରତିଶତ ଠିକ୍ ନହେଲେ ମଧ୍ୟ ଅନେକାଂଶରେ ନିରପେକ୍ଷତା ଅବଲମ୍ବନ କରାଯାଇ ନିଷ୍କର୍ଷ ବାହାର କରାଯାଇଥାଏ । ଅବଶ୍ୟ ଏହି ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଯାଇଥାଏ । କୁହାଯାଏ ଯେ କିଛି ପ୍ରଭାବଶାଳୀ ତତ୍ତ୍ୱ ଏହା ପଛରେ କାର୍ଯ୍ୟ କରିଥାନ୍ତି କାରଣ ସେମାନେ ଭାରତ ଶକ୍ତିଶାଳୀ ହେବା ·ହିଁନଥାନ୍ତି । ଫୋର୍ବସ ର୍ୟାଙ୍କିଙ୍ଗ ମୁତାବକ ଶକ୍ତିଶାଳୀ ଦେଶର କ୍ରମ ହେଉଛି- ଆମେରିକା (ଜିଡିପି-୩୦.୩୪ଟ୍ରିଲିୟନ୍ ଡଲାର), ଚୀନ(୧୯.୫୩ ଟ୍ରିଲିୟନ ଡଲାର), ଋଷ (୨.୨ଟ୍ରିଲିୟନ ଡ଼ଲାର), ୟୁନାଇଟେଡ଼ କିଙ୍ଗଡ଼ମ (୩.୭୩ଟ୍ରିଲିୟନ ଡ଼ଲାର) । ଏହି କ୍ରମରେ ରହିଛନ୍ତି ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜାପାନ, ଏବଂ ଇସ୍ରାଏଲ । ଏଥିରୁ ସ୍ପଷ୍ଟ ଯେ ଫୋର୍ବସ ର୍ୟାଙ୍କିଙ୍ଗ କେଉଁ ଆଧାରରେ କରାଯାଇଛି । ସର୍ବପ୍ରଥମେ ନେତୃତ୍ୱ କ୍ଷମତାକୁ ବିଚାରକୁ ନିଆଯାଇଛି । ଏହାର ଅର୍ଥ ହେଉଛି ଦେଶର ଅର୍ଥବ୍ୟବସ୍ଥା କେତେ ମଜଭୁତ ଏବଂ ବ୍ୟାପକ ଅଟେ । ଅନ୍ୟ ଏକ ବିଷୟ ବା ପ୍ରସଙ୍ଗ ହେଉଛି ଦେଶର ରାଜନୈତିକ ସ୍ଥିରତା ଓ ବିଶ୍ୱରାଜନୀତିରେ ସଂପୃକ୍ତ ଦେଶର ସ୍ଥିତି କେମିତି ରହିଛି । ଅନ୍ତର୍ଜାତୀୟ ମେଣ୍ଟ କଥାକୁ ମଧ୍ୟ ସମୀକ୍ଷା ବେଳେ ଗୁରୁତ୍ୱ ଦିଆଯାଇଥାଏ । ଏସବୁ ପରେ ଅନ୍ୟ ଦେଶ ମାନଙ୍କ ସହ ସମ୍ପର୍କ ଏବଂ କୂଟନୈତିକ ଭାଗିଦାରୀ ଏବଂ ବୁଝାମଣାକୁ ବିଚାରକୁ ନିଆଯାଇଥାଏ । ଏସବୁକୁ ବିଚାରକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଅନେକ ଦେଶର ଅର୍ଥବ୍ୟବସ୍ଥାର ଆକାର ବଡ଼ ଥାଇପାରେ କିନ୍ତୁ ସେହି ଦେଶର ନେତୃତ୍ୱ ପର୍ଯ୍ୟାପ୍ତ ଭାବେ ସଶକ୍ତ ନଥିଲେ ସେ ଦେଶର କ୍ରମାଙ୍କ ଘଟିଥାଏ । ସେହି ପରି ଅର୍ଥବ୍ୟବସ୍ଥା ବଡ଼ ଥାଇପାରେ, ନେତୃତ୍ୱ ମଧ୍ୟ ପ୍ରଭାବଶାଳୀ ଥାଇପାରେ କିନ୍ତୁ କୂଟନୈତିକ ସ୍ତରରେ  ଦେଶର ପ୍ରଭାବ ନଥିଲେ ସେ ଦେଶର କ୍ରମାଙ୍କ ତଳକୁ ଖସି ଯାଇଥାଏ ।
ଏମିତି ଦେଖିବାକୁ ଗଲେ ଭାରତ ଏବେ ବିଶ୍ୱର ୫ମ ବୃହତ୍ ଅର୍ଥବ୍ୟବସ୍ଥା ଏବଂ ଭାରତର ବିଶାଳ ସେନା ରହିଛି । ଏଣୁ କେଉଁ କାରଣ ପାଇଁ ଭାରତକୁ ଏହି ତାଲିକାରୁ ବାଦ୍ ଦିଆଗଲା? ସମ୍ଭବତଃ ନେତୃତ୍ୱ କାରଣରୁ । ୨୦୨୪ ମସିହାରେ ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଳଢ଼ିଥିଲା । ଲକ୍ଷ୍ୟ ଥିଲା ବିଜେପି ଏକାକୀ ୩୭୦ ବା ତାଠାରୁ ଅଧିକ ଆସନରେ ଜିତିବ । ଏବଂ ଶାସକ ମେଣ୍ଟ ନ୍ୟାସନାଲ ଡ଼େମୋକ୍ରାଟିକ୍ ଏଲାଏନ୍ସ (ଏନଡିଏ)ର ସମ୍ମିଳିତ ଶକ୍ତିକୁ ଲୋକସଭାରେ ୪୦୦ରୁ ଅଧିକ ଆସନ ପର୍ଯ୍ୟନ୍ତ ନେଇଯିବ । କିନ୍ତୁ ଏମିତି ହୋଇପାରିନଥିଲା । ବିଜେପି ୨୪୦ ଆସନରେ ଅଟକି ଯାଇଥିଲା । ଏବଂ ସରକାର ଗଠନ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କ ଉପରେ ନିର୍ଭର କରିବାକୁ ପଡିଥିଲା । ଏସବୁର ପ୍ରଭାବ ମଧ୍ୟ ସଂସଦ ଭିତରେ ସରକାରର କାର୍ଯ୍ୟକଳାପରୁ ଜଣାପଡିଯାଉଛି । ୨୦୧୪-୧୯ ତଥା ୨୦୧୯-୨୪ର ଦୁଇ କାର୍ଯ୍ୟକାଳ ସମୟରେ ମୋଦୀ ସରକାର ମନଇଛା ନିଷ୍ପତ୍ତି ନେଇପାରୁଥିଲେ । କିନ୍ତୁ ଏବେ ସେକଥା ନାହିଁ । ଓ୍ୟାକଫ ବୋର୍ଡ ସଂଶୋଧନ ଅଧିନିୟମ (ବିଲ୍)କୁ ସଂଯୁକ୍ତ ସଂସଦୀୟ କମିଟିକୁ ପଠାଇବାକୁ ପଡିଲା । ଏକଥା ଭିନ୍ନ ଯେ ଯେନତେନ ପ୍ରକାରେଣ ସରକାର ସେଥିରେ ସଂଶୋଧନ କରାଇବାରେ ସଫଳ ହୋଇଥିଲେ । ବିଗତ ଦୁଇ ଲୋକସଭା ମୁକାବିଲାରେ ଏଥର ଲୋକସଭାରେ ବିରୋଧୀଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି ସରକାର  ।  ସରକାରଙ୍କ ପ୍ରଚାରତନ୍ତ୍ର ଯେତେ କଥା କହୁଛି ବାସ୍ତବତା କିନ୍ତୁ ତାର ବିପରୀତ । ବେରୋଜଗାରୀ ଦର ଭାରତରେ ୪୫ବର୍ଷର ଉଚ୍ଚତମ ସ୍ତରରେ  । ବିଗତ ୧୦ ବର୍ଷ ହେବ ଅସଂଗଠିତ କ୍ଷେତ୍ରକୁ ଅଣଦେଖା କାରଣରୁ କୋଟି କୋଟି ଲୋକଙ୍କର ଆଜୀବିକା ପ୍ରଭାବିତ ହୋଇଛି । ଶିଳ୍ପସଂସ୍ଥା ଏବଂ ସେବା କ୍ଷେତ୍ରରେ କ୍ରମାଗତ ବେରୋଜଗାର ବଢୁଛି । ଭାରତ ସରକାର ଆତ୍ମସନ୍ତୋଷରୁ ବାହାରି ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଆବଶ୍ୟକ ।
       ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪