ଯୁବପିଢିଙ୍କ ସ୍ୱପ୍ନ ପୂରଣ କରୁଛି ଦକ୍ଷତା କେନ୍ଦ୍ର

 ଭୁବନେଶ୍ୱର : ଯୁବପିଢିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ବିଶ୍ୱ ଦକ୍ଷତା କେନ୍ଦ୍ର । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବରଗଡର ଅଞ୍ଜୁଲତା ନେଗି ଏବଂ କେନ୍ଦୁଝରର ପ୍ରୀତି ସାହୁ । ଏନେଇ ବରଗଟର ଅଞ୍ଜୁଲତା କୁହନ୍ତି, ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି । ବିଶ୍ୱ ଦକ୍ଷତା କେନ୍ଦ୍ର ଯୋଗୁଁ ଆଜି ତାହା ସମ୍ଭବ ହୋଇଛି । ସେହିପରି କେନ୍ଦୁଝରର ପ୍ରୀତି କୁହନ୍ତ ସ୍ପା ଓ ସାଲୁନ ସେବା କ୍ଷେତ୍ରରେ କାମ କରିବା ପାଇଁ ମୋର ଲକ୍ଷ୍ୟ ଥିଲା । ହେଲେ ଘରେ ଅସୁବିଧା ଥିବାରୁ ଏ ଦିଗରେ ମୁଁ ସାହସ କରିପାରୁ ନଥିଲି । ବହୁ ସଂଘର୍ଷ କରି +୨ ପାସ୍ କରିବା ପରେ ବିଶ୍ୱ ଦକ୍ଷତା କେନ୍ଦ୍ରର ବୁ୍ୟଟି ଆଣ୍ଡ ୱେଲନେସ୍ ପାଠ୍ୟକ୍ରମରେ ତାଲିମ ନେଇ ଆଜି ମୁଁ ମୋ’ ସ୍ୱପ୍ନକୁ ସାକାର କରିପାରିଛି । ଅଞ୍ଜୁଲତା ଏବେ ଦୁବାଇର ଇଏଫଏସ୍ ଫାସିଲିଟିଜ୍ ସର୍ଭିସେସରେ ଚାକିରି କରି ବର୍ଷକୁ ୬ ଲକ୍ଷ ୧୫ ହଜାର ଟଙ୍କା ପାଉଛନ୍ତି । ସେହିପରି ପ୍ରୀତି ପୁରୀର ଅନନ୍ୟା ପ୍ରାଇଡ୍ ରିସର୍ଟରେ ଚାକିରି କରି ବର୍ଷକୁ ୨ ଲକ୍ଷ ୮୮ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହି ଦୁଇ ଛାତ୍ରୀଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ବିଶ୍ୱ ଦକ୍ଷତା କେନ୍ଦ୍ର ଭାରତର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର । ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ-ଇନ୍-ଓଡିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ସ୍ଥାପିତ ଏହି କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି । ଏଠାରେ ରାଜ୍ୟର ଉଭୟ ଗାଁ ଓ ସହରରୁ ଆସୁଥିବା ଛାତ୍ରଛାତ୍ରୀମାନେ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ତାଲିମ ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦେବା ଲାଗି ‘ପ୍ଲେସମେଣ୍ଟ ଇଣ୍ଟରଭିଉ’ କାର୍ଯ୍ୟକ୍ରମ କରାଯାଉଛି । ଫଳରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର ।