ରକ୍ତଦାନ ହେଉଛି ଜୀବନ ଦାନ

 ରକ୍ତଦାନ ହେଉଛି ଜୀବନ ଦାନ
ଅଶ୍ୱିନୀ କୁମାର ବାରିକ : ଅନ୍ୟର ଜୀବନ ବଞ୍ଚାଇବା ଠାରୁ ବଡ଼ ପୁଣ୍ୟ କ'ଣ ହୋଇପାରେ ? ବୋଧହୁଏ ଏଥିପାଇଁ ଲୋକମାନେ ରକ୍ତଦାନ କରିବାରେ ସନ୍ତୋଷ ପାଆନ୍ତି । ଯେ କୌଣସି ସ୍ୱାସ୍ଥ୍ୟବାନ ବ୍ୟକ୍ତି ରକ୍ତଦାନ କରିପାରନ୍ତି, କାରଣ ଏଥିରେ କୌଣସି କ୍ଷତି ନଥାଏ । ଆମ ଦେଶରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ସହିଦ ଦିବସ ଆଦି ଅବସରରେ ଗଣରକ୍ତଦାନ ଶିବିରମାନ ଆୟୋଜିତ ହେଉଥିବାବେଳେ ବର୍ଷର ବିିଭିନ୍ନ ଦିବସରେ ରେଡ଼କ୍ରସ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନେ ନିୟମିତ ରକ୍ତଦାନ ଶିବିରର ଆୟୋଜନ କରିଥାନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଅନେକଙ୍କ ମନରେ ରକ୍ତଦାନକୁ ନେଇ ଭୟ ରହିଛି। କିଛି ଲୋକ ଭାବନ୍ତି ରକ୍ତଦେଲେ ଶରୀର ଦୁର୍ବଳ ହୋଇଯାଇପାରେ । ତା'ହେଲେ ଆସନ୍ତୁ ଜାଣିବା ରକ୍ତଦାନ ସମ୍ପର୍କରେ କିଛି ତଥ୍ୟ ।
   
   ରକ୍ତଦାନ ପାଇଁ ଜଣଙ୍କର ଆବଶ୍ୟକୀୟ ଯୋଗ୍ୟତା ହେଉଛି ସେ ୧୮ରୁ ୬୦ ବର୍ଷ ବୟସ ଭିତରେ ହୋଇଥିବେ । ଓଜନ ୪୫ କିଗ୍ରା ବା ତାଠାରୁ ଅଧିକ । ପଲ୍‌ସ ରେଟ୍‌ (ନାଡ଼ିର ସ୍ପନ୍ଦନ) ଓ ବିପି ଉଭୟ ଠିକ୍‌ ଥିବ । ହିମୋଗ୍ଲୋବିନ (ଏଚ୍‌ବି) ଅତି କମ୍‌ରେ ୧୨.୫ ଥିବ । ଏହାର ପରବର୍ତ୍ତୀ ରକ୍ତଦାନ ଅତି କମ୍‌ରେ ୩ ମାସ ପୂର୍ବରୁ ହୋଇଥିବ । ଏହିମାନେ ହିଁ ରକ୍ତଦାନ କରିପାରିବେ । ଯଦି କୌଣସି ବ୍ୟକ୍ତି ବିପଜ୍ଜନକ ରୋଗରେ ଆକ୍ରାନ୍ତ ନହୋଇ ଅନ୍ୟ ସାଧାରଣ ରୋଗ ପାଇଁ ଚିକିତ୍ସିତ ହେଉଥିବେ ତେବେ ସେ ରକ୍ତଦାନ କରିପାରନ୍ତି । ରକ୍ତଦାନର ଚବିଶ ଘଣ୍ଟା ପୂର୍ବରୁ ନିଶାଦ୍ରବ୍ୟ ବା ମଦ୍ୟ ପାନ କରିଥିବା ଲୋକଙ୍କ କ୍ଷେତ୍ରରେ ସତର୍କତା ଲୋଡ଼ା ପଡ଼ିଥାଏ । ଏହାର ପ୍ରଭାବ ରକ୍ତ ନେଉଥିବା ବ୍ୟକ୍ତିର ରକ୍ତକୁ ଯାଉନାହିଁ ବରଂ ରକ୍ତଦାନ କରୁଥିବା ବ୍ୟକ୍ତିର ଅଙ୍ଗ ଅସୁସ୍ଥ ହୁଏ । ଗର୍ଭବତୀ ବା ପ୍ରସୂତି ମହିଳା ଏବଂ ଋତୁଚକ୍ର ମଧ୍ୟରେ ମହିଳାମାନେ ରକ୍ତଦାନ କରିପାରିବେ ନାହିଁ । ଯେଉଁମାନଙ୍କର ଭୂତାଣୁ ଜନିତ ସଂକ୍ରମଣ ଅଛି, ରକ୍ତଦ୍ୱାରା ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଥାଏ । ଲିଭର, ହୃତ୍‌ପିଣ୍ଡ, କିଡ଼ନୀ, ମସ୍ତିଷ୍କ ବା ଫୁସ୍‌ଫୁସ୍‌ ସମସ୍ୟା ଥିଲେ  ଶ୍ୱାସରୋଗ, କ୍ୟାନସର କିମ୍ବା ହେପାଟାଇଟିସ୍‌ ଥିଲେ ରକ୍ତଦାନ କରିପାରିବେ ନାହିଁ । ଯେଉଁମାନେ ରକ୍ତଚାପ ଔଷଧ ଖାଉଛନ୍ତି ସେମାନେ ରକ୍ତଚାପ ନିୟନ୍ତ୍ରିତ ହେବା ପରେ ରକ୍ତ ଦେଇପାରନ୍ତି । ଥାୟରଏଡ଼ କିମ୍ବା ହରମୋନ ଅସନ୍ତୁଳନ ରୋଗ ଥିଲେ । ଯେଉଁ ବ୍ୟକ୍ତି ନିଜେ ରକ୍ତ ନେଇଥିବେ ବର୍ଷେ ପୂର୍ବରୁ ସେ ରକ୍ତଦାନ କରିପାରିବେ ନାହିଁ । ଜେନେଟିକ୍‌ ଡିଜଅଡର଼୍ର ବା ମାନସିକ ରୋଗ ଥିବା ବ୍ୟକ୍ତିମାନେ, ଡିପ୍ରେସନ ଔଷଧ ଖାଉଥିବା ଲୋକମାନେ ମଧ୍ୟ ରକ୍ତ ଦେଇପାରିବେ ନାହିଁ ।
   ଯେଉଁ ମହିଳାମାନଙ୍କର ୬ମାସ ମଧ୍ୟରେ ଗର୍ଭପାତ ହୋଇଛି କିମ୍ବା ୧ବର୍ଷ ମଧ୍ୟରେ ଅସ୍ତ୍ରୋପଚାର ହୋଇଛି, କୁକୁର କାମୁଡ଼ା ଇଞ୍ଜେକ୍ସନ ନେଇଥିବା ଲୋକମାନେ ୧ବର୍ଷ ମଧ୍ୟରେ ରକ୍ତ ଦେଇପାରିବେ ନାହିଁ । କୁକୁର କାମୁଡ଼ିବା ପରେ ଇଞ୍ଜେକ୍ସନ ନେଇନଥିବା ବ୍ୟକ୍ତିମାନେ ସାରା ଜୀବନ ରକ୍ତ ଦେବେ ନାହିଁ । ହାଡ଼ ଭାଙ୍ଗିଥିଲେ, ଅସ୍ତ୍ରୋପଚାର ଏବଂ ଗଲ୍‌ ବ୍ଲାଡ଼ର ରିମୁଭ ହୋଇଥିବା ବ୍ୟକ୍ତିମାନେ ୬ ମାସ ମଧ୍ୟରେ ଦେଇପାରିବେ ନାହିଁ । ଏକାଧିକ ଯୌନ ସାଥୀ ଥିବା ବ୍ୟକ୍ତିମାନେ, ଅପସ୍ମାର କିମ୍ବା କୁଷ୍ଠରୋଗୀମାନେ ରକ୍ତଦାନ କରିପାରିବେ ନାହିଁ । ଟାଟୁ କରିଥିଲେ ୬ ମାସ ମଧ୍ୟରେ, ଦାନ୍ତ ଫିଲିଂ କରିଥିଲେ କିମ୍ବା ଚିକିତ୍ସା କରିଥିଲେ ୩ ମାସ ପର୍ଯ୍ୟନ୍ତ । ମ୍ୟାଲେରିଆ ହୋଇଥିଲେ ୩ମାସ ପର୍ଯ୍ୟନ୍ତ ଏବଂ ଟାଇଫଏଡ଼ ହୋଇଥିଲେ ୧ ବର୍ଷ ପର୍ଯ୍ୟନ୍ତ ରକ୍ତ ଦେବେ ନାହିଁ । ଯେଉଁ ବ୍ୟକ୍ତିଙ୍କ ଓଜନ ହଠାତ୍‌ ୫ / ୧୦ କେଜି କମ୍‌ ହୋଇଯାଏ ସେମାନେ ଯାଞ୍ଚ ପରେ ରକ୍ତ ଦେଇପାରନ୍ତି । ଯେଉଁମାନଙ୍କ ଠାରେ ଏଡ଼୍‌ସର କୌଣସି ଲକ୍ଷଣ ଅଛ, ଯେଉଁମାନଙ୍କର ହିମୋଗ୍ଲୋବିନ୍‌ ୧୮ ବା ୧୯ ଉପରକୁ ଚାଲିଯାଇଥିବ, ଯେଉଁମାନେ ଇନ୍‌ସୁଲିନ୍‌ ନେଉଛନ୍ତି ସେମାନେ ରକ୍ତ ଦେବେ ନାହିଁ । ଯଦି ରକ୍ତ ଶର୍କରା ଔଷଧ ଦ୍ୱାରା ନିୟନ୍ତ୍ରଣରେ ଅଛି ତା'ହେଲେ ରକ୍ତଦାନ କରିପାରିବେ । ଯେଉଁମାନଙ୍କର ମୁଣ୍ଡ ବ୍ୟଥା ବା ପେଟରୋଗ ଅଛି ସେମାନେ ମଧ୍ୟ ରକ୍ତଦାନ କରିବା ଅନୁଚିତ । ସୁତରାଂ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବ୍ୟକ୍ତିର ରକ୍ତ ହିଁ ବାସ୍ତବରେ ଗ୍ରହଣଯୋଗ୍ୟ ହୋଇଥାଏ ।
   ଅନେକ ହୁଏତ ଜାଣି ନଥିବେ ଦୁର୍ଘଟଣାର ଆହତ ବ୍ୟକ୍ତଟି ହୁଅନ୍ତୁ ବା ବଡ଼ ଅସ୍ତ୍ରୋପଚାର, ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ହେଉ ବା ଥାଲାସେମିଆ, ଏନିମିଆ, କ୍ୟାନସର, କେମୋ ଥେରାପି, ଡାୟାଲିସିସ୍‌, ହେମୋଫିଲିଆ ବା ରକ୍ତ ସମ୍ବନ୍ଧିତ ଅନ୍ୟ ରୋଗ ମାନଙ୍କୁ ରକ୍ତ ଦରକାର ପଡ଼ିଥାଏ । ବାସ୍ତବରେ ରକ୍ତଦାନକୁ ନେଇ ଅନେକଙ୍କ ଭିତରେ ଅନେକ ଭ୍ରାନ୍ତି ଓ ଭୁଲ ବୁଝାମଣା ଥାଏ । ରକ୍ତଦାନ ଏକ ଶ୍ରେଷ୍ଠ ସେବା ଏବଂ ଯେଉଁମାନଙ୍କ ରକ୍ତରୁ ପ୍ଲାଜମା ବା ପ୍ଲାଟଲେକ୍ସ ନିଆଯାଇଛି ଯାଞ୍ଚ ପରେ ସବୁକିଛି ସାଧାରଣ ଥିଲେ ସେ ୭/୧୦ ଦିନ ପରେ ପୁଣି ରକ୍ତ ଦେଇପାରିବେ । ଯେଉଁମାନଙ୍କର ଓଜନ ୬୦ କେଜିରୁ କମ୍‌ ସେମାନେ ଥରକେ ସାଢେ଼ ୩୦୦ ମିଲିଲିଟର ରକ୍ତ ଦେଇପାରିବେ । ଓଜନ ୬୦ କେଜିରୁ ଅଧିକ ହେଲେ ସାଢେ଼ ୪୦୦ ମିଲିଲିଟର ରକ୍ତ ଦେଇପାରିବେ । ଆପଣ ଯେଉଁ ରକ୍ତଦାନ କରୁଛନ୍ତି ତାହାକୁ ଶରୀର ୨୧ ଦିନ ଭିତରେ ପୁନର୍ବାର ପ୍ରସ୍ତୁତ କରିପାରିବ । ପଇସା ବଦଳରେ ରକ୍ତ ମିଳେ ନାହିଁ, ରକ୍ତ ବଦଳରେ ରକ୍ତ ମିଳେ ବ୍ଲଡ଼ ବ୍ୟାଙ୍କରୁ । ଯଥାର୍ଥରେ କୁହାଯାଏ ରକ୍ତ ଦାନ ହେଉଛି ଜୀବନର ଶ୍ରେଷ୍ଠ ଦାନ । ରକ୍ତଦାନ ଜୀବନ ଦାନ ଏହି ମହାମନ୍ତ୍ରକୁ ଆପଣାଇ ଜୀବନରେ ରକ୍ତଦାନ ପରି ସେବା ଧର୍ମରେ ନିୟୋଜିତ ରହିବା ଯଥାର୍ଥରେ ମାନବୀୟ ମୂଲ୍ୟବୋଧର ପରିପ୍ରକାଶ ହୋଇଥାଏ । 
ମୋ : ୯୩୩୭୦୫୫୬୨୨