ରଥଖଳାରୁ... ସ୍ନାନଯାତ୍ରାର ୪ଦିନ ପୂର୍ବରୁ ଉଠିଲା ଚାରି ନାହାକା

 ପୁରୀ : ରଥଖଳାରେ ଶନିବାର ୩ରଥର ୪ନାହାକା ଉଠିଛି । ପ୍ରଥମେ ତାଳଧ୍ୱଜ, ଏହା ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଚାରି ନାହାକା ଉଠିଥିଲା । ଏହି ସହିତ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକମାନଙ୍କ ଦ୍ୱାରା ୩ରଥର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପିତ ହୋଇଛି । ଦଣ୍ଡର ଆଗ ଓ ପଛ ମୁହାଁଟରେ ଲଗାଯାଇଛି ଗୁଜ ଓ ଜଳଯନ୍ତ୍ର । ବିଧି ଅନୁଯାୟୀ ସ୍ନାନପୂର୍ଣ୍ଣମୀ ସୁଦ୍ଧା ଚାରିନାହାକା ଉଠିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତତ୍ପୂର୍ବରୁ ଆଜି ଚାରିନାହାକା ଉଠିଛି । ତେଣୁ ୩ ରଥର ନିର୍ମାଣକାରୀ ସେବକମାନଙ୍କ ଦ୍ୱାରା ରଥ ନିର୍ମାଣ ତ୍ୱରାନ୍ୱିତ ହୋଇଛି । ୩ରଥର ଦଣ୍ଡା ଆଗ ଓ ପଛ ମୁହାଁଟରେ ଗୁଜ ଓ ଜଳଯନ୍ତ୍ର ରଖି ଆଖ ଆଣି ଓ ପଛ ଆଣି ନିରାଡ଼ି ସ୍ଥାପନ କରାଯାଇଥିଲା । 
ଭୋଇ ସର୍ଦ୍ଧାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ୩ରଥର ଅଖ ଉପରକୁ ଦଣ୍ଡା ଉଠାଇଥିଲେ । ଦଣ୍ଡା ପଡ଼ିବା ପରେ ମହାରଣା ସେବକମାନେ ୩ ରଥର ଦଣ୍ଡା ଗୋଳେଇ କାର୍ଯ୍ୟ କରିଥିଲେ । ଆଗ ମୁହାଁଟରେ ୫ଟି ସାଲଗୁଜ, ପଛ ମୁହାଁଟରେ ୩ଟି ଜଳଯନ୍ତ୍ର ଓ ୨ଟି ସାଲଗୁଜ ଉଠି ଗୁଜ ଉପରେ ବିରାଡ଼ି ପଡ଼ିଥିଲା । କୁଡ଼ୁକା ସଂଯୋଗ ପରେ କତା ପଉଡ଼ିରେ ଟାଣ ଦେଇ ବାନେ୍ଧଣୀ କରାଯାଇଥିଲା । ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଦଣ୍ଡା ଏବଂ ଦର୍ପଦଳନ ରଥର ୭ଟି ଦଣ୍ଡାକୁ ଅଖ ଉପରେ ରଖାଯାଇଛି । ୨୦୬ଜଣ ସେବକ ଅହରହ ସେବାକାର୍ଯ୍ୟରେ ମଜିଯାଇଛନ୍ତି । ରଥ ନିର୍ମାଣର ୩୮ତମ ଦିବସରେ ଆଜି ଚାରି ନାହାକା ଉଠିଛି । ତିନି ରଥର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମିନ ତିନିଗୋଟି ଚାଳିକୁ ଚାରିଗୋଟି ଲେଖାଏଁ ୬ଫୁଟିଆ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ । ଯାହାକି ତିନି ରଥ ସେବକମାନେ ତାର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି । ତିନି ରଥର ଶେଷ ଦୁଇଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକମାନେ ଶେଷ କରିଛନ୍ତି । ରୂପକାର ସେବକମାନେ ତିନି ରଥର ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି ।