ରବି ଧାନକିଣାରେ ଜାଗ୍ରତ ପ୍ରହରୀ ସାଜିବ କୃଷକମୋର୍ଚ୍ଚା

 ଭୁବନେଶ୍ୱର:   ଆସନ୍ତା ୧ ତାରିଖରୁ ରାଜ୍ୟର ୧୭ ଜିଲ୍ଲାରେ ରବି ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଚଳିତଥର ଚାଷୀଙ୍କ ଠାରୁ ୨୦ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଧାନକିଣା କାରବାରକୁ ବ୍ୟାପକ ସ୍ୱଚ୍ଛତା ଓ ଶୃଙ୍ଖଳିତ କରିବା ପାଇଁ ଜାଗ୍ରତ ପ୍ରହରୀ ସାଜିବ ବିଜେପି କୃଷକମୋର୍ଚ୍ଚା । ଆଜି ଏକ ବୈଠକରେ ବିଜେପି କର୍ମକର୍ତ୍ତାଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ । ଗତ ଖରିଫ ଧାନ କିଣା କାରବାରରେ ସ୍ୱଚ୍ଛତା ଥିବାରୁ ଏଥିପାଇଁ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ବିପଦ ଭଞ୍ଜନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ଅଶୋକ ରଥ, ରାଜ୍ୟ ସଂଯୋଜକ ଗୋବନ୍ଦ ଚନ୍ଦ୍ର ପ୍ରଧାନ, ଡ. ଜଗନ୍ନାଥ ମହାପାତ୍ର, ଜୟଲକ୍ଷ୍ମୀ ମହାନ୍ତି, ସୁନୀଲ ମହାନ୍ତି, ସନ୍ତୋଷ ବିଶ୍ୱାଳ, ଗଜେନ୍ଦ୍ର ଚୌଧୁରୀଙ୍କ ସମେତ ଶତାଧିକ ଚାଷୀ ନେତା ଉପସ୍ଥିତ ଥିଲେ ।