ରାଜ୍ୟପାଳଙ୍କ ଉଦ୍ବେଗ ଯୋଜନା କଥା ଜାଣିନାହାନ୍ତି ବାବୁ

 ଭୁବନେଶ୍ୱର: କେନ୍ଦ୍ର ହେଉକି ରାଜ୍ୟ, ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି  । ଲୋକଙ୍କ ପାଖକୁ ଯୋଜନା ପହଁଚାଇବା ପାଇଁ ଉଭୟ ମୋଦି ସରକାର ଓ ମୋହନ ସରକାର ସରକାରୀ ବାବୁମାନଙ୍କୁ ନିଦେ୍ର୍ଦଶ ବି ଦେଇଛନ୍ତି  । ହେଲେ ସରକାରୀ ଅଧିକାରୀମାନେ ବି ଅନେକ କେନ୍ଦ୍ରୀୟ ଯୋଜନା କଥା ଜାଣିନାହାନ୍ତି  । ସେହିପରି ୯୫% ଲୋକ ବି ଏବିଷୟରେ ଜାଣନ୍ତି ନାହିଁ  । ଏନେଇ ରାଜ୍ୟପାଳ ଡକ୍ଟର ହରିବାକୁ କମ୍ଭମ୍ପାଟି ଉଦ୍ବେଗ ପ୍ରକାଶ କରିଛନ୍ତି  । 
ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଥିଲେଯେ, ଜିଲ୍ଲାମାନଙ୍କରେ ଯୋଜନାର ସମୀକ୍ଷା କରିବା ବେଳେ ସରକାରୀ କର୍ମଚାରୀମାନେ କେନ୍ଦ୍ରୀୟ ଯୋଜନା ସଂକ୍ରାନ୍ତରେ ଜାଣିନଥିବା ସେ ଜାଣିବାକୁ ପାଇଥିଲେ  । ପଚାରିଲେ ସେମାନେ କହିପାରିନଥିଲେ  । ଏମିତିକି ରାଜ୍ୟର ୯୫% ଲୋକ ବି ସେ ବିଷୟରେ ଜାଣିନାହାନ୍ତି  । ଏନେଇ ପଚାରିବା ବେଳେ ମାତ୍ର ୫% ଲୋକ ହିଁ ହାତ ଉଠାଇଥିଲେ  । ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ସ୍ୱାଭାବିକ ଭାବେ ଅଙ୍ଗୁଳି ନିଦେ୍ର୍ଦଶ କରିଛି  । 
ସୂଚନାଯୋଗ୍ୟଯେ, ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ନିଶା ନିବାରଣ ସଂପର୍କିତ ସଚେତନତା ଅଭିଯାନ କରାଯାଇଥିଲା  । ଏନେଇ ରାଜ୍ୟପାଳ କହିଥିଲେଯେ, ନିଶା ନିବାରଣ ପାଇଁ ସମୟ, ସାହସ, ପରିବାରର ଭୂମିକା, ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭରୁ ହସ୍ତକ୍ଷେପ ରହିଲେ ଲୋକମାନେ ନିଶାଠୁ ଦୂରେଇ ନିଜ ଜୀବନକୁ ପୁନଃ ନିର୍ମାଣ କରିପାରିବେ  । ନିଶା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ, ସମ୍ପର୍କ ଭାଙ୍ଗେ ଏବଂ ସାମାଜିକ ଓ ଆଇନଗତ ସମସ୍ୟା ସୃଷ୍ଟି କରେ । ନିଶାଦ୍ରବ୍ୟ ଅପବ୍ୟବହାରର ଜାଲରେ ଯୁବପିଢ଼ିଙ୍କୁ ଫସିବାରୁ ରୋକିବା ପାଇଁ ପରିବାରର ଦୃଢ଼ ସମର୍ଥନ, ବ୍ୟାପକ ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ୱ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଟିଏଫ ଡିଆଇଜି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଆରକ୍ଷୀ ମହାନିଦେ୍ର୍ଦଶକ ବିନୟତୋଷ ମିଶ୍ର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଓ ରାଜଭବନର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ  ।