ରହସ୍ୟ ଘେରରେ ଲମ୍ବା ଗସ୍ତ : ନୂଆଦିଲ୍ଲୀରୁ ଫେରିଲେ ନବୀନ 

ରହସ୍ୟ ଘେରରେ ଲମ୍ବା ଗସ୍ତ : ନୂଆଦିଲ୍ଲୀରୁ ଫେରିଲେ ନବୀନ 
  • ଆଜିଠୁ ନୂଆପଡ଼ା ଅଙ୍କକଷା
  • ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା

ଭୁବନେଶ୍ୱର : ସେପ୍ଟେମ୍ବର ୭ରେ ଦିଲ୍ଲୀ ଯାଇଥିଲେ ବିଜେଡ଼ି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ୩୨ ଦିନ ରହିବା ପରେ ସେ ଆଜି ସଂଧ୍ୟାରେ ନବୀନ ନିବାସ ଫେରି ଆସିଛନ୍ତି । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ଧରି ଓଡିଶା ବାହାରେ ଥିଲେ । ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ସେ ଦିଲ୍ଲୀ ଯାଇଥିଲେ ବୋଲି କୁହାଯାଉଛି । ମଝିରେ ମଝିରେ ନବୀନଙ୍କୁ ଭର୍ଚୁଆଲ ମୋଡ଼ରେ ଦେଖିବାକୁ ମିଳୁଥିଲା । ଦଳୀୟ ନିଷ୍ପତ୍ତି ବି ଦିଲ୍ଲୀରୁ ନେଉଥିଲେ । ଇତିମଧ୍ୟରେ ନୂଆପଡ଼ା ପାଇଁ ସେ ଟିମ୍‌ ବି ଗଠନ କରିସାରିଛନ୍ତି । ଆସନ୍ତାକାଲି ଠାରୁ ନୂଆପଡ଼ା ଅଙ୍କକଷା ଆରମ୍ଭ ହୋଇଯିବ । 

ନବୀନଙ୍କ ଲମ୍ବା ଦିଲ୍ଲୀଗସ୍ତର ରହସ୍ୟ ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ । ବିଜେଡ଼ିର ଭବିଷ୍ୟତ ପାଇଁ ସେ କିଛି ଯୋଜନା କରିଥିବା କୁହାଯାଉଛି  । ରାଜନୀତିକ ମହଲରେ ଏନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ନୂଆପଡ଼ା ଉପନିର୍ବାଚନ ପରେ ଦଳ ନୂଆ ଢଙ୍ଗରେ ଚାଲିବ ବୋଲି ଅନୁମାନ କରାଯାଉଛି । ନୂଆପଡ଼ା ସହ ବିହାର ନିର୍ବାଚନ ଫଳ ବି ପ୍ରକାଶ ପାଇବ । ବିହାର ନିର୍ବାଚନରେ ଯଦି ଏନଡ଼ିଏ ପରାସ୍ତ ହୁଏ ତେବେ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳିବ । ସେହିପରି ଏନଡ଼ିଏ ଜିତିଲେ ବିଜେପିର ନୂଆ ରୂପ ବି ଦେଖିବାକୁ ମିଳିପାରେ । ଯାହା ଉପରେ ଏବେ ନବୀନ ବାବୁ ନଜର ରଖିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟଯେ, ପ୍ରଥମ ଥର ପାଇଁ ନବୀନ ବାବୁ ୩୨ ଦିନ ଧରି ଓଡ଼ିଶା ବାହାରେ ଥିଲେ । ପୂର୍ବରୁ ସର୍ଭିକାଲ୍‌ ଆଥ୍ରାଇଟିସ୍‌ ଚିକିତ୍ସା ପାଇଁ ସେ ଜୁନ୍‌ ୨୦ରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ୍‌ ହୋଇଥିଲା । ଜୁଲାଇ ୭ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜୁଲାଇ ୧୨ରେ ଓଡିଶା ଫେରିଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ଡିହାଇଡ୍ରେସେନ କାରଣରୁ ଅଗଷ୍ଟ ୧୭ରେ ଭୁବନେଶ୍ୱରର ସମ୍‌ ଅଲଟିମେଟ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ସେପ୍ଟେମ୍ବର ୭ରେ ସେ ଦିଲ୍ଲୀ ଚାଲିଗଲେ । କ’ଣ ପାଇଁ ଗଲେ କେହିବି ଜାଣିପାରିଲେନି । ପ୍ରଥମେ ପ୍ରଥମେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯାଇଥିବା କୁହାଯାଉଥିଲା । ଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ (ଔରଙ୍ଗଜେବ) ରୋଡ୍‌ ସ୍ଥିତ ନିଜର ପୈତୃକ ଘରେ ସେ ଅବସ୍ଥାନ କରୁଥିଲେ । ସେପ୍ଟେମ୍ବର ୭ ଓ ଆଜିର ଦିନକୁ ମିଶାଇ ଦିଲ୍ଲୀର ୩୪ ଦିନର ରହଣି କାଳରେ ତାଙ୍କୁ କେତୋଟି ସାମାଜିକ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଖାନ୍‌ ମାର୍କେଟ୍‌ ଯାଇ ବହି କିଣାକିଣି କରିଥିଲେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିଥିଲେ । ତେବେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା ।

ନବୀନଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ଅନେକ ଅଲୋଡ଼ା ଇତିହାସ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାନସଭା ମାଟି ମାଡ଼ିନାହାନ୍ତି । ତାଙ୍କ ଅନୁପସ୍ଥିତିରେ ସରିଗଲା ବିଧାନସଭାର ମୌସୁମୀ ଅଧିବେସନ । ରାଜ୍ୟରେ ବିଗିଡି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନବୀନ ପଦୁଟିଏ ବି ପାଟିଖୋଲି କହିନାହାନ୍ତି । ଯାହାକିଛି ଏକ୍ସ ଓ ଫେସବୁକ ପୋଷ୍ଟରେ ସୀମିତ ରହିଯାଇଛି । କଟକରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ହେଉକି ଓ ଏସଆଇ ପରୀକ୍ଷା କେଳେଙ୍କାରୀ ଅବା ହେଉ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା । ନବୀନଙ୍କ ପ୍ରତିବାଦ କେବଳ ସୋସିଆଲ ମିଡ଼ିଆରେ ହିଁ ରହିଯାଇଥିଲା ।

ଖାଲିସେତିକି ନୁହେଁ, ସବୁବର୍ଷ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରନ୍ତି ନବୀନ । ହେଲେ ଏଥର ତାଙ୍କ ଅନୁପସ୍ଥିତିରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ନୂଆପଡ଼ା ଉପନିର୍ବାଚନ ପାଇଁ ଟିମ୍‌ ଗଠନ ହୋଇଛି ସତ କିନ୍ତୁ ଶଙ୍ଖଭବନରେ ସେଭଳି ତତ୍ପରତା ନଥିବା ମନେହେଉଛି । ତେବେ ନବୀନ  ଆସି ଯାଇଥିବାରୁ ଦିନେ ଦୁଇଦିନ ଭିତରେ ଦଳ ପ୍ରାର୍ଥୀ ଘୋଷଣା କରିବ । ନିହାତି ଆବଶ୍ୟକତା ଥିବାରୁ ସମସ୍ତେ ଚାହୁଁଛନ୍ତି ନବୀନ ପ୍ରଚାରକୁ ଯାଆନ୍ତୁ । ବିନା ନବୀନରେ ନୂଆପଡ଼ା ଜିତିବା କଷ୍ଟକର ବ୍ୟାପାର ବୋଲି ଦଳୀୟ ନେତାମାନେ କହୁଛନ୍ତି । ହେଲେ ନବୀନ ଯିବେ କି ନାହିଁ ସମୟ କହିବ ।

ଚିକିତ୍ସା ପାଇଁ ମୁମ୍ବାଇ ଗଲା ବେଳେ ଦେବୀ ମିଶ୍ରଙ୍କୁ ନବୀନ ସଂଗଠନ ସମ୍ଭାଳିବା ଦାୟିତ୍ୱ ଦେଇଥିଲେ । ମାତ୍ର ମାସାଧିକ କାଳ ନବୀନ ଦିଲ୍ଲୀରେ ରହିଥିଲେବି ଦେବୀ କ’ଣ ସମ୍ଭାଳିଥିଲେ ତାହା ମା’ ଗଙ୍ଗେଇ ଜାଣନ୍ତି । ବରଂ ସେଇ ଅଦୃଶ୍ୟ ଶକ୍ତି ପାଣ୍ଡିଆନଙ୍କ ଇସାରାରେ ହିଁ ସବୁକିଛି ଚାଲିଥିଲା । ସେପଟେ ନବୀନଙ୍କୁ ଦିଲ୍ଲୀରେ ଛାଡ଼ି ପାଣ୍ଡିଆନ୍‌ ଆମେରିକା ଯାଇଥିବା ଚର୍ଚ୍ଚା ହେଉଥିଲା  । ପାଣ୍ଡିଆନ୍‌ ଏନେଇ ଛୋଟିଆ ଭିଡ଼ିଓଟେ ଇନଷ୍ଟାରେ ପୋଷ୍ଟ କରିଥିଲେବି ପରେ କିନ୍ତୁ ତାହାକୁ କାଟି ଦେଇଥିଲେ । ନବୀନଙ୍କ ଏହି ଲମ୍ବା ଗସ୍ତ କେବଳ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଥିଲା କହିଲେ ହେବନାହିଁ । କାହିଁକିନା ସେ ଚାହିଁଥିଲେ ନବୀନ ନିବାସରେ ବି ବିଶ୍ରାମ ନେଇପାରିଥା’ନ୍ତେ । କିଛି ନା କିଛି ଚାଲିଥିଲା, ଯାହା ସମ୍ପର୍କରେ ସମସ୍ତଙ୍କୁ ଅନ୍ଧାରରେ ରଖାଯାଇଛି ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି । ହେଲେ ନବୀନଙ୍କ ଆଗାମୀ ପଦକ୍ଷେପ ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ ।