ରାଜଧାନୀରେ ସାଇବର ନେଟୱାର୍କର୍ର ପର୍ଦ୍ଦାଫାସ


  •  ସୁନ୍ଦରପଦାରେ ଠାବ ହେଲା ନକଲି କଲ ସେଣ୍ଟର; ୬ ଗିରଫ
    ଭୁବନେଶ୍ୱର,୧୬ା୧୦ : ଲକ୍ଷ୍ମୀସାଗର ଅଞ୍ଚଳରୁ ସିମ ବକ୍ସ ଜବତ ପରେ ଏବେ ପୁଣି ରାଜଧାନୀରେ ବଡଧରଣର଼ ସାଇବର ନେଟୱାର୍କର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସର ସାଇବର ଟିମ । ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଫେକ୍‌ କଲ ସେଣ୍ଟର କରି ଲୋକଙ୍କୁ ଚୁନ ଲଗାଉଥିଲେ ପଶ୍ଚିମବଙ୍ଗର ୬ ସାଇବର ଲୁଟେରା । ଆଜି ସକାଳୁ ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ କମିଶନରେଟ ପୁଲିସର ସାଇବର ଟିମ ଚଢ଼ାଉ କରି ଏହି ନକଲି କଲ୍‌ ସେଣ୍ଟର ଠାବ କରିଛି । ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏଥିସହ ସେମାନଙ୍କ ଠାରୁ ୬ଟି ଲାପଟପ୍‌, ୧୧ ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ସମୀର ମୋବିନ (୨୬),ମହମ୍ମଦ ଜାଭେଦ ହୁସେନ (୨୬),ମହମ୍ମଦ ତୋସେପ (୨୩),ଫଇଜାନ ଆଲାମ (୨୪),ସାହେବ ରାଜା (୨୨) ଓ ମହମ୍ମଦ ହାଇଦର ଅଲ୍ଲୀ (୩୪) । ଗୁରୁବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । 
    ସୂଚନା ଯୋଗ୍ୟଯେ, ଏୟାରଫିଲ୍ଡ ଥାନା ଅଧିନରେ ଥିବା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଆଜି ସାଇବର ଟିମ ହଟାତ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା ଜଣାପଡିଥିଲା । ଏହି କଲ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ କରି ବିଭିନ୍ନ ପ୍ରକାର ଭୟଭିତ କରାଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲେ ପଶ୍ଚିମବଙ୍ଗର ୬ ଜଣ ସାଇବର ଲୁଟେରା । ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ମଧ୍ୟ ଠାବ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ କଲ ସେଣ୍ଟର ନାମରେ ଜାତୀୟ ଏବଂ ଆର୍ନ୍ତଜାତୀୟ ଲୋକଙ୍କୁ ମେଲ ଓ କଲ କରିଥାନ୍ତି । ବିଭିନ୍ନ କମ୍ପାନୀର ପ୍ରଡକ୍ଟ ନାମରେ ସେମାନଙ୍କୁ ମିଛ ସତ କହିବା ସହ ଉକ୍ତ ପ୍ରଡକ୍ଟ ସହ ଜଡ଼ିତ ହେଲେ ଲୋଭନୀୟ ଅଫର ମିଳିବ ବୋଲି ଗ୍ରାହକଙ୍କୁ କହିଥାନ୍ତି । ପରବର୍ତ୍ତୀ ସମୟରେ ଗ୍ରାହକମାନେ ଠକମାନଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ଏକ ଟୋଲ ଫ୍ରି ନମ୍ବର ଅର୍ଥାତ + ୧୮୪୫୪୭୮୪୨୩୬ ମଧ୍ୟ ଜାରି କରାଯାଇଥିଲା । ଯେତେବେଳେ ଗ୍ରାହକମାନେ ଠକମାନଙ୍କୁ ଟୋଲ ଫ୍ରି ନମ୍ବରରେ ଫୋନ କରିଥାନ୍ତି ସେହି ସମୟରେ ଉକ୍ତ କଲଟି ସ୍କାଏପି କଲ ଏବଂ ଭିଓଆଇପି କଲକୁ ବଦଳି କରିଦିଅନ୍ତି । ସେତେବେଳେ ସେମାନେ ଦୂରରୁ ସିଷ୍ଟମର କଣ୍ଟୋଲ ଆକ୍ସେସ୍‌ କରି ସେମାନଙ୍କର ସିଷ୍ଟମ ନିୟନ୍ତ୍ରଣ କରିଥାନ୍ତି । ତାପରେ ଗ୍ରାହକ ଆବଶ୍ୟକ ପରିମାଣର ଉପହାର କାର୍ଡ ଡଲାର ଆକାରରେ ପଠାଇବା ପାଇଁ ଦାବି କରନ୍ତି, ସମ୍ପୃକ୍ତ ଯୁବକ ମାନେ ବିଭିନ୍ନ ପଦ୍ଧତି ମାଧ୍ୟମରେ ହାୱାଲା କାରବାର ଜରିଆରେ ଉକ୍ତ ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରିବା ସହ ଗ୍ରାହକ ମାନଙ୍କୁ ଏହି ଉପାୟରେ ଠକିଥାନ୍ତି । ଫଳରେ ଠକମାନେ ଅତି ସହଜରେ ଗ୍ରାହକମାନଙ୍କ ସହ ଜଡ଼ିତ ହେବା ସହ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଜାଣିବା ସହ ତାହାକୁ ଖୋଳ କରି ଦେଉଥିବା ପୁଲିସ ତାହାର ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ ଜାଣିବା ଏବଂ ସେମାନେ କେଉଁ ପ୍ରକାର ଲୋକଙ୍କୁ ଠକେଇ କରୁଥିଲେ ତାହାର ଅଧିକ ତଦନ୍ତ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।