ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ଗମନାଗମନରେ ସମସ୍ୟା : ଜିଲ୍ଲାପାଳଙ୍କ ନିକଟର ଅଭିଯୋଗ କଲେ ଗ୍ରାମବାସୀ 

 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ହୁଣ୍ଡୁଳା ନିକଟରେ ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଉକ୍ତ ସ୍ଥାନରେ ଜାତୀୟ ରାଜପଥ କଡରେ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଭାରୀଯାନ ଛିଡା ହୋଇ ରହୁଥିବାରୁ ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି । ସିଜେ ଡାରସେଲ ଲଜିଷ୍ଟିକ ଲିଃ ଏବଂ ଓମ ସାରଦା ଲଜିଷ୍ଟିକ୍ ଟ୍ରାନ୍ସପୋର୍ଟ ସଂସ୍ଥା ଜାତୀୟ ରାଜପଥ ଉପରେ ଘଂଟା ଘଂଟା ଗାଡି ରଖୁଥିବାରୁ ଏଭଳି ସମସ୍ୟା ସୃ୍ଷ୍ଟି ହେଉଛି ବୋଲି ହୁଣ୍ଡୁଳା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । 
ଗତ କିଛି ଦିନ ହେଲା ଏହି କାରଣରୁ ଦୁର୍ଘଟଣା ସଂଖ୍ୟା ବଢିଥିଲେ ହେଁ ପୁଲିସ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଆଂଚଳିକ ପରିବହନ ବିଭାଗ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ଦେଖାଦେଇଛି । ଦୈନିକ ଶହ ସଂଖ୍ୟାରେ ଆଇରନ ବୋଝେଇ ଟ୍ରକ ଲମ୍ବା ଲାଇନ କରି ଜାତୀୟ ରାଜପଥ ପାଶ୍ୱର୍ରେ ଛିଡା ହୋଇ ରହୁଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା, ଛାତ୍ରଛାତ୍ରୀଙ୍କ ସ୍କୁଲ କଲେଜ ଯିବାରେ ସମସ୍ୟା ସୃଷ୍ଟି କରୁଛି । ବିଶେଷ କରି ହୁଣ୍ଡୁଳା ଛକ ନିକଟରେ ଗ୍ରାମବାସୀମାନେ ପୋଖରୀକୁ ଗାଧେଇବା, ଗୃହପାଳିତ ପଶୁଙ୍କ ଚରାଇବା ଓ ଚାଷବାସ ନିମନ୍ତେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବେଆଇନ ପାର୍କିଂ ପାଇଁ ହୁଣ୍ଡୁଳା, ମଶାଣୀପଦା, ବାଙ୍କମାରୁଣୀ, ଦୁଧକୁଣ୍ଡ ସାହି, ଜାମୁଡିଆ ଆଦି ଗ୍ରାମର ଲୋକମାନେ ମଧ୍ୟ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି । ଏହାର ପ୍ରତିବାଦ କଲେ ସିଜେ ହାରସେଲ କଂଜୁମର ପମ୍ପ କର୍ମଚାରୀଙ୍କ ଆକ୍ରୋଶର ଶୀକାର ହେବାକୁ ପଡୁଛି । ଶନିବାର ଏ ନେଇ ପ୍ରତିବାଦ କରିବାରୁ ହୁଣ୍ଡୁଳା ଗ୍ରାମର ଭୀଷ୍ମ ମହାନ୍ତଙ୍କୁ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ସେ ଆହତ ହୋଇଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସିଜେ ଡାରସେଲ କଞ୍ଜୁମର ଡିଜେଲ ପମ୍ପ ସମ୍ମୁଖରେ ବେଆଇନ ପାର୍କିଂ ଯୋଗୁଁ ଗତ ସପ୍ତାହରେ ଏକ ଦୂର୍ଘଟଣା ଘଟି ୨ଜଣ ଆହତ ହୋଇଥିଲେ । ଉକ୍ତ ସ୍ଥାନରେ ଗାଡି ଚାଲାଣ ପାଇଁ ନିୟମିତ ଶହ ଶହ ସଂଖ୍ୟାରେ ଗାଡି ଜାତୀୟ ରାଜପଥ କଡରେ ଅଟକି ରହୁଛି । ଉକ୍ତ ସ୍ଥାନରେ ସର୍ଭିସ ରୋଡ ଠିକ୍ ଭାବରେ ନିର୍ମାଣ ନ ହୋଇ ଏନ୍ଏଚ୍ଏଆଇ ପକ୍ଷରୁ ପେଟ୍ରୋଲ ଏବଂ କଞ୍ଜୁମର ଡିଜେଲ ପମ୍ପକୁ ଅନୁମତି ପ୍ରଦାନ କରାଯାଇଛି । ଫଳରେ ଜାତୀୟ ରାଜପଥ ଖରାପ ହେବା ସହ ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥ ପାଶ୍ୱର୍ରେ ରାସ୍ତା ଦବି ଥିବା ସ୍ଥାନରେ କାରଖାନା ବର୍ଜ୍ୟବସ୍ତୁ କଳାଗୁଣ୍ଡ ପକାଯାଉଥିବାରୁ ଗାଡି ଚଳାଚଳ ବେଳେ କଳାଗୁଣ୍ଡ ଉଡି ବାୟୁ ପ୍ରଦୂଷଣ କରୁଛି ଏବଂ ଗାଡି ଚଳାଚଳ ସମୟରେ ସମସ୍ୟା ସୃଷ୍ଟି କରୁଛି । ଏହି ସମସ୍ୟା ନେଇ ଆଜି ହୁଣ୍ଡୁଳା ଗ୍ରାମର ପୁରୁଷତ୍ତୋମ ମହାନ୍ତ, ସୁଜାତା ନାୟକ, ନିହାରିକା ଦାସ, ସନ୍ଧ୍ୟାରାଣୀ ନାୟକ, କଲ୍ୟାଣି ମହାନ୍ତ, ମାଳତୀ ନାଏକ, ରୂପାଲି ଦାସ, ରଜନୀ ମହାନ୍ତ, ପ୍ରମିଳା ମହାନ୍ତ, ଲିପିକା ମହାନ୍ତ, ମିନା ମହାନ୍ତ, ବିମଳା ମହାନ୍ତ, ଅଞ୍ଜନା ମହାନ୍ତ, ସଂଯୁକ୍ତା ନାଏକ, ମନ୍ଦାକିନୀ ନାଏକ, ଜେମାମଣୀ ମହାନ୍ତ, ରମଣୀ ନାୟକ, କୌଶଲ୍ୟା ମହାନ୍ତ, ଦୂର୍ଯେ୍ୟାଧନ ନାଏକ, ହୃଷିକେଶ ମହାନ୍ତ, ହଳଧର ମହାନ୍ତ, କୁଞ୍ଜବିହାରୀ ମହାନ୍ତ, ଗୁରୁଚରଣ ମହାନ୍ତ, ପାଟୁ ନାଏକ, କୁନି ନାଏକ, ପରେଶ ମହାନ୍ତ, ପିଙ୍କୁ ଦାସ, ଦୂର୍ଯେ୍ୟାଧନ ନାଏକ, ଦିଲ୍ଲୀପ ନାଏକ, ବବୁଲୁ ମହାନ୍ତ, ଅର୍ଜୁନ ଚରଣ ମହାନ୍ତ, ପ୍ରମୋଦ ମହାନ୍ତ ଶୁକଦେବ ନାଏକ, ଗୋବିନ୍ଦ ମହାନ୍ତ ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି  ।