ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ମଙ୍ଗଳପୁରରୁ ବିଶ୍ୱଭୂଷଣ ବିଶ୍ୱାଳ
ରାଜସ୍ୱ ଗ୍ରାମର ମାନ୍ୟତା ପାଇଁବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି । ଦେଶ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କରାଣ୍ଡିପୁର ଏକ ଗ୍ରାମ ହୋଇଥିଲେ ସୁଦ୍ଧା ଏହା ଗ୍ରାମର ମାନ୍ୟତା ନ ପାଇ ଧନୀପୁର ରାଜସ୍ୱ ଗ୍ରାମର ଏକ ପଡା ଗ୍ରାମ ଭାବେ ବିବେଚିତ ହେଉଛି । ଏଥିପ୍ରତି ଆଜି ପର୍ଯ୍ୟନ୍ତ କେହି ଧ୍ୟାନ ଦେଇନାହାନ୍ତି । ପରିତାପର ବିଷୟ ଯେ, କରାଣ୍ଡିପୁର ଗ୍ରାମବାସୀ ଯେକୌଣସି ଦସ୍ତାବିଜର କାର୍ଯ୍ୟ କଲାବେଳେ ଧନୀପୁର ଗ୍ରାମ ବୋଲି ଦର୍ଶାଉଛନ୍ତି । ଏହାର କାରଣ ଆଧାର କାର୍ଡ, ଭୋଟର କାର୍ଡ, ଜମିଜମା ଦସ୍ତାବିଜ ଏମିତି ବହୁତ୍ କିଛି ସରକାରୀ କାଗଜରେ ଗାଁ ନାମ ଧନୀପୁର ବୋଲି ଉଲ୍ଲେଖ ରହିଛି । ଏହି ଗ୍ରାମରେ ଅର୍ଦ୍ଧାଧିକ ପରିବାର ସଂଖ୍ୟାଲଘୁ ସାମ୍ପ୍ରଦାୟର ହୋଇଥିବା ବେଳେ ଅନ୍ୟମାନେ ସାଧାରଣ ବର୍ଗ ଏବଂ ଦଳିତ ସମ୍ପ୍ରଦାୟର ଅଟନ୍ତି । କରାଣ୍ଡିପୁର ଗ୍ରାମରେ ପାଖାପାଖି ୩୦୦ରୁ ଉର୍ଦ୍ଧ ଘର ଏବଂ ୧ହଜାରରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଥିଲେ ବି ଏହା ଅଦ୍ୟାବଧି ରାଜସ୍ୱ ଗ୍ରାମର ମାନ୍ୟତା ପାଇପାରିନାହିଁ । ତେଣୁ ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଯୁବ ସମାଜସେବୀ ଅଭିଷେକ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କୁ ଭେଟି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଦାବି କରିଛନ୍ତି ।