ଦୁର୍ବଳ ହେଉଛି ଇନ୍ଦ୍ରାବତୀ ପୋଲ: ହେଉନି ମରାମତି, ଖାଲଖମା ସୃଷ୍ଟି

 ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାରୁ ପଶ୍ଚିମ ଓଡ଼ିଶା ଛତିଶଗଡ଼ ରାଜ୍ୟ, ଆନ୍ଧ୍ରପ୍ରଦେଶ ରାଜ୍ୟ ସହିତ ଓଡ଼ିଶା ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ନଦୀ ଉପରେ ନିର୍ମିତ ଏକମାତ୍ର ପୋଲ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ପୋଲ ନିର୍ମାଣର ୪୦ ବର୍ଷ ବିତିଥିବା ସତ୍ତ୍ୱେ ଏହାର ମରାମତି କରାଯାଉ ନ ଥିବାରୁ ଇନ୍ଦ୍ରାବତୀ ପୁରୁଣା ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଛି । ପୋଲର ଉପର ଭାଗରେ ବର୍ତ୍ତମାନ ବିଭିନ୍ନ ଖାଲଖମା ସୃଷ୍ଟି ହେବା ସହ ପଡ଼ିଥିବା ସ୍ଲାବର ଲୁହାଛଡ କେତେକାଂଶରେ ଦେଖାଦେଉଛି । 
ଅଳ୍ପ ବର୍ଷା ହେଲେ ବି ପାଣି ଜମିଯିବା ଦ୍ୱାରା ପୋଲ ଉପରେ ଥିବା ଖାଲ ଗୁଡିକ ଜଣାପଡୁନଥିବାରୁ କୁତ୍ରିମ ପୋଖରୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜିର ରହିଛି । ନବରଙ୍ଗପୁର କୋରାପୁଟ ସୀମାବର୍ତ୍ତୀ ତଥା ଅବିଭକ୍ତ କୋରାପୁଟ କଳାହାଣ୍ଡି ଜିଲ୍ଲା ସହିତ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ପୋଲ ପ୍ରାୟତଃ ଗତ ୧୯୮୧ ମସିହାରେ ନିର୍ମାଣ ହୋଇଥିଲା । ଏବେ ଏହାକୁ ପାଖାପାଖି ୪୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହୋଇସାରିଲାଣି । ଏଥିସହିତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଲ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି । ଏପରି ସ୍ଥଳେ ବଡ ବଡ ମାଲ ବୋଝେଇ ଟ୍ରକ୍ ସହ କାର ମୋଟରସାଇକେଲରେ ନିଜ ଜୀବନକୁ ବାଜି ଲଗେଇ ଲୋକେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯିବା ଆସିବା କରୁଛନ୍ତି । ବେଳେ ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଗେଟ ଖୋଲା ହେଲେ ନଦୀ ଜଳ ଦୁଇ କୂଳ ଖାଇବା ସହ ପୋଲ ଉପର ପାଖକୁ ମଧ୍ୟ ଛୁଇଁଛି । ନବରଙ୍ଗପୁର ଦେଇ ପଶ୍ଚିମ ଓଡିଶକୁ ପ୍ରତ୍ୟେହ ଶତାଧିକ ଗାଡି ମୋଟର ଏହି ଇନ୍ଦ୍ରାବତୀ ପୋଲ ରାସ୍ତା ଦେଇ ଯାତାୟତ କରିଥାଏ । ୨୬ ନମ୍ବର ଜାତୀୟ ରାଜପଥ ପାପଡ଼ାହାଣ୍ଡି ଛକ ଠାରୁ ୩୯ ନମ୍ବର ରାଜ୍ୟ ରାଜପଥ ଡ଼ାବୁଗାଁ, ଉମରକୋଟ, ରାଇଘର ଦେଇ ଛତିଶଗଡ଼ ରାଜ୍ୟ ସହିତ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପୂର୍ବ ଓଡ଼ିଶାକୁ ମଧ୍ୟ ଏହି ଗୋଟିଏ ରାସ୍ତା ସଂଯୋଗ କରୁଛି । ଏହା ବ୍ୟତୀତ କୋରାପୁଟ ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ କୌଣସି ମାଲବାହୀ ଟ୍ରକ, ଯାତ୍ରୀବାହୀ ବସ୍ ଯିବା ଆସିବା ପାଇଁ ମଧ୍ୟ ଏହି ଇନ୍ଦ୍ରାବତୀ ପୋଲ ଉପରେ ନିର୍ଭର କରିଥାଏ । ଏବେ ପୋଲର ଦୁଇ ପାର୍ଶ୍ୱ ଅପ୍ରୋଚ ଖାଇବାରେ ଲାଗିଛି । ଆଗକୁ ବର୍ଷା ଦିନ ରହିଥିବାରୁ କୁତ୍ରିମ ଓ ପ୍ରାକୃତିକ ବନ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପୋଲ ତଥା ନଦୀର ପୂର୍ବ ଭାଗକୁ କିଛି ଦୂରରେ ନଦୀ ମଧ୍ୟରେ ଏକ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲିଛି । ତାହାର ନିମ୍ନ ଭାଗକୁ ପ୍ରତ୍ୟେକ ବର୍ଷ ନଦୀକୂଳ ଖାଇ ଚାଷୀଙ୍କ ଚାଷ ଜମି ଲୀନ ହୋଇ ସାରିଲାଣି । ପୋଲର କେତେକ ସ୍ଥାନରେ ଖାଲଖମା ହେବା ଦ୍ୱାରା ପାଣି ଜମି ପୋଲ ଉପର ଭାଗ ଆହୁରି ନଷ୍ଟ ହେବାକୁ ବସିଛି । ଏଥିସହିତ କେତେବେଳେ ଏହି ବ୍ରିଜ ଭାଙ୍ଗିଯିବ ତାହା କହିହେବ ନାହିଁ । ଏହି ପୋଲ ଭୁଶୁଡିଲେ ନବରଙ୍ଗପୁର ଜିଲ୍ଲା ସହ ବହୁ ଜିଲ୍ଲା ଏବଂ ରାଜ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ରହିଛି । ଏହି ସମସ୍ତ ପାରିପାର୍ଶ୍ୱକ ଦୃଷ୍ଟି କୋଣରୁ ଇନ୍ଦ୍ରାବତୀ ନଦୀର ସୁରକ୍ଷା ଦିଗରେ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ଜନସାଧାରଣ ଦାବି କରିଛନ୍ତି । ତୁରନ୍ତ ଏହି ବ୍ରିଜ ମରାମତି ସହ ଇନ୍ଦ୍ରାବତୀ ପୋଲ ଉପରେ ଆଉ ଗୋଟିଏ ନୂତନ ବ୍ରିଜ ନିର୍ମାଣ କରାଯିବାକୁ ନବରଙ୍ଗପୁରବାସୀ ଦାବି କରିଛନ୍ତି ।