ରାଜ୍ୟପାଳଙ୍କ କୋରାପୁଟ ଜିଲ୍ଲା ଗସ୍ତ

 ଜୟପୁର : କୋରାପୁଟ ଜିଲ୍ଲାକୁ ରାଜ୍ୟପାଳ ଡ. ହରିବାବୁ କାମ୍ଭମପତି ଦୁଇଦିନିଆ ଗସ୍ତରେ ଆସିଛନ୍ତି । ସେ ଜୟପୁର ଏୟାରପୋର୍ଟରେ ପହଞ୍ଚôବା ପରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଏସ୍ପି ରୋହିତ ବର୍ମା ଓ ଅନ୍ୟାନ୍ୟ ଅଧିକାରୀ ଏବଂ ବିଜେପି ନେତୃମଣ୍ଡଳୀ ତାଙ୍କୁ ଜୟପୁର ବିମାନବନ୍ଦର ଠାରେ ସ୍ୱାଗତ କରିଥିଲେ ।  ସାମ୍ୱାଦିକଙ୍କ କୋଟିଆ ପ୍ରସଙ୍ଗ ପ୍ରଶ୍ନରେ ସମସ୍ତ ସମସ୍ୟାର ସମାଧାନ ରହିଛି ବୋଲି କହିଥିଲେ । ଏହାପରେ ଜୟପୁରରୁ କୋରାପୁଟ କଫି ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚô ରାଜ୍ୟପାଳ କଫି ଚାଷୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ନାଲକୋ, ହାଲ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋଟସ ଅଧିକାରୀମାନଙ୍କ ସହ ବିଭାଗୀୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମୁଦ୍ରା ହିତାଧୀକାରୀ ଏବଂ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରାତ୍ରିରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ । ଆସନ୍ତା ୯ ତାରିଖ ଦିନ ସକାଳେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଉଁଶଗୁଡ଼ା କଫି ନର୍ସରୀ ପରିଦର୍ଶନ କରିବା ସହ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିବେ । ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସୁନାବେଡ଼ା ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସହ ମାଧୋ ସିଂ ହାତଖର୍ଚ୍ଚ ଏବଂ ସିଏମ ପୋଷଣ ଯୋଜନା ସଂପର୍କରେ ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହାପରେ କୁନ୍ଦୁଲି ଗ୍ରାମକୁ ଯାଇ ଜଙ୍ଗଳ ଜମି ପଟ୍ଟା ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହାପରେ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୦ ତାରିଖ ଦିନ ରାଜ୍ୟପାଳ ଡ.ହରିବାବୁ କାମ୍ଭମପତି ମାଲକାନଗିରି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ଏବଂ ୧୧ ତାରିଖ ମଧ୍ୟାହ୍ନରେ ବିମାନ ଯୋଗେ ଜୟପୁରରୁ ଫେରିବା କାର୍ଯ୍ୟକ୍ରମ ରହିଛି ।