ରାଜ୍ୟରୁ ଗଞ୍ଜେଇ ଚାଷ ନିପାତ ପାଇଁ ଅଣ୍ଟା ଭିଡ଼ିଲା ପୁଲିସ
 ୨୪ ଦିନରେ ୨୮ ଲକ୍ଷରୁ ଅଧିକ ଗଛ କରାଗଲା ନଷ୍ଟ
 ଭୁବନେଶ୍ୱର, ୨୫ା୧୧ : ଦିନକୁ ଦିନ ମାଓବାଦୀ ଅଧୁଷିତ ଜିଲ୍ଲାରେ ଗଞ୍ଜେଇ ଚାଷର ପ୍ରଭାବ ବଢ଼ିବାରେ ଲାଗିଛି । ମାଓବାଦୀମାନେ ଗଞ୍ଜେଇ ଚାଷ କରି ଏହାକୁ ବିକ୍ରି କରିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ଯାହାଦ୍ୱାରା ସେମାନେ ମାଓ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାରେ ସହାୟକ ହୋଇପାରୁଛନ୍ତି । ଏହାକୁ ରୋକିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି । ଏହିକ୍ରମରେ ଗତ ନଭେମ୍ବର ୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ପକ୍ଷରୁ କନ୍ଧମାଳ, ବୌଦ୍ଧ,ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାରେ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଚଢ଼ଉ କରାଯାଇ ୨୪ ଦିନରେ ୨୮ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରିଥିବା ପୋଲିସ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି । ପୋଲିସ ସେବା ଭବନରେ ଥିବା କ୍ୟାମ୍ପ ଅଫିସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି । ଗଞ୍ଜେଇ ଚାଷ ପାଇଁ ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଅନୁକୂଳ ଥିବାରୁ ଚଳିତ ବର୍ଷ ନଭେମ୍ବର ମାସରୁ ହିଁ ଓଡ଼ିଶା ପୁଲିସର ଏହି ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି ।
 ରାଜ୍ୟର କେତେକ ଜିଲ୍ଲାରେ ବଡ ବଡ ଜଙ୍ଗଲ ଏବଂ ପାହାଡିଆ ଭୂମି ରହିଛି । ଯେପରିକି, କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ରସ୍ଥଳୀ ପାଲଟିଛନ୍ତି । ଆମ ଯୁବପିଢ଼ୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡ଼ିଶା ପୁଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ । ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଓଡ଼ିଶା ପୁଲିସ ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ଅମଳଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ- ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଭିଯାନର ପ୍ରଥମ ୨୪ ଦିନ ମଧ୍ୟରେ, ଏହି ସବୁ ଜିଲ୍ଲା ଗୁଡିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ସକ୍ଷମ ହୋଇଛୁ । ଏପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଗତ ବର୍ଷ ଓଡିଶା ପୁଲିସ ପ୍ରାୟ ୧୦,୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ବେଳେ, ଚଳିତ ବର୍ଷ ଆମେ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ପ୍ରୟାସ ଜାରି ରଖିବୁ । ଗଞ୍ଜେଇ ଚାଷ ବ୍ୟତୀତ ଓଡ଼ିଶା ପୁଲିସ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢଉ କରୁଛି । ମାସକ ମଧ୍ୟରେ ଏପର୍ଯ୍ୟନ୍ତ ୫୪ଟି ମାମଲାରେ ୫୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ପରିବହନ ସମୟରେ ଏହି ସବୁ ଜବତ କରାଯାଇଛି । ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ଟି ଯାନ ଜବତ କରାଯାଇଛି । ଏହା ସହ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏପର୍ଯ୍ୟନ୍ତ ୮୦ ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟରେ ଗିରଫ କରାଯାଇଛି । ଆମ ଯୁବପିଢୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡିଶା ପୁଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ । ଓଡିଶା ପୁଲିସ ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି । ଯାହା ଅମଳ ଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ-୨୦୨୫ ପର୍ଯ୍ୟନ୍ତ ଜାରି ରହିବ ।                        
 
 Jitendra Sahu
                                    Jitendra Sahu                                 
                         
                         
    
             
    
             
    
             
    
             
    
             
    
 
    
 
 
 
