ରାଜ୍ୟରୁ ବିଦା ହେବେ ବାଂଲାଦେଶୀ
- ତଡି ପାର ହେଲେଣି ୪୯
- ଚିହ୍ନଟ କରୁଛି ସ୍ୱତନ୍ତ୍ର ଆପ୍
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଆଜି ଥିଲା ଚତୁର୍ଥ ଦିନ । ଅଧିବେଶନର ପ୍ରଥମ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୃହର ସଦସ୍ୟମାନଙ୍କୁ ଉପଦେଶ ପରେ ସ୍ୱାଭାବିକ ଭାବେ ଚାଲୁ ରହିଛି ଗୃହ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହେଉଛି । ଆଜି ବାଂଲାଦେଶୀ ସମାସ୍ୟା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ସରକାର ଆସିବା ପରେ ଏପର୍ଯ୍ୟନ୍ତ ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିବା ସେ କହିଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠା ଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟ ଜଣେ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠାଯାଇଛି । ୨ ଜଣ ନକଲି ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁୁ କରାଯାଇଛି ।
ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଅନୁସାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶନ୍ତରୀକରଣ ପାଇଁ ‘ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ’ ଗଠନ କରାଯାଇଛି । ସମସ୍ତ ଜିଲ୍ଲାର ଏସପିମାନଙ୍କୁ ନିୟମିତ ଭାବରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଏସପି କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ରୀଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟସ୍ତରୀୟ ଏବଂ ୧୮ ଗୋଟି ଜିଲ୍ଲା ସ୍ତରୀୟ ଅଟକ କେନ୍ଦ୍ର, ଏହିପରି ସମୁଦାୟ ୨୦ଗୋଟି ଅନୁପ୍ରବେଶକାରୀ ଅଟକ କେନ୍ଦ୍ର ଖୋଲା ଓ ଚିହ୍ନଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ପର୍ଯ୍ୟନ୍ତ ସେଠାରେ ରଖାଯାଉଛି । ଏହି ଚିହ୍ନଟ ପ୍ରକ୍ରିୟା ଦ୍ୱାରା ସମୁଦାୟ ୧୭୬୮ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ମଧ୍ୟରୁ ୧୬୬୭ ଜଣଙ୍କୁ ଭାରତୀୟ ଭାବରେ ଚିହ୍ନଟ କରାଯାଇଛି । ସେମାନେ ଯଥାକ୍ରମେ ସହରାଞ୍ଚଳ ପୁଲିସ ଜିଲ୍ଲା ଭୁବନେଶ୍ୱର -୨୪, ସହରାଞ୍ଚଳ ପୁଲିସ ଜିଲ୍ଲା କଟକ -୧୫, ବ୍ରହ୍ମପୁର -୬, ଗଞ୍ଜାମ - ୧ , କନ୍ଧମାଳ - ୪ , କୋରାପୁଟ -୧ । ଅବଶିଷ୍ଠ ୫୦ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ପରିଚୟପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁରହିଛି ।
ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ / ଜୋନାଲ ସ୍ୱତନ୍ତ୍ର ସଂସ୍ଥା ଅଧିକାରୀମାନଙ୍କ ନିୟମିତ ବ୍ୟବଧାନରେ ଭି.ସି/ ବୈଠକ ମାଧ୍ୟମରେ ବଳକା ସମସ୍ତ ଅବୈଧ ବାଂଲାଦେଶୀ ପ୍ରବେସୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର କାର୍ଯ୍ୟ ବାହୀନୀ ବ୍ୟତୀତ, ଇଣ୍ଟେଲିଜେଣ୍ଟ ବ୍ୟୁରୋ (ଆଇବି) ଏବଂ ସ୍ୱତନ୍ତ୍ର ଶାଖାର ଜିଲ୍ଲା ୟୁନିଟ ଗୁଡ଼ିକୁ ଅବୈଧ ବାଂଲାଦେଶୀ ପ୍ରବେସୀଙ୍କୁ ଖୋଜିବା ଏବଂ ଚିହ୍ନଟ କରିବା ପ୍ରକ୍ରିୟାରେ ବ୍ୟବହାର କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଏଫ.ଆର. ଓ/. ଆରକ୍ଷୀ ମହାନିରୀକ୍ଷକ / ଉପ ଆରକ୍ଷୀ ମହାନିରୀକ୍ଷକ ମାନଙ୍କୁ ବାଂଲାଦେଶୀମାନଙ୍କ ଦ୍ୱାରା ବ୍ୟବହୃତ ବକଶ, ନଗଡ, ପ୍ରୋଥମ, ଅଲୋ, କୋଥା ଇତ୍ୟାଦି ଆପସ ବ୍ୟବହାର କରି ଚାଲୁଥିବା ଯାଞ୍ଚ ପ୍ରକ୍ରିୟା ସମୟରେ ସେମାନଙ୍କର ପରିଚୟ ଜାଣିବାକୁ ଅନୁରୋଧ କରାଯାଇଛି । ଏହି ପ୍ର୍ରକିୟାକୁ ଅଧିକ ତ୍ୱରାନ୍ୱିତ ଓ ତଦାରଖ କରିବା ପାଇଁ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ସାମ୍ଭାବ୍ୟ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରୁଛନ୍ତି । ଏତଦବ୍ୟତିତ ସୀମା ସୁରକ୍ଷା ବାହିନୀ, ପଶ୍ଚିମବଙ୍ଗ ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମନ୍ୱୟରେ ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ନିୟମିତ ଭାବେ ଚାଲୁ ରହିଛି ।