ଟି-୨୦ ବିଶ୍ୱକପ୍ ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
୪ ଖେଳାଳୀଙ୍କୁ ୧୧ ଲକ୍ଷ ଲେଖାଏଁ ପୁରସ୍କାର
ଭୁବନେଶ୍ୱର : ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଏହି ବିଶ୍ୱକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ୱ କରିଥିଲେ । ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ଅବସରରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।