ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ

ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ

ଦାରିଙ୍ଗବାଡ଼ିରେ ୧୧ ଡିଗ୍ରୀ, ଝାରସୁଗୁଡ଼ାରେ ୧୧.୭ ଡିଗ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଳାରେ ତାପମାତ୍ରା କମିଛି । ପୂର୍ବାପେକ୍ଷା ଟିକେ ଟିକେ ଶୀତ ବଢ଼ିବାରେ ଲାଗିଛି । ହେଲେ ଏଯାଏଁ ଶୀତ କିନ୍ତୁ ଥରାଇପାରିନି । ସେପଟେ ଏବର୍ଷ ଶୀତ ବିଳମ୍ବରେ ଆସି ଶୀଘ୍ର ଯିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ।

     ପାଣିପାଗ ବିଭାଗର ଆକଳନ ଅନୁସାରେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ କୁହୁଡ଼ି ଏବଂ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହୋଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ହ୍ରାସ ପାଇଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଏବଂ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୬ ଡିଗ୍ରୀ ସେଲିସିୟସ କମିଥିବା ଜଣାପଡ଼ିଛି ।

       ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ଥିବାବେଳେ ଝାରସୁଗୁଡ଼ାରେ ୧୧.୭ ଡିଗ୍ରୀ, ଫୁଲବାଣୀରେ ୧୨ ଡିଗ୍ରୀ, ରାଉରକେଲାରେ ୧୩.୨ ଡିଗ୍ରୀ, ଭଦ୍ରକରେ ୧୪ ଡିଗ୍ରୀ, କୋରାପୁଟରେ ୧୪.୬ ଡିଗ୍ରୀ, ବଲାଙ୍ଗୀରରେ ୧୫.୭ ଡିଗ୍ରୀ, ଭବାନୀପାଟଣାରେ ୧୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୪.୨ ଡିଗ୍ରୀ, କେନ୍ଦୁଝରଗଡ଼ରେ ୧୪.୬ ଡିଗ୍ରୀ, ଭୁବନେଶ୍ୱରରେ ୧୭.୪ ଡିଗ୍ରୀ ରହିଛି।