ରାଜ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଖୁବଶୀଘ୍ର
ଭୁବନେଶ୍ୱର : ରାଜ୍ୟରେ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ । ଉଦବୃତ୍ତଜଳ ସମ୍ପନ୍ନ ନଦୀ ଅବବାହିକାଗୁଡିକୁ ଜଳକ୍ଲିଷ୍ଟ ନଦୀ ଅବବାହିକା ସହିତ ସଂଯୁକ୍ତକରି ପ୍ରଭାବୀ ଜଳ ବଣ୍ଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା ନିମନ୍ତେ ଏହି ପ୍ରକଳ୍ପ ନାମରେ ଏକ ନୂତନ ଯୋଜନା ରୂପାୟନ ହେବ ।
ଜଳ ପରିଚାଳନାରେ ଆଦର୍ଶ ଉଦାହରଣ ସୃଷ୍ଟି କରିବା, ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣକୁ ପ୍ରାଧାନ୍ୟ ଦେବା, ପ୍ରାୟ ୧୫୦ଟି ଜଳାଶୟକୁ ପୁନର୍ଜୀବିତ କରାଯାଇ ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରିବା, ଜଳକ୍ଲିଷ୍ଟ ଅଞ୍ଚଳରେ ମରୁଡି ପ୍ରବଣତାକୁ ହ୍ରାସ କରିବା, ବନ୍ୟା ସମୟରେ ଜଳବନ୍ଦୀ ହେଉଥିବା ଅଞ୍ଚଳରୁ ଜଳ ନିଷ୍କାସନ କରି ଉଦବୃତ୍ତ ଜଳକୁ ସଂରକ୍ଷଣ କରିବା, ଉପଲବ୍ଧ ଜଳସେଚିତ ଜମିଗୁଡିକୁ ନିରାପତ୍ତା ଓ ସ୍ଥାୟିତ୍ୱ ପ୍ରଦାନ କରିବା, ଅତିରିକ୍ତ ସେଚ ସାମର୍ଥ୍ୟ ସୃଷ୍ଟି କରିବା, ଅଗ୍ରାଧିକାରଭିତ୍ତିରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଏବଂ ରିଅଲ ଟାଇମ ମନିଟରିଂ ସିଷ୍ଟମ୍ ଦ୍ୱାରା ଜଳ ସମ୍ପଦର ତଦାରଖ ଓ ସୁପରିଚାଳନା କରାଯିବା ଆଦି ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ରହିବ । ଯାହା ଫଳରେ ଅନିର୍ଦ୍ଦିଷ୍ଟ ମୌସୁମୀ ଓ ଅନିଶ୍ଚିତ ବୃଷ୍ଟିପାତର ବିପର୍ଯ୍ୟୟକୁ ମୁକାବିଲା କରି ପରିବେଶରେ ସ୍ଥିରତା ଆଣିହେବ ।
ଏଥିପାଇଁ ପ୍ରାରମ୍ଭିକ ଭାବରେ ୨୦୨୫-୨୬ ରୁ ୨୦୨୯ ଆର୍ଥିକ ବର୍ଷ ମଧ୍ୟରେ ୬ଟି ପଥଦର୍ଶୀ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯାଉଛି । ସେଗୁଡ଼ିକ ହେଉଛି କାତରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ ପ୍ରକଳ୍ପ, ହିରାଧରବାଟି ବ୍ୟାରେଜ – ଚିଲିକା ହ୍ରଦ ସଂଯୋଗୀକରଣ ପ୍ରକଳ୍ପ, ବାହୁଦା – ଋଷିକୁଲ୍ୟା ଅବବାହିକା ସଂଯୋଗୀକରଣ ପ୍ରକଳ୍ପ, ବଂଶଧାରା – ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ, ଅଙ୍ଗ – ସୁକତେଲ ଗାର୍ଲାଣ୍ଡ ପ୍ରକଳ୍ପ, ତେଲେଙ୍ଗିରି – ଅପରକୋଲାବ ସଂଯୋଗୀକରଣ ପ୍ରକଳ୍ପ । ସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀ ଓଡିଶା ରାଜ୍ୟ ଜଳନୀତି ଆଧାରରେ ପରିଚାଳିତ ହେବ ।